ପ୍ରତିବାଦରେ ଯୁବମୋର୍ଚ୍ଚାର ବିକ୍ଷୋଭ।
ତାମିଲ ସଂସ୍ଥା ଖାଇଗଲା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ର ଛାତ୍ରୀଙ୍କ ମେଧାବୃତ୍ତି ଏବଂ ଦକ୍ଷତା ବିକାଶ ଟଙ୍କା।
ପ୍ରତିବାଦରେ ଯୁବମୋର୍ଚ୍ଚାର ବିକ୍ଷୋଭ।
ଭୁବନେଶ୍ୱର:ଆଜି ଏସ୍ଟି ଏସ୍ସି ଛାତ୍ର ଛାତ୍ରୀଙ୍କ ମେଧାବୃତି ଓ ଦକ୍ଷତା ବିକାଶ ପାଣ୍ଠି ହଡପ୍ ପ୍ରତିବାଦରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯାଇଥିଲା। ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀମାନ ଅଭିଳାଷ ପଣ୍ଡା ଉପସ୍ଥିତ ରହି କହିଥିଲେ ଯେ “ଓଡିଶା ଆଜି ଏକ ଦୁର୍ନୀତି ପ୍ରଦେଶରେ ପରିଣତ ହୋଇଛି । ସ୍ୱଚ୍ଛ ଶାସନର ମିଛ ଡିଣ୍ଡିମ ପିଟୁଥିବା ଏ ରାଜ୍ୟ ସରକାରର କେବଳ ଏକ ପ୍ରହେଳିକା । ଅତୀତରେ ଆମେ ଖଣି, ପାଣି ବିଭିନ୍ନ ପ୍ରକାର ଲୁଟ୍ କଥା ଓଡିଶାରେ ସାମ୍ନାକୁ ଗଣମାଧ୍ୟମ ଆଣିଛି । ପାଇଖାନା ପର୍ଯ୍ୟନ୍ତ ରାଜ୍ୟ ସରକାର ତଥା ଶାସକ ଦଳ ଓଡିଶାରେ ଗରୀବ ଲୋକଙ୍କ ଠାରୁ ଖାଇଯାଇଛନ୍ତି । ”
ବର୍ତ୍ତମାନ ଆଉ ଗୋଟିଏ ପାଦ ଆଗକୁ ଯାଇ ଓଡିଶାର ଛାତ୍ରଛାତ୍ରୀ ଓ ଯୁବବର୍ଗମାନଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମଧ୍ୟ ହଡପ୍ କରିଛି ବିଜେଡି ସରକାର । ମେଧାବୃତ୍ତି ଏବଂ ବିଶେଷ ଭାବେ ଦକ୍ଷତା ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ସିଧାସଳଖ ବାଟମାରଣା କରାଯାଇଥିବାର ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ ।
ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ଛାତ୍ର, ଯୁବକ, ଅଣକୁଶଳୀ ଯୁବକଙ୍କ ଦକ୍ଷତା ବିକାଶପାଇଁ ପୋଷ୍ଟ ମାଟ୍ରିକ୍ ସ୍କୋଲାରସିପ୍ ବା ମେଧାବୃତ୍ତି ନାମରେ ଦୁଇଟି ସ୍କୋଲାରସିପ୍ ସରକାରଙ୍କ ଅନୁସୁଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନିପାତ କରିବା ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଡିବିଟି ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇଲେ । ପ୍ରତ୍ୟେକ ବିଭାଗରେ ଡିବିଟି ସେଲ୍ ଗଠନ କରାଯାଇ ହିତାଧିକାରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଗଲା ।
ମାତ୍ର ଓଡିଶାରେ ଏହାର ବ୍ୟତିକ୍ରମ କରାଗଲା । ସିଏଜି ରିପୋର୍ଟ ଅନୁଯାୟୀ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କୈାଣସି ସେଲ୍ ଗଠନ କରାଗଲା ନାହିଁ । ଭୁଲ୍ ତଥ୍ୟ ଓ ଆଧାର ସଂଯୋଗ କରାଯାଇ ଭୁତ ଛାତ୍ରଛାତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ବୃତ୍ତି ହରିଲୁଟ କରାଗଲା । ସେହିପରି ୨ଟି ସାଂପଲ ଜିଲ୍ଲାରେ ୨ ଟି ଅଣଓଡିଆ ସଂସ୍ଥା ଦ୍ୱାରା ପାଖାପାଖି ୧୫.୭୯ କୋଟି ଟଙ୍କାର ଦକ୍ଷତା ବିକାଶ ପାଣ୍ଠି କେଳେଙ୍କାରୀ ହୋଇଥିବା ସିଏଜି ରିପୋର୍ଟରେ ଖୁଲାସା ହୋଇଛି । ତାଲିକାର ପାଖାପାଖି ୩୦ ରୁ ୪୦ ପ୍ରତିଶତ ଛାତ୍ରଛାତ୍ରୀ ବୃତ୍ତି ପାଇବାରୁ ବଂଚିତ ହୋଇଛନ୍ତି ଏବଂ ତାହା ମଧ୍ୟରୁ ଅର୍ଦ୍ଧାଧିକ ଭୁତ ଛାତ୍ରଛାତ୍ରୀ । ଚଞ୍ଚକତା କରାଯାଇ ଭୁତ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନକୁ ଏହି ଛାତ୍ରବୃତି ଟଙ୍କା ଦିଆଯାଇଛି ବୋଲି ଶ୍ରୀମାନ ପଣ୍ଡା ଦାବୀ କରିଛନ୍ତି।
ଶ୍ରୀମାନ ପଣ୍ଡା ଆହୁରି କହିଛନ୍ତି ଯେ
ଆଜି ତାମିଲନାଡୁରୁ ବେପାରୀମାନେ ଆସି ଓଡିଆମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିଚାଲିଛନ୍ତି । ଅନୁମୋଦନ ମିଳିନଥିବା ବିଏସ୍ଏସ୍ ନାମକ ଏକ ତାମିଲ ସଂସ୍ଥା ଏବଂ ଏନସିଭିଆରଟି ନାମକ ଆଉ ଏକ ଅଣଓଡିଆ ସଂସ୍ଥା ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୧୬ଟି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯେଉଁଥିରୁ ୮ଟିର ଆଦୈା ସ୍ଥିତି ନାହିଁ । ସେହିଭଳି ଆଉ ଗୋଟିଏ ଅନୁଷ୍ଠାନର ମୋଟ କାପାସିଟି ୬୦ ହୋଇଥିବାବେଳେ ୭୨୦ଙ୍କୁ ପ୍ରଶିକ୍ଷିତ କରାଯାଉଥିବାର ଦର୍ଶାଇ ବ୍ୟାପକ ପରିମାଣର ଟଙ୍କା ବାଟମାରଣା କରାଯାଉଛି । ଏହି ଦୁଇଟି ସଂସ୍ଥା ୧୫.୭୯ କୋଟି ଟଙ୍କା ଲୁଟି ନେଇଗଲେ ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି ।
ବାଲେଶ୍ୱରର ଚର୍ଚ୍ଚ କ୍ୟାଂପସରେ ଥିବା ବ୍ୟାଙ୍କରେ ଏସଏସଆଇଟି ସଂସ୍ଥା ନାମକ ଦକ୍ଷତା ବିକାଶ କେନ୍ଦ୍ରରେ ତାଲିମ ନେଉଥିବା ୧୦୭୭ ଜଣ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗୋଟିଏ ମୋବାଇଲ ନମ୍ବର ସହ ସଂଯୋଗ କରାଯାଇଛି ଏବଂ ଜଣେ ମାତ୍ର ଇନ୍ଟ୍ରୋଡ୍ୟୁସର ଅଛନ୍ତି । ଏହି ଭାବେ ଚଞ୍ଚକତା କରାଯାଇ କୋଟି କୋଟି ଟଙ୍କା ହଡପ୍ କରାଯାଇଛି । ଏଥିରେ ବ୍ୟାପକ ପିସି କାରବାର ହୋଇଛି ଏବଂ ବହୁ ବଡବଡିଆଙ୍କ ସଂପୃକ୍ତି ରହିଛି ।
ଯଦି ୨ଟି ଜିଲ୍ଲାରେ ୧ ବିଭାଗରେ ୨ଟି ସଂସ୍ଥା ଜରିଆରେ ଏଭଳି ହରିଲୁଟ୍ କରାଯାଇଛି, ତାହେଲେ ରାଜ୍ୟବ୍ୟାପୀ ସମସ୍ତ ବିଭାଗକୁ ମିଶାଇଲେ ଏହି ପରିମାଣ କେତେ ଯେ ହେବ, ତାହା ପରିକଳ୍ପନା ବାହାରେ । ଏଭଳି କଳା କାରନାମା ରାଜ୍ୟରେ ଚାଲିଛି ଏବଂ ସଠିକ୍ ତଦନ୍ତ ହେଲେ ବହୁ ସତ୍ୟ ସାମ୍ନାକୁ ଆସିବ । ଗରିବ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ପାଇଁ ଆସୁଥିବା ମେଧାବୃତି ଟଙ୍କାକୁ ହଡପ୍ କରି ତାଙ୍କ ଭବିଷ୍ୟତ ସହ ଖେଳୁଥିବା ବିଜେଡି ସରକାରର ଆଭିମୁଖ୍ୟ ଅତ୍ୟନ୍ତ ଘୃଣ୍ୟ।
ଏହା ବିରୁଦ୍ଧରେ ଯୁବମୋର୍ଚ୍ଚା ଆଜି ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲା ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ। ଏବଂ ରାଜ୍ୟ ସରକାରଙ୍କ ଏହି ଯୁବକ ବିରୋଧୀ ମାନସିକତା ଅସଲମୁଖାକୁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ତଳ ସ୍ଥରକୁ ନେବେ ବୋଲି ଶ୍ରୀମାନ ଅଭିଳାଷ ପଣ୍ଡା କହିଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟ ସଭାପତିଙ୍କ ସହ ରାଜ୍ୟ ସଂପାଦକ ଜୀବନ ରାଉତ, ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ବାଳ,ରାଜ୍ୟ ଗଣମାଧ୍ୟମ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା, ଭୁବନେଶ୍ୱର ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ, ସାଧାରଣ ସଂପାଦକ ଜ୍ଞାନ ରଞ୍ଜନ ମହାନ୍ତି, ଏବଂ ଯୁବମୋର୍ଚ୍ଚାର ଅନ୍ୟାନ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।
ଏହି ପ୍ରେସ୍ ବିଜ୍ଞପ୍ତି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରାଙ୍କ ଦ୍ଵାରା ପ୍ରକାଶିତ