କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର
କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ
ସଙ୍ଗୀତରେ ଦର୍ଶକ ବିଭୋର
(୨୯ ତମ ଓଏମ୍ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ
ଦ୍ୱିତୀୟ ସଂଧ୍ୟା)
ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ
ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍ସି ଗୁରୁ କେଳୁଚରଣ
ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ
ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପରେ ଦେଖିବାକୁ ମିଳିଥିଲା ।
ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ,
ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର; ପୂର୍ବତଟ
ରେଲ୍ୱେ ମହା ପରିଚାଳକ ମନୋଜ ଶର୍ମା; ବିଶିଷ୍ଟ ଗାୟକ ତଥା ନିର୍ଦ୍ଦେଶକ
ଲକ୍ଷ୍ମୀକାନ୍ତ ପାଲିତ; ପାରାଦୀପ ଫସଫେଟ୍ ଲିମିଟେଡ୍ର କର୍ପୋରେଟ୍
ଆଫେୟାର୍ସ ମୁଖ୍ୟ ଶ୍ରୀ ସୁଧୀ ରଂଜନ ମିଶ୍ର ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ
ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ
ହୋଇଥିଲା ।
ଦ୍ୱିତୀୟ ସଂଧ୍ୟାର ପ୍ରଥମ ଉପସ୍ଥାପନରେ ଥିଲା କଥକ ନୃତ୍ୟ ଯାହାକୁ ପରିବେଷଣ
କରିଥିଲେ ବିଶିଷ୍ଟ କଥକ ନୃତ୍ୟାଙ୍ଗନା ଶିଲା ମେହେଟ୍ଟା । ସେ ପ୍ରଥମେ ଶିବ
ସ୍ତୁତି ପରେ ପରେ ପରିବେଷଣ କରିଥିଲେ ଭବ ତିହାଇ ଯାହା ତିନ୍ ତାଲ ଉପରେ
ନିବଦ୍ଧ ଥିଲା ଏବଂ ଶେଷରେ ଶ୍ରୀକୃଷ୍ଣ ଓ ଅଜୁର୍ନଙ୍କ କୋଥପକଥନ ଗୀତା ଆଶର
ପରିବେଷଣ କରିଥିଲେ । ଶରୀରର ପ୍ରତ୍ୟେକ ଗତିବିଧି, ଅଙ୍ଗଭଙ୍ଗୀ, ଭାବପ୍ରବଣ
ପଦକ୍ଷେପ, ତାଳର ଲହରୀ ଏବଂ ସଙ୍ଗୀତର ସ୍ୱର ସହିତ ପାଦଚାଳନା ଯାହା ତାଙ୍କର ନୃତ୍ୟକୁ
ଅଧିକ ଚମତ୍କାର ଏବଂ ଆକର୍ଷଣୀୟ କରିଥିଲା । ତାଙ୍କୁ ତବଲାରେ ବିବେକ
ମିଶ୍ର ଓ ଅମିତାଂଶୁ କୁମାର ବ୍ରହ୍ମା, ସରୋଦରେ ସୁନାଦୋ ମୁଖାର୍ଜୀ ଏବଂ
କଣ୍ଠରେ ଜୟଦ୍ୱୀପ ସିହ୍ନା ସହଯୋଗ କରିଥିଲେ ।
ଦ୍ୱିତୀୟ ଉପସ୍ଥାପନରେ ଥିଲା ଜୟତୀର୍ଥ ମେଭୁଣ୍ଡୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ
ସଙ୍ଗୀତ ପରିବେଷଣ । ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସେ ଶ୍ରୀକୃଷ୍ଣଙ୍କ ଉପରେ
ବିଭିନ୍ନ ଭଜନ ପରିବେଷଣ କରିଥିଲେ । ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ
ସରଗମ୍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ
କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ
ସେ ମନ୍ତ୍ରମୁଗ୍ଧ କରିଥିଲେ । ଜୟତୀର୍ଥ ମେଭୁଣ୍ଡୀଙ୍କୁ ସହଯୋଗ କରିଥିଲେ
ହାରମୋନିୟମ୍ରେ ଅନୁସୁଲା ମୋରେ ଏବଂ ତବଲାରେ ନରହରି ଭି. ।
ଏହି କାର୍ଯ୍ୟକ୍ରମଟି ସୃଜନ ଅନୁଷ୍ଠାନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍
ଚ୍ୟାନେଲରେ ସିଧା ପ୍ରସାରଣ କରାଯାଉଅଛି । ଏହି ଉତ୍ସବର ପରିକଳ୍ପନା ଗୁରୁ
ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ
ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ.
ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।