ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ – ଧର୍ମେନ୍ଦ୍ର ପ୍ରଧାନ
ଉତ୍ତରାଖଣ୍ଡ ଗସ୍ତରେ କେନ୍ଦ୍ରମନ୍ତ୍ରୀ
ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ – ଧର୍ମେନ୍ଦ୍ର ପ୍ରଧାନ
• ବିଦ୍ୟା ସମୀକ୍ଷା କେନ୍ଦ୍ର ଲୋକାର୍ପଣ କରିବା ସହ 141ଟି ପିଏମ ଶ୍ରୀ ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟର କଲେ ଶିଳାନ୍ୟାସ
• ପ୍ରଯୁକ୍ତି ବିଦ୍ୟା ଆଧାରିତ ଆଧୁନିକ ଡାଟା ଡ୍ରିଭେନ୍ ମଡେଲ ଓ ବିଦ୍ୟା ସମୀକ୍ଷା କେନ୍ଦ୍ର; ଉତ୍ତରାଖଣ୍ଡର ଥିବା 23 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ
• ଜାତୀୟ ଶିକ୍ଷାଶନୀତି ଆଧାରରେ ପିଏମ ଶ୍ରୀ ବିଦ୍ୟାଳୟର ଶିଳାନ୍ୟାସ ଓ ମେଧାବୀ ଛାତ୍ର ବୃତ୍ତି ଏବଂ ରାଜ୍ୟରେ ଗବେଷଣାକୁ ପ୍ରୋତ୍ସାହିତ କରିବ
• ୟୁପିଏସ ବିଶ୍ବବିଦ୍ୟାଳୟରେ ବିକଶିତ ଭାରତ 2047 ଶୀର୍ଷକ ଅମୃତ କାଳ ବିମର୍ଷ ଆଲୋଚନା ଚକ୍ରରେ ଯୋଗଦାନ
• ବିଶ୍ୱରେ ଶାନ୍ତି, ଅହିଂସା, ସ୍ୱାଧୀନତା, ଗଣତନ୍ତ୍ର ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଉଛି, ଏହାର ଜନନାୟକ ହେଉଛନ୍ତି ମହାତ୍ମା ଗାନ୍ଧୀ
ଦେହେରାଦୁନ / ଭୁବନେଶ୍ୱର : ସେପ୍ଟେମ୍ବର 12, ଭାରତ ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଓ ବସୁଧୈବ କୁଟୁମ୍ବକମ୍ ରେ ବିଶ୍ୱାସ କରେ ବୋଲି ଉତ୍ତରାଖଣ୍ଡର ଦେହେରାଦୁନରେ ୟୁପି. ଇ. ଏସ. ବିଶ୍ୱବିଦ୍ୟାଳୟର “ବିକଶିତ ଭାରତ 2047” ଶୀର୍ଷକ ଅମୃତ କାଳ ବିମର୍ଷ ଆଲୋଚନାରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ଧାମୀ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେହେରାଦୁନ ଠାରେ ବିଦ୍ୟା ସମୀକ୍ଷା କେନ୍ଦ୍ର ଲୋକାର୍ପଣ କରିବା ସହ ପିଏମ ଶ୍ରୀ ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି I ଏହାସହ ମେଧାବୀ ଛାତ୍ର ବୃତ୍ତି ମଧ୍ୟ ଶୁଭାରମ୍ଭ କରିଛନ୍ତି I
ଏହି ଅବସରରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଧୁନିକ ଡାଟା ଡ୍ରିଭେନ୍ ମଡେଲ ଓ ବିଦ୍ୟା ସମୀକ୍ଷା କେନ୍ଦ୍ର; ଉତ୍ତରାଖଣ୍ଡର ଥିବା 23 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବା ଦିଗରେ ଏକ ପ୍ରଭାବଶାଳୀ ପଦକ୍ଷେପ ହେବ I
ଏହି କେନ୍ଦ୍ର ମାଧ୍ୟମରେ ରାଜ୍ୟରେ ଥିବା 22 ହଜାରରୁ ଉର୍ଦ୍ଧ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 23.5 ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ 1 ଲକ୍ଷ 22 ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଟିଏ ପ୍ଲାଟଫର୍ମରେ ଯୋଡି ହେବା ସହ ସମସ୍ତଙ୍କ ତଥ୍ୟ ମଧ୍ୟ ଉପଲବ୍ଧ ରହିବ I ରାଜ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଜଣାପଡିବ I ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ I
ଏକ ବିଂଶ ଶତାବ୍ଦୀରେ ଜ୍ଞାନ ଆଧାରିତ ଅର୍ଥନୀତି ପ୍ରସ୍ତୁତ କରିବା ଦିଗରେ ଜାତୀୟ ଶିକ୍ଷାନୀତି ଏକ ଦାର୍ଶନିକ ତତ୍ୱ I ଜାତୀୟ ଶିକ୍ଷାନୀତି ଆଧାରରେ 141ଟି ପିଏମ ଶ୍ରୀ ବିଦ୍ୟାଳୟର ଶିଳାନ୍ୟାସ ଓ ମେଧାବୀ ଛାତ୍ର ବୃତ୍ତି ଏବଂ ରାଜ୍ୟରେ ଗବେଷଣାକୁ ପ୍ରାତ୍ସାହିତ କରିବା ଦିଗରେ ରାଜ୍ୟ ଗବେଷଣା ବୃତ୍ତି ପାଇଁ ଆର୍ଥିକ ପ୍ରବନ୍ଧନ କରାଯିବା ଉତ୍ତରାଖଣ୍ଡ ସରକାରର ଶିକ୍ଷାର ବିକାଶ ପ୍ରତି ପ୍ରାଥମିକତାକୁ ଦର୍ଶାଉଛି I ଜାତୀୟ ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବା ଦିଗରେ ଉତ୍ତରାଖଣ୍ଡ ଦେଶର ଅନେକ ଅଗ୍ରଣୀ ରାଜ୍ୟ ମଧ୍ୟରେ ରହିଛି I ଦେବଭୂମି ଉତ୍ତରାଖଣ୍ଡର ବିକାଶ ତଥା ଏଠାର ଲୋକଙ୍କ ଉନ୍ନତି ପାଇଁ ମୋଦି ସରକାର ଉତ୍ତରାଖଣ୍ଡର ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ I
ଦେହେରାଦୁନ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ପିଢ଼ିର ଆଶା, ଆକାଂକ୍ଷାକୁ ବୁଝିବାକୁ ହେବ I ଭାରତକୁ ସ୍ୱାଧୀନତାର 76 ବର୍ଷ ପୂରଣ ହୋଇଛି ଏବଂ ବିଶ୍ୱରେ ଶାନ୍ତି, ଅହିଂସା, ସ୍ୱାଧୀନତା, ଗଣତନ୍ତ୍ର ଭଳି ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦିଆଯାଉଛି, ଏହାର ଜନନାୟକ ହେଉଛନ୍ତି ମହାତ୍ମା ଗାନ୍ଧୀ I ନିକଟରେ ଅନୁଷ୍ଠିତ ହୋଇଥିବା ଜି 20 ବୈଠକରେ ଯୋଗ ଦେଇଥିବା ବିଶ୍ୱର ନେତୃବୃନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥଳରେ ଏକତ୍ରିତ ହୋଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱ ଯୋଗୁଁ ହିଁ ସମ୍ଭବ ହୋଇଛି I ପ୍ରଥମଥର ପାଇଁ ଜି 20 ବୈଠକରେ ଆଫ୍ରିକୀୟ ଦେଶ ସମୂହକୁ ସ୍ଥାୟୀ ସଦସ୍ୟରୂପେ ଗ୍ରହଣ କରାଯାଇଥିଲା I ପାଶ୍ଚାତ ଦେଶରେ ପ୍ରତ୍ୟେକ ବିଷୟ ବ୍ୟକ୍ତି କେନ୍ଦ୍ରିତ ଥିଲାବେଳେ ଭାରତରେ ପ୍ରତ୍ୟେକ କାର୍ଯ୍ୟ ସର୍ବସ୍ପର୍ଶୀ ହୋଇଥାଏ ଓ ଭାରତ ବସୁଧୈବ କୁଟୁମ୍ବକମରେ ବିଶ୍ୱାସ କରେ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି I