ମନ୍ଦିରରୁ ସିରିଜ ଚୋରି,୩ ଠାକୁରାଣୀଙ୍କ ଲକ୍ଷାଧିକ ଟଙ୍କା ଅଳଙ୍କାର ଲୁଟ
ମନ୍ଦିରରୁ ସିରିଜ ଚୋରି,୩ ଠାକୁରାଣୀଙ୍କ ଲକ୍ଷାଧିକ ଟଙ୍କା ଅଳଙ୍କାର ଲୁଟ :
ଭୋଗରାଇ, ଭୋଗରାଇ ବ୍ଲକର କମର୍ଦ୍ଦା ଥାନା ଅଞ୍ଚଳରେ ଥିବା ତିନୋଟି ଦେବୀ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଗାଁରେ ଥିବା ୩ ଠାକୁରାଣୀଙ୍କ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି। କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଚୋରଙ୍କ ସନ୍ଧାନ ମିଳିନଥିବା ପୁଲିସ ସୂତ୍ରରୁ ଜଣାପଡିଛି।
ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ମହାଗବ ପଞ୍ଚାୟତ ଅନ୍ତର୍ଗତ ବାସୁଳିପାଟ ଗ୍ରାମର ମାଁ ବାଶୁଳୀ ଠାକୁରାଣୀଙ୍କ ମନ୍ଦିର, ମହାଗବ ଗ୍ରାମର ମାଁ ମଙ୍ଗଳା ମନ୍ଦିର ଓ ଚାନ୍ଦକୁସୁମି ଗ୍ରାମର ମାଁ ତାରିଣୀ ଠାକୁରାଣୀଙ୍କ ମନ୍ଦିରର ତାଲା କାଟି ଠାକୁରାଣୀଙ୍କ ମୂର୍ତ୍ତିରେ ଥିବା ସମସ୍ତ ସୁନା ଓ ରୂପା ଅଳଙ୍କାର, ଆଖି , ପାଦୁକା ଆଦି ଖୋଲି ନେବା ସହିତ ମନ୍ଦିରର ପୂଜା ଉପକରଣ ଓ ଆସବାବପତ୍ର ଚୋରି ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ରବିବାର ସକାଳେ ଏହି ମନ୍ଦିର ଗୁଡିକର କବାଟ ମେଲା ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ପରେ ମନ୍ଦିରରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ କମର୍ଦ୍ଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଚୋରଙ୍କ କୈାଣସି ସନ୍ଧାନ ମିଳିପାରି ନାହିଁ। ସୂଚନା ଯୋଗ୍ୟ,ଭୋଗରାଇ ଅଞ୍ଚଳରେ ଦିନକୁ ଦିନ ଚୋରି,ଡକାୟତି,ଲୁଟ ଓ ଛିନତାଇ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବ୍ୟାଙ୍କ,ଜୁଏଲାରୀ,ଗହଣା ଦୋକାନ,ମନ୍ଦିର,ଘର ଆଦିର ଲୁହା ସଟର,ଗ୍ରୀଲ ଗେଟ ଓ ତାଲା ଗ୍ୟାସ କଟରରେ କାଟି ଚୋରି ହେବା ଏବେ ନିତିଦିନିଆ ଘଟଣା ପାଲଟିଛି। ଏହି ସମସ୍ତ ଚୋରି ଘଟଣାରେ ଚୋର ମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇପାରୁ ନାହିଁ। କେତେକ କ୍ଷେତ୍ରରେ ପୁଲିସ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ଲୋକଙ୍କ ଧନଜୀବନ ଅସୁରକ୍ଷିତ ହୋଇପଡିଥିଲ ବେଳେ ଗ୍ରାମାଞ୍ଚଳରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହୋଇଛି।