ଜେଏମଏମ ପକ୍ଷରୁ ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼କରାର ମିଶ୍ରିତ ପ୍ରଭାବ
ଜେଏମଏମ ପକ୍ଷରୁ ୨୪ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼କରାର ମିଶ୍ରିତ ପ୍ରଭାବ
ଭୁବନେଶ୍ୱର:ବାରିପଦା,ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ) ଦଳ ପକ୍ଷରୁ ୧୫ଦଫା ଦାବି ପୂରଣ ନେଇ ଆଜି ୨୪ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡ଼କରା ଦିଆଯାଇଥିବା ବେଳେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ବାରିପଦା ଠାରେ ଦଳ ପକ୍ଷରୁ ସକାଳୁ ପିକେଟିଂ କରି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ରାସ୍ତା ଘାଟରେ ଯାନ ବାହାନ ଚଳାଚଳ କିଛି ସମୟ ପାଇଁ ଠପ ହୋଇଥିବା ବେଳେ କେତେକ ସ୍ଥାନରେ ବସ, ଟ୍ରକ ଚଳାଚଳ ବ୍ୟାଘାତ ହୋଇଛି। ଯାତ୍ରୀବାହୀ ବସ ମାଲିକ ମାନେ ସ୍ଵତଃ ପ୍ରଭୁତ ଭାବେ ବସ ଚଳାଚଳ ବନ୍ଦ କରିଥିବାରୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ତେବେ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାବ୍ୟାପୀ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକ କାଁ ଭାଁ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଖୋଲା ରହିଛି। ତେବେ ରାଇରଙ୍ଗପୁର ଉପଖଣ୍ଡରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଟାଟା- ବାଦାମପାହାଡ ମେମୁ ଲୋକାଲ ଟ୍ରେନକୁ ବହଳଦା ପାଖରେ କର୍ମକର୍ତ୍ତା ମାନେ ଅଟକାଇ ଥିଲେ। ଅନ୍ୟ ୩ଗୋଟି ଉପଖଣ୍ଡରେ ବନ୍ଦର ସେତେଟା ପ୍ରଭାବ ପଡ଼ିନାହିଁ। ପେଟ୍ରୋଲ ପମ୍ପ, ବସଷ୍ଟାଣ୍ଡ ବନ୍ଦ ଥିବା ବେଳେ କାଁ ଭାଁ ଦୋକାନ ବଜାରକୁ ଛାଡିଦେଲେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲା ଥିବା ଦେଖିବାକୁ ମିଳିଛି। ଦଳର ରାଜ୍ୟ ଅଧ୍ୟକ୍ଷା ଅଞ୍ଜନୀ ସୋରେନଙ୍କ ନେତୃତ୍ୟରେ ଦଳ ପକ୍ଷରୁ ପୂର୍ବରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ୧୫ଦଫା ଦାବି ଗୁଡିକ ହେଲା, ବାଦାମପାହାଡ଼ ଓ ଗୋରୁମହିଷାଣୀ ଲୌହ ଖଣିରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି, ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ସହିତ ବନ୍ଦ ହୋଇ ପଡ଼ିଥିବା ଶିଳ୍ପକୁ ପୁନଃ ପ୍ରଚଳନ କରି ଯୁବ ଗୋଷ୍ଠୀଙ୍କୁ ନିଯୁକ୍ତି ଯୋଗାଇବା, ଗ୍ରାମାଞ୍ଚଳ ଡାକ୍ତରଖାନା ଓ ପିଆରଏମ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି ସହ ଉପକରଣ ଯୋଗାଇବା, ରାଇରଙ୍ଗପୁର ହସ୍ପିଟାଲରେ ଆଇସିୟୁ ବ୍ୟବସ୍ଥା, ସାନ୍ତାଳୀ, ମୁଣ୍ଡାରୀ, ହୋ, ସହିତ କୁଡ଼ମାଲି ଭାଷାକୁ ଦ୍ୱିତୀୟ ରାଜ୍ୟ ଭାଷା ଭାବେ ମାନ୍ୟତା ସହିତ ଭାଷା ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ଆଦିବାସୀ ମାନଙ୍କ ସାରନା ଧର୍ମ କୋଡ଼ ଲାଗୁ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଅର୍ଥରାଶିର ବୃଦ୍ଧି, ବାରିପଦା ବାସୀଙ୍କୁ ତୁରନ୍ତ ପାଇପ ପାଣି ଯୋଗାଇବା, ଭତ୍ତା ରାଶିକୁ ୩ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ରହିଛି।