ନୂଆ ଭୂମିକାରେ ପାଣ୍ଡିଆନ୍: ‘୫-ଟି’ ଏବଂ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ କ୍ୟାବିନେଟ୍ ପାହ୍ୟାରେ ନୂଆ ନିଯୁକ୍ତି
ଭୁବନେଶ୍ୱର: ଗତକାଲି ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରିରୁ ଅବସର ନେଇଥିବା ଭି.କେ.ପାଣ୍ଡିଆନଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ରୂପାନ୍ତରଣ କାର୍ଯ୍ୟକ୍ରମ ‘୫-ଟି’ ଏବଂ ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ନବୀନ ଓଡ଼ିଶା’ ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୦୦୦ ବ୍ୟାଚ୍ ର ଆଇଏଏସ୍ ଶ୍ରୀ ପାଣ୍ଡିଆନ୍ ୨୩ ବର୍ଷ କାର୍ଯ୍ୟ କରିବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ୍) ନେଇଛନ୍ତି । ଗତ ୨୦ ତାରିଖରେ ହୋଇଥିବା ତାଙ୍କର ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଗତକାଲି ମଞ୍ଜୁରି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦବୀ ସହ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରଣ କାର୍ଯ୍ୟକ୍ରମ ୫-ଟି ସଚିବ ଭାବେ ସେ ଦାୟିତ୍ୱ ତୁଲାଉଥିଲେ । ନିକଟରେ ଆରମ୍ଭ ହୋଇଥିବା ‘ନବୀନ ଓଡ଼ିଶା’ ଯୋଜନା ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ରାଜ୍ୟରେ ସ୍କୁଲ, ମନ୍ଦିର, ଡାକ୍ତରଖାନା ପ୍ରମୁଖ ରୂପାନ୍ତରଣ କାର୍ଯ୍ୟକ୍ରମର ପରିକଳ୍ପନା ଓ ଏହାର କାର୍ଯ୍ୟକାରିତାକୁ ସଠିକ ଦିଗରେ ନେବାରେ ଶ୍ରୀ ପାଣ୍ଡିଆନଙ୍କ ଭୂମିକା ବେଶ୍ ପ୍ରଶଂସାଯୋଗ୍ୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଦକ୍ଷ, ବିଶ୍ୱସ୍ତ ଓ କ୍ଷମତାଶାଳୀ ଅଧିକାରୀଙ୍କ ଜିଲ୍ଲାଗସ୍ତକୁ ନେଇ ବିରୋଧୀ ଦଳ ତୁମ୍ବିତୋଫାନ କରିବା ପରେ ସେ ବିବାଦୀୟ ହୋଇଯାଇଥିଲେ । ରାଜନୀତି କରିବାକୁ ଚାହୁଁଥିଲେ ଚାକିରି ଛାଡ଼ି ଦେବାକୁ ସେମାନେ ଆହ୍ୱାନ ଦେଇଥିଲେ । ଶ୍ରୀ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପଛରେ ତାଙ୍କର ନିଦେ୍ର୍ଦଶ ରହିଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସ୍ପଷ୍ଟ କରିଥିଲେ ମଧ୍ୟ ବିରୋଧୀ ଦଳ ଏହାକୁ ବିଜେଡି ବିରୋଧରେ ପ୍ରମୁଖ ପ୍ରସଙ୍ଗ କରିଥିଲେ ।
ଏହା ଭିତରେ ଶ୍ରୀ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ମାତ୍ର କେହି ଟେର୍ ପାଇପାରି ନ ଥିଲେ । ଗତକାଲି ସଂଧ୍ୟାରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ମଞ୍ଜୁରି ଚିଠି ଆସିବା ପରେ ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା । ତାଙ୍କର ଆଗାମୀ ପଦକ୍ଷେପକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା । ସେ ବିଜେଡିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହୋଇଥିଲା ।
ତେବେ ଶ୍ରୀ ପାଣ୍ଡିଆନଙ୍କ ନୂଆ ନିଯୁକ୍ତି ପୁଣି ସମସ୍ତଙ୍କୁ ଚକିତ କରିଛି । କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ସେ ୫-ଟି ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସିଧାସଳଖ କାମ କରିବେ । ଏହା ତାଙ୍କର ପୂର୍ବ ଗୁରୁତ୍ୱକୁ ବଢ଼ାଇ ଦେଇଥିବା କୁହାଯାଇଛି।