ଜି-୨୦ ରାଷ୍ଟ୍ର ମୂଖ୍ୟ ମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରରେ ନାଗରିକ ପ୍ରତିବାଦ ଓ ପୋଷ୍ଟର ପ୍ରଦର୍ଶନ
ଜି-୨୦ ରାଷ୍ଟ୍ର ମୂଖ୍ୟ ମାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରରେ ନାଗରିକ ପ୍ରତିବାଦ ଓ ପୋଷ୍ଟର ପ୍ରଦର୍ଶନ
ଭୁବନେଶ୍ୱର, ତା ୦୮/୦୯/୨୩: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ରାଷ୍ଟ୍ର ମୂଖ୍ଯ ମାନଙ୍କ ସମ୍ମିଳନୀକୁ ବାର୍ତ୍ତା ଦେବା ପାଇଁ ଆଜି ବିଭିନ୍ନ ନାଗରିକ ସଂଗଠନ ଓ ରାଜନୈତିକ ଗଣ ସଂଗଠନ ମାନଙ୍କ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଓ ବିଭିନ୍ନ ଦାବି ସମ୍ବଳିତ ପ୍ଲାକାଡ୍ ପ୍ରଦର୍ଶନ କରାଯାଇଛି ।
ଏହି ପ୍ରତିବାଦ ତଥା ପ୍ରଦର୍ଶନର ଆୟୋଜକ ପିପୁଲ୍ସ-୨୦ ଓ ଅନ୍ୟମାନଙ୍କ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଏହି ବିବୃତ୍ତିରେ କୁହାଯାଇଛି ଯେ
ରାଜଧାନୀ ଦିଲ୍ଲୀରେ ଯେତେବେଳେ ଭାରତ ଅଧ୍ୟକ୍ଷତାରେ ଜି-୨୦ ରାଷ୍ଟ୍ର ମୂଖ୍ୟ ମାନଙ୍କର ସମ୍ମିଳନୀ ଚାଲିଛି, ସେତେବେଳେ ସେଠାରେ ସାଧାରଣ ଜନତାଙ୍କ ସ୍ୱର ଅପହଞ୍ଚ ଏବଂ
ସେହି ସ୍ୱର କିପରି ସେଠାରେ ପହଞ୍ଚି ନପାରିବ, ସେଥିପାଇଁ ଅଭୁତପୂର୍ବ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି !!
ଶହ ଶହ ଟ୍ରେନ ବାତିଲ କରାଯାଇଛି, ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ମୂଖ୍ୟ ରାସ୍ତାକୁ ସିଲ୍ କରି ଦିଆଯାଇଛି, ଏପରିକି ମେଟ୍ରୋ ଷ୍ଟେସନରେ ଦ୍ବାର ବନ୍ଦ କରି ଦିଆଯାଇଛି । ଅନ୍ୟ ପକ୍ଷରେ ବିଭିନ୍ନ ସଭା ସମିତି ପାଇଁ ଉଦ୍ଦିଷ୍ଟ ସଭାଗୃହ ଗୁଡିକରେ କୈଣସି ସଭା କରିବା ପାଇଁ ଗତ ୨୦ ଅଗଷ୍ଟ ରୁ ଆଗାମୀ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ୍ ତଥା ଭାରତ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି ! ବୁଲଡୋଜର୍ ଲଗେଇ ବହୁ ବସ୍ତି ଭାଂଗି ଦିଆଯାଇଛି !
ଯେତେବେଳେ ଜାତିସଂଘ ସମ୍ମୁଖରେ ଆମେ ଧାରଣା ଦେଇପାରିବାର ସ୍ୱାଧୀନତା ଅଛି, ପ୍ଲାକାଡ୍ ପ୍ରଦର୍ଶନ କରିପାରିବାର ଅଧିକାର ଅଛି, ସେତେବେଳେ ବସୁଧୈବ କୁଟୁମ୍ବକମ୍ କଥା କହୁଥିବା ଓ ନିଜକୁ ଗଣତନ୍ତ୍ରର ଜନନୀ କହୁଥିବା ଭାରତରେ ସେ ସମସ୍ତ ଅଧିକାର ଉପରେ ଆଜି ଡେମୋକ୍ଲିସ୍ ର ଖଣ୍ଡା ଝୁଲୁଛି ! ସାରା ଦେଶରେ ଆର୍.ଏସ୍.ଏସ୍. ବିଜେପି ଓ ମୋଦୀ ସରକାରଙ୍କ ନେତୃତ୍ବରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି ।
ଏହି ପରିସ୍ଥିତିରେ ଜି-୨୦ ରାଷ୍ଟ୍ର ମୂଖ୍ଯ ମାନଙ୍କ ନିକଟରେ ସାଧାରଣ ଜନତାର ସ୍ୱର ପହଞ୍ଚାଇବା ପାଇଁ ଭୁବନେଶ୍ବରରେ ବିଭିନ୍ନ ନାଗରିକ ଅଧିକାର ଓ ଗଣ ସଂଗଠନ କର୍ମୀ ମାନଙ୍କର ବିଭିନ୍ନ ଦାବି ସମ୍ବଳିତ ପୋଷ୍ଟର/ପ୍ଲାକାଡ୍ ପ୍ରଦର୍ଶନ ବ୍ୟତୀତ ଅନ୍ୟ କୋୖଣସି ଉପାୟ ନାହିଁ । ସାମାଜିକ ଗଣମାଧ୍ୟମ, ଟୁଇଟର୍ ଜରିଆରେ ଏହାକୁ ବିଭିନ୍ନ ଦେଶର ରାଷ୍ଟ୍ର ମୂଖ୍ୟ ମାନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଉଛି ।
ଏହି ଦାବି ଗୁଡିକ ମଧ୍ୟରେ ପାଲେଷ୍ଟାଇନ ଓ ଆଫଗାନିସ୍ତାନ ସମେତ ସମସ୍ତ ରାଷ୍ଟ୍ରରେ ମାନବାଧିକାର ଉଲଂଘନ ବନ୍ଦ କରିବା,
ଧନୀ ଏବଂ ଦେଶୀ-ବିଦେଶୀ କର୍ପୋରେଟ୍ ମାନଙ୍କ ଉପରେ ଅଧିକ ସଂପଦ ଟ୍ୟାକ୍ସ ଲାଗୁ କରିବା,
ମାନବାଧିକାର କର୍ମୀ, ଗଣତନ୍ତ୍ରର ପ୍ରବକ୍ତା, ପ୍ରତିବାଦକାରୀ ଏବଂ ସାମ୍ବାଦିକଙ୍କୁ ଅପରାଧୀ ସଜାଉଥିବା ଆଇନ୍ ଗୁଡିକୁ ଅବିଳମ୍ବେ ରଦ୍ଦ କରିବା,
ଖାଦ୍ୟ ଅଧିକାର ଓ କୃଷକଙ୍କ ଅଧିକାର ସୁନିଶ୍ଚିତ କରିବାକୁ ଜାତିସଂଘର ବିଶେଷ ପ୍ରତିନିଧି ମାନଙ୍କ ସୁପାରିଶ ଲାଗୁକରିବା ଇତ୍ୟାଦି ଉପରେ ଗୁରତ୍ୱ ଦିଆଯାଇଛି । ସେହିପରି ଅଣୁ ଅସ୍ତ୍ର ବିହୀନ ବିଶ୍ୱ ଗଠନ ପାଇଁ ଜାତିସଂଘ ଘୋଷଣାନାମାରେ ସ୍ୱାକ୍ଷର କରିଥିବା ଜି-୨୦ ରାଷ୍ଟ୍ର ସମୁହ ତୁରନ୍ତ ପଦକ୍ଷେପ ନେବା,
ଅର୍ଥନୈତିକ ଦୁଃସ୍ଥିତି ମଧ୍ୟରେ ଥିବା ରାଷ୍ଟ୍ର ମାନଙ୍କର ସମସ୍ତ ଋଣ ଛାଡ଼ କରି ସେମାନଙ୍କୁ ସହାୟତା ଦେବା,
ସଂପଦର ସୁଷମ ବଣ୍ଟନ ଓ ଅର୍ଥନୈତିକ ତାରତମ୍ୟ ହ୍ରାସ ପାଇଁ ଜନମଂଗଳ ନୀତିକୁ ପ୍ରାଧାନ୍ୟ ଦେବାକୁ ସେମାନେ ଦାବି କରିଛନ୍ତି ।
ପିପୁଲ୍ସ-୨୦ ପକ୍ଷରୁ ଆହୁତ ଆଜିର ଏହି ପ୍ରଦର୍ଶନରେ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।