ପଶ୍ଚିମ ଓଡ଼ିଶାବାସୀଙ୍କୁ ପବିତ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପିସିସି ସଭାପତି
ପଶ୍ଚିମ ଓଡ଼ିଶାବାସୀଙ୍କୁ ପବିତ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପିସିସି ସଭାପତି
ଭୁବନେଶ୍ୱର ତା. ୧୮.୯ – ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଚଳିତ ମାସ ୨୦ ତାରିଖ ଦିନ ପାଳନ ହେବାକୁ ଯାଉଅଛି । ଏହି ଦିନ ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣ ନବାନ୍ନ ଭକ୍ଷଣ କରିଥାନ୍ତି ଓ ଇଷ୍ଟପୂଜନ କରିଥାନ୍ତି । ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି ଓ ମା ସମଲେଇଙ୍କ ନିକଟରେ ସେମାନଙ୍କର ସୁଖ ସମୃଦ୍ଧି ପ୍ରାର୍ଥନା କରିଛନ୍ତି । ସାଧାରଣତଃ ପ୍ରତିବର୍ଷ ପ୍ରଥମ ଦିନ ନୂଆଁଖାଇ ଓ ପରଦିନ ନୂଆଁଖାଇ ଭେଟ୍ଘାଟ୍ ସହିତ ଏହିଭଳି ତିନିଦିନ ଧରି ପଶ୍ଚିମ ଓଡ଼ିଶାବାସୀ ମାନେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନାର ସହ ଏହି ପର୍ବକୁ ପାଳନ କରିଥାନ୍ତି । ଏବର୍ଷ ଚଳିତ ମାସ ୨୧ ତାରିଖ ଦିନ ବାଚସ୍ପତି ନିର୍ବାଚନ ପାଇଁ ସରକାର ଦିନ ଧାର୍ଯ୍ୟ କରିଥିଲେ ଏବଂ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ । ଏଠାରେ ସ୍ମରଣଯୋଗ୍ୟ ଯେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ତିନିଦିନ ସରକାର ଛୁଟି ଘୋଷଣା କରନ୍ତୁ ବୋଲି ପୂର୍ବରୁ ଦାବି କରିଥିଲେ । ନଚେତ କଂଗ୍ରେସ ବିଧାୟକମାନେ ବାଚସ୍ପତି ନିର୍ବାଚନରେ ଯୋଗଦେଇ ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ପରବର୍ତୀ ଅବସ୍ଥାରେ ରାଜ୍ୟ ସରକାର ଏହାକୁ ବିଚାରକୁ ନେଇ ଦୁଇଦିନ ଛୁଟି ଘୋଷଣା କରିଛନ୍ତି ଏବଂ ବାଚସ୍ପତି ନିର୍ବାଚନକୁ ୨୨ ତାରିଖକୁ ଘୁଂଚାଇଛନ୍ତି ।