ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ‘
ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ‘ସ୍ୱୟଂ ମୁଖ୍ୟମନ୍ତ୍ରୀ’ : ମନୋଜ ମହାପାତ୍ର
“ଓଡ଼ିଶାରେ ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି”
ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ରାଜ୍ୟ ଭିଜିଲାନସକୁ ଚାର୍ଜସିଟ ଫାଇଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମତି ଦରକାର ନାହିଁ
ରାଜ୍ୟ ଶାସନ ବ୍ୟବସ୍ଥାରେ ‘୨୨୭ଜଣ ଆଇଏଏସ୍ ଓ ଓଏଏସ୍’, ଯେଉଁମାନଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ରାଜ୍ୟ ଭିଜିଲାନ୍ସ ଧରିଛି
ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି ସହନଶୀଳତା ‘ନା’ ଦୁର୍ନୀତି ପ୍ରତି ସୁରକ୍ଷା କବଚ ତାହା ରାଜ୍ୟବାସୀ ବିଚାର କରିବେ
ମୁଖ୍ୟମନ୍ତ୍ରୀ ଆଲିବାବା ଚାଲିଶ୍ ଚୋର ନୀତିରେ ଚାଲିଛନ୍ତି
ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା କରିବାର ସାମର୍ଥ୍ୟ ନାହିଁ କିମ୍ବା ଜାଣିଶୁଣି ମୁଖ୍ୟମନ୍ତ୍ରୀ ସେହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ମଞ୍ଜୁରୀ ଦେଉନାହାନ୍ତି !
ପ୍ରଶାସନିକ ଅଫିସରଙ୍କୁ ବୋଧହୁଏ ଅଲିଖିତ ନିର୍ଦ୍ଦେଶ ଅଛି “ଦୁର୍ନୀତି କର ସୁରକ୍ଷା ପାଇବ”
ଭୁବନେଶ୍ୱର, ତା.୧୪/୦୯: ରାଜ୍ୟ ସରକାରଙ୍କ “ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା”(ଜିରୋ ଟଲରେନ୍ସ୍ ଫର୍ କରପସନ୍)ର କେବଳ ପ୍ରଚାର ଚାଲିଛି କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ, ବରଂ ଦୁର୍ନୀତଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେବାରେ ମୁଖ୍ୟମନ୍ତ୍ରୀ ଓ ଆମ ରାଜ୍ୟ ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି । ପ୍ରାୟ ପ୍ରତିଦିନ ଭିଜିଲାନ୍ସ ବିଭିନ୍ନ ସରକାରୀ ଅଫିସର ଓ କର୍ମଚାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଉଛି । ଛୋଟ ଛୋଟ କର୍ମଚାରୀ ବିରୁଦ୍ଧରେ ଦଣ୍ଡବିଧାନ ହେଉଛି କିନ୍ତୁ ବଡ ଅଫିସରଙ୍କ ବିରୋଧରେ ଦଣ୍ଡବିଧାନ ଲାଗୁ ହେଉନାହିଁ । ସାଧାରଣ ଲୋକ ବି ଭାବୁଥାଇ ପାରନ୍ତି ଯେ, ଭିଜିଲାନ୍ସ ଚଢ଼ାଉ କରୁଛି, ନବୀନ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ; କିନ୍ତୁ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ୍ ଫାଇଲ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଜୁରୀ ମାଗିବାକୁ ଗଲେ ନବୀନଙ୍କ ଅସଲ ରୂପ ଜଣାପଡୁଛି । ବିଭାଗୀୟ ଅନୁମତି ସତ୍ୱେ ବର୍ଷ ବର୍ଷ ଧରି ଫାଇଲ ପଡିରହୁଛି । ସେଥିପାଇଁ ଦୁର୍ନୀତିଗ୍ରସ୍ତ ବାବୁମାନେ ଆରାମରେ ବୁଲୁଛନ୍ତି । ସେମାନେ ଜାଣନ୍ତି ଭିଜିଲାନ୍ସ ମକଦ୍ଦମା କଲେ ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମତି ମିଳିବ ନାହିଁ । ଏହା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି ସହନଶୀଳତା ନା ଦୁର୍ନୀତି ପ୍ରତି ସୁରକ୍ଷା କବଚ ? ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ସ୍ୱୟଂ ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟଙ୍କ ଏକ ୫ଜଣିଆ ଖଣ୍ଡପୀଠ, ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଏକ ଐତିହାସିକ ରାୟ ଦେଇଛନ୍ତି । ମାନ୍ୟବର କୋର୍ଟଙ୍କ ଆଦେଶ ମୁତାବକ ୨୦୦୩ ମସିହାରୁ ଅଦ୍ୟାବଧି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୌଣସି ସରକାରୀ ମନ୍ତ୍ରଣାଳୟ ବା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ଆବଶ୍ୟକତା ନାହିଁ । ସେହି ଅନୁଯାୟୀ ଓଡ଼ିଶାରେ ୨୨୭ଜଣ ଆଇଏଏସ୍ ଓ ଓଏଏସ୍ ଯେଉଁମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ରାଜ୍ୟ ଭିଜିଲାନ୍ସ ଧରିଛି ଓ ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମଗାଯାଇଛି, ବର୍ତମାନ ମାନ୍ୟବର କୋର୍ଟଙ୍କ ଆଦେଶ ଫଳରେ ଏବେ ମଞ୍ଜୁରୀର ଆବଶ୍ୟକତା ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀ ନିଜର ଆତ୍ମଘୋଷିତ ସ୍ୱଚ୍ଛ ଚେହେରାର ଖୋଳପା ପିନ୍ଧି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସୁରକ୍ଷା ଦେଇ ବିଭିନ୍ନ ବେଆଇନ କାମରେ ଲଗାଉଥିଲେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଚେହେରା ଲୋକ ଲୋଚନକୁ ଆସିଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ ମଞ୍ଜୁରୀ ପ୍ରାପ୍ତିର ଆବଶ୍ୟକତା ନାହିଁ ଓ ରାଜ୍ୟ ଭିଜିଲାନ୍ସ ୨୦୦୩ ମସିହାରୁ ଅତ୍ୟାବଧି ଦୁର୍ନୀତି ଲିପ୍ତ ଅଦ୍ୟାବଧି ସମସ୍ତ ଅଫିସରଙ୍କ ବିରୋଧରେ ତୁରନ୍ତ ଚାର୍ଜସିଟ୍ ଫାଇଲ କରି ଦଣ୍ଡବିଧାନ କରିବା ପାଇଁ ନିଦ୍ଦେଶ ଦିଅନ୍ତୁ ।
ରାଜ୍ୟରେ ପ୍ରଶାସନିକ ଅଧିକାରୀ ସର୍ବେସବା । “ଓଡ଼ିଶାରେ ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି” । ବିଛାଖଣ୍ଡି ଓ ଡଙ୍କାରୀ ପାହାଡ ଲୁଟ୍ ଘଟଣାକୁ ଉଦାହରଣଭାବେ ନିଆଯାଉ । ଏହି ଲୁଟ୍ ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା? ସଂପୃକ୍ତ ତତ୍କାଳୀନ ଜିଲ୍ଲାପାଳ ଏବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ । ଯିଏ ଅଭିଯୋଗ କରିଥିଲେ ତାଙ୍କୁ ଜେଲ୍ରେ ପୁରାଇଥିବା ତହସିଲଦାର ବର୍ତମାନ ‘ପ୍ରାଇମ ପୋଷ୍ଟ’ରେ । ପ୍ରଶାସନିକ ଅଫିସରଙ୍କୁ ବୋଧହୁଏ ଅଲିଖିତ ନିର୍ଦ୍ଦେଶ ଅଛି ‘ଦୁର୍ନୀତି କର ସୁରକ୍ଷା ପାଇବ’; ‘ବିରୋଧୀଙ୍କୁ ସାବାଡ କର, ଦୁଧିଆଳି ପଦବୀରେ ଅବସ୍ଥାପିତ ହେବ’ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନିୟମ ଅନୁସାରେ ଭିଜିଲାନ୍ସ ତଦନ୍ତ କରି ଚାର୍ଜସିଟ୍ର ନକଲ ସହ ମଞ୍ଜୁରୀ ଆବେଦନ ପତ୍ର ଚିଫ୍ ସେକ୍ରେଟାରୀଙ୍କୁ ଦିଆଯିବ । ଚିଫ୍ ସେକ୍ରେଟାରୀ ସେ ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦ ଲଫାପାରେ ଦେବେ, ସେଭଳି ବହୁ ବନ୍ଦ ଲଫାପା ମୁଖ୍ୟମନ୍ତ୍ରୀ ଚାପିକି ରଖିଛନ୍ତି । ସେ ବନ୍ଦ ଲଫାପା ଉପରେ ଭିଜିଲାନ୍ସ ତରଫରୁ ଦିଆଯାଉଥିବା ତଥ୍ୟ ପ୍ରମାଣ ସମୀକ୍ଷା କରି ମଞ୍ଜୁରୀ ଦେବା କଥା । ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା କରିବାର ସାମର୍ଥ୍ୟ ନାହିଁ କିମ୍ବା ଜାଣିଶୁଣି ମୁଖ୍ୟମନ୍ତ୍ରୀ ସେହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ମଞ୍ଜୁରୀ ଦେଉନାହାନ୍ତି । ମୁଖ୍ୟମନ୍ତ୍ରୀ ଆଲିବାବା ଚାଲିଶ୍ ଚୋର ନୀତିରେ ଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
୨୨ଜଣ ଆଇଏଏସ୍ ମଧ୍ୟରୁ କେବଳ ବିନୋଦ କୁମାରଙ୍କୁ ଛାଡିଦେଲେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ୨୨୭ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ବିଭାଗୀୟ ମଞ୍ଜୁରୀ ମିଳିନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)