ଜୀବନ-ଜୀବିକା ଓ ପ୍ରକୃତିର ସୁରକ୍ଷା ପାଇଁ ଜନସାଧାରଣଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନ ଉପରେ ସରକାରୀ ଦମନ ନିନ୍ଦନୀୟ
ଜୀବନ-ଜୀବିକା ଓ ପ୍ରକୃତିର ସୁରକ୍ଷା ପାଇଁ ଜନସାଧାରଣଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନ ଉପରେ ସରକାରୀ ଦମନ ନିନ୍ଦନୀୟ ଓ ସାମ୍ବିଧାନିକ ମୂଲ୍ୟବୋଧର ପରିପନ୍ଥୀ ।
ଭୁବନେଶ୍ୱର, ତା୧୩/୦୯/୨୩:ଗତ ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଅନୁସୂଚିତ ଅଞ୍ଚଳରେ ବକ୍ସାଇଟ ଖଣି ଖନନରୁ ନିଜର ଜୀବନଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ସ୍ଥାନୀୟ ତଫସିଲଭୁକ୍ତ ଜାତି ଓ ଜନଜାତି ସମୁଦାୟ ତଥା ସେମାନଙ୍କୁ ସଂହତି ଓ ସମର୍ଥନ ଜଣାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଯେଉଁ ଭଳି ରାଷ୍ଟ୍ର ଦମନ ଚାଲିଛି, ତାହାକୁ ଭୁବନେଶ୍ବରର ବହୁ ସଚେତନ ଆଇନଜୀବୀ ମାନେ ଏକ ପ୍ରେସ୍ ବିବୃତି ଜରିଆରେ ନିନ୍ଦା କରିଛନ୍ତି । ଏପରି ଘଟଣା କେବଳ ସାମ୍ୱିଧାନିକ ମୂଲ୍ୟବୋଧର ପରପନ୍ଥୀ ନୁହେଁ, ଏପରିକି ଆଇନର ଶାସନକୁ ମଧ୍ୟ ପରିହାସ ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ଗଣତାନ୍ତ୍ରିକ ସମ୍ୱିଧାନର ଛାତ୍ର ଭାବେ ଏହା ସେମାନଙ୍କ ପାଇଁ ଗଭୀର ଉଦ୍ବେଗର ବିଷୟ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଏ ପ୍ରସଙ୍ଗରେ ସେମାନେ “ଆଇନର ଶାସନ ସମ୍ପଦ ଓ କ୍ଷମତାର ଅସମ ବଣ୍ଟନକୁ ବିଲୋପ କରେ ନାହିଁ, ବରଂ ଆଇନର କର୍ତ୍ତୃତ୍ୱକୁ ଉପଯୋଗ କରି ସେହି ଅସମାନତାକୁ ଦୃଢ଼ିଭୂତ କରେ । ଏହା ସମ୍ପଦ ଓ ଦାରିଦ୍ର୍ୟର ଆବଣ୍ଟନ ଏପରି ପରୋକ୍ଷ ଓ ଜଟିଳ ଢଙ୍ଗରେ କରେ ଯେ ଏହାର ଶିକାର ହେଉଥିବା ମଣିଷ ସେଥିରେ ହତବୁଦ୍ଧି ହୋଇଯାଏ” ବୋଲି ହାଓ୍ୱାର୍ଡ ଜିନ୍ ଙ୍କ ଉକ୍ତିକୁ ଉଦ୍ଧୃତି କରିଛନ୍ତି ।
ନିୟମଗିରି ସୁରକ୍ଷା ସମିତିର ନେତା, କର୍ମୀ ଓ ସମର୍ଥକଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ “ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ୍” (ୟୁ.ଏ.ପି.ଏ)ର ବିଭିନ୍ନ କଠୋର ଦଫାମାନ ଲଗାଯାଇଛି । ସେଥିମଧ୍ୟରୁ ଜଣକୁ ପୁଲିସ ଅପହରଣ କରିନେଇ ବେଆଇନ ଭାବେ ଅଟକ ରଖି ଶାରୀରିକ ନିର୍ଯ୍ୟାତନା ଦେବାପରେ ଗିରଫ ବୋଲି ଦର୍ଶାଇଛି ଏବଂ ଜେଲ ପଠେଇ ଦେଇଛି । ସେହିପରି କାଶୀପୁର ଓ ଥୁଆମୁଳ ରାମପୁର ବ୍ଲକର ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜିଂମାଳି ଅଞ୍ଚଳରେ ଗାଁମାନଙ୍କରେ ରାତିଅଧିଆ ଚଢ଼ଉ କରି ଅଦ୍ୟାବଧି ୨୩ଜଣଙ୍କୁ ତଥା କୋଡ଼ିଙ୍ଗା ମାଳି ଅଞ୍ଚଳର ଜଣେ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଛି । ନିଜର ଜୀବନଜୀବିକାକୁ ସୁରକ୍ଷିତ ରଖି ମର୍ଯ୍ୟାଦା ସହ ବଞ୍ଚିବା ପାଇଁ କୋୖଣସି ଜନବିରୋଧୀ ଯୋଜନାକୁ ବିରୋଧ କରିବା ଲୋକମାନଙ୍କର ଏକ ମୌଳିକ ଅଧିକାର । ସରକାରଙ୍କ ଖଣି ଆଧାରିତ ବିକାଶ ନୀତିକୁ ଗ୍ରହଣ ନକରୁଥିବା ନିରୀହ ଗ୍ରାମବାସୀଙ୍କୁ ଛଳ, କପଟ, ପ୍ରଲୋଭନ ମାଧ୍ୟମରେ ବଶ କରିବା ପାଇଁ ଚେଷ୍ଟା କରାଯାଉଛି । ଯେଉଁମାନେ ସେଥିରେ ଅସହମତି ବ୍ୟକ୍ତ କରୁଛନ୍ତି, ପୁଲିସ ବଳ ଲଗାଇ ସେମାନଙ୍କ ସହମତି ହାସଲ କରିବା ପାଇଁ ଉଦ୍ୟମ କରାଯାଉଛି, ଯାହାକି ଅସହମତିର ଅପରାଧିକରଣ ବୋଲି ସେମାନେ ଉଲ୍ଲେଖ କରିଛନ୍ତି ।
ଆହୁରି ଉଦ୍ବେଗର ବିଷୟ ଏହି ଯେ ଲୋକମାନଙ୍କୁ ଆଇନଗତ ସହାୟତା ଦେବାକୁ ଯାଇଥିବା ତଥା ସାମ୍ୱାଦିକ ସମ୍ମିଳନୀ କରି ସରକାର, ପୁଲିସ ଓ କମ୍ପାନୀର କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରୁଥିବା ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡ଼ାରୁ ଯେ ଭଳି ଢଙ୍ଗରେ ତାଙ୍କ ହାତ ମୁହଁ ବାନ୍ଧି ହୋଟେଲରୁ ଅପହରଣ କରି ନିଆଯାଇ ତାଙ୍କୁ ତାଙ୍କ ଘରେ ଛାଡ଼ି ଦିଆଗଲା, ସେ ଭଳି ଘଟଣା ସହ ପୋଲିସର ସମ୍ପୃକ୍ତି ରହିଛି ବୋଲି ସେମାନେ ଦୃଢ଼ ବିଶ୍ୱାସ କରୁଛନ୍ତି । ସେମାନଙ୍କ ମତରେ ଶୃଙ୍ଖଳିତ ପୁଲିସ ବାହିନୀକୁ ସାଧାରଣ ଗୁଣ୍ଡା ଭଳି ବ୍ୟବହାର କରିବାର ଅର୍ଥ ହେଉଛି ଯେ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରମଶଃ ପୁଲିସ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି ।
ସେମାନେ ଏହା ମଧ୍ୟ ଅନୁଭବ କରିଛନ୍ତି ଯେ ସ୍ଥାନୀୟ ଜନସାଧାରଣ ମାଳି, ପାହାଡ଼, ଝରଣା ଓ ନଦୀକୁ ସୁରକ୍ଷିତ ରଖିବା ମାଧ୍ୟମରେ କେବଳ ଆପଣାର ଜୀବନଜୀବିକାକୁ ସୁରକ୍ଷିତ ରଖୁ ନାହାନ୍ତି, ପ୍ରାକୃତିକ ପରିବେଶ ଓ ପରିବେଷ୍ଟନୀକୁ ସୁରକ୍ଷିତ ରଖିବା ସହ ସେ ଭଳି ସମୂହ ସମ୍ପଦକୁ ମଧ୍ୟ ଭବିଷ୍ୟତ ବଂଶଧର ପାଇଁ ସାଇତି ରଖୁଛନ୍ତି । ଆଜି ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ସଙ୍କଟ ଉଭା ହୋଇଛି ଏବଂ ପ୍ରାକୃତିକ ପରିବେଶ ଓ ପରିବେଷ୍ଠନୀକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ପ୍ରଚେଷ୍ଟା ଚାଲିଛି, ସେହି ଦୃଷ୍ଟିରୁ ସ୍ଥାନୀୟ ଜନସାଧାରଣଙ୍କ ଏହି ଉଦ୍ୟମ ସହିତ ସେମାନେ ଏକମତ ହୋଇ ସାମ୍ୱିଧାନିକ ମୌଳିକ ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସେମାନେ
ଦମନମୂଳକ ବିକାଶ ପରିବର୍ତ୍ତେ ଲୋକଙ୍କ ଜୀବନ ଓ ସଂସ୍କୃତି ସହ ଖାପ ଖାଉଥିବା ଏକ ମର୍ଯ୍ୟାଦାସମ୍ମତ ବିକାଶ ନୀତିକୁ ଲୋକଙ୍କ ସହମତି ଭିତ୍ତିରେ ପ୍ରଣୟନ କରାଯାଇ ପୁଲିସ ଦମନ ତୁରନ୍ତ ବନ୍ଦ କରିବା,
ବିକାଶ ନାଁରେ ସ୍ଥାନୀୟ ପରିବେଶ ଓ ପରିବେଷ୍ଟନୀକୁ ଧ୍ୱଂସ କରା ନଯାଉ ବୋଲି ଦାବି କରିଛନ୍ତି । ଏହି ପ୍ରେସ୍ ବିବୃତିରେ ଭୁବନେଶ୍ୱର ବାର୍ ର ଆଇନଜୀବୀ ସର୍ବଶ୍ରୀ ହୃଦାନନ୍ଦ ରାଉତରାୟ, ଧନେଶ୍ୱର ମହାନ୍ତି, ମଧୁମାଧବ ଜେନା, ଧନୁର୍ଦ୍ଧର ସୁନ୍ଦରରାୟ, ବନ୍ଦିତା ରଥ, ବିଭୁତି ପଟ୍ଟନାୟକ, ଉମାକାନ୍ତ ପଟ୍ଟନାୟକ, ପ୍ରଦୀପ ଦାସ ମହାପାତ୍ର, ସୁକାନ୍ତ ବେହେରା, ଶୀର୍ଷେନ୍ଦୁ ପ୍ରସାଦ ରାଉତ, ସୂକେଶୀ ମହାରଣା, ଦୁଃଖିଶ୍ୟାମ ଦାସ, ବିନୋଦ ସାହୁ, ମୃଗାଙ୍କ ପଟ୍ଟନାୟକ, ସୁଧୀର ଦାସ, ଭାସ୍କର ମହାରଣା, ବିଜୟ ପଣ୍ଡା, ଅକ୍ଷୟ ନନ୍ଦ, ଗୋଲଖ ପ୍ରସାଦ ନାୟକ, ସୁଭାଶୀଷ ପଣ୍ଡା, ବିଶ୍ୱପ୍ରୀୟ କାନୁନଗୋ ପ୍ରମୁଖ ସ୍ୱାକ୍ଷର କରିଛନ୍ତି ।
ପ୍ରସ୍ତୁତି : ନରେନ୍ଦ୍ର ମହାନ୍ତି,