ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ।।
ଦକ୍ଷିଣ ଓଡ଼ିଶାରେ ଜନ ଆନ୍ଦୋଳନ ଉପରେ ପୋଲିସ୍ ଅତ୍ୟାଚାର ଓ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ।।
ଭୁବନେଶ୍ୱର, ତା୧୪/୦୯/୨୩: ଦକ୍ଷିଣ ଓଡିଶାରେ ଜୀବନ-ଜୀବିକା ଓ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ଚାଲିଥିବା ଗଣତାନ୍ତ୍ରିକ ଜନ ଆନ୍ଦୋଳନ ଉପରେ ସରକାର ତଥା ପୋଲିସର ଦମନଲୀଳା ଓ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପୋଲିସ୍ ଅପହରଣ ଘଟଣାର ତଦନ୍ତ ପାଇଁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲ୍ ଙ୍କୁ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ପ୍ରତିନିଧି ଦଳରେ ଲୋହିଆ ଏକାଡେମୀର ସଂପାଦକ ଦେବରାୟ ମହାପାତ୍ର, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଂପାଦକ ଜୟନ୍ତ କୁମାର ଦାସ, ଇନସାଫ୍ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଓ ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ପ୍ରମୁଖ ସାମିଲ୍ ହୋଇଥିଲେ ।।
ପ୍ରତିନିଧି ମଣ୍ଡଳୀ ପକ୍ଷରୁ ନରେନ୍ଦ୍ର ମହାନ୍ତି ରାଜ୍ୟପାଳଙ୍କୁ ସମଗ୍ର ଦକ୍ଷିଣ ଓଡିଶାରେ ଚାଲିଥିବା ଜନବିରୋଧୀ ବିକାଶ ନୀତି ତଥା ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ଉପରେ ପୋଲିସ୍ ତଥା ସରକାରଙ୍କ ଦମନଲୀଳା ସଂପର୍କରେ ଅବଗତ କରାଇବା ସହିତ ସେମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସଂହତି ଜଣାଇବା ପାଇଁ ୨୯ ଅଗଷ୍ଟରେ ରାୟଗଡ଼ା ଯାଇଥିବା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ କିପରି ସାଧା ପୋଷାକଧାରୀ ପୋଲିସ୍ ଅପହରଣ କରିଥିଲା, ସେ ସଂପର୍କରେ ସୂଚନା ଦେଇଥିଲେ । ଆଇନର ଶାସନକୁ ଭୃକ୍ଷେପ ନକରି ସ୍ଥାନୀୟ ପୋଲିସ୍ ଓ ପ୍ରଶାସନ କିପରି କର୍ପୋରେଟ୍ ମାନଙ୍କ ସ୍ୱାର୍ଥରେ ଗୁଣ୍ଡା ଭଳି ଆଚରଣ କରୁଛନ୍ତି ଓ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଅମାନବୀୟ ଭାବେ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ କରୁଛନ୍ତି, ତାହା ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ।
ସାମ୍ବିଧାନିକ ମୂଖ୍ୟ ତଥା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ଶାସନ ଦାୟିତ୍ୱ ତଦାରଖ କରିବାର କ୍ଷମତା ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ କରାଯାଇଥିବାରୁ ସେ ତାଙ୍କର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ଯଦି ପ୍ରଫୁଲ୍ଲ ସାମନ୍ତରାଙ୍କୁ ପୋଲିସ୍ ଏଭଳି ବ୍ୟବହାର କରେ ତେବେ ସ୍ଥାନୀୟ ସ୍ତରରେ ନିଜ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ସାଧାରଣ ଲୋକ ମାନବାଧିକାର କର୍ମୀଙ୍କ ଅବସ୍ଥା କ’ଣ ହେଉଥିବ ତାହା ଅନୁଧ୍ୟାନ କରିବାକୁ ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା ପରେ ରାଜ୍ୟପାଳ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଡକାଇ ତୁରନ୍ତ ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକ ଓ ରାୟଗଡ଼ା ଜିଲ୍ଲା ପୋଲିସ୍ ଆରକ୍ଷୀ ଅଧିକ୍ଷକ ଜରିଆରେ ଘଟଣାର ତଦନ୍ତ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।