Search for:
  • Home/
  • ରାଜ୍ୟ/
  • ରାଜ୍ୟରେ ୨୦ ହଜାର କନିଷ୍ଟ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ

ରାଜ୍ୟରେ ୨୦ ହଜାର କନିଷ୍ଟ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ

Spread the love

Loading

ରାଜ୍ୟରେ ୨୦ ହଜାର କନିଷ୍ଟ ଶିକ୍ଷକ ନିଯୁକ୍ତି ପାଇଁ ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ କଂଗ୍ରେସ

ଠିକା ନିଯୁକ୍ତିର ଯୁଗ ଶେଷ ବୋଲି ଡିଣ୍ଡିମ ପିଟୁଥିବା ନବୀନ ସରକାର ପୁଣି ଠିକା ନିଯୁକ୍ତି ପାଇଁ କାହିଁକି ବିଜ୍ଞପ୍ତି ଜାରି କରିଛନ୍ତି : ରାଜ୍ୟ କଂଗ୍ରେସ

ଭୁବନେଶ୍ୱର, ତା. ୨୪.୦୮ : ୨୦୨୨ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅନୁସାରେ ରାଜ୍ୟ ସରକାର ଆଉ କୌଣସି ସରକାରୀ ପଦ ପଦବୀ ପାଇଁ ଠିକା ନିଯୁକ୍ତି କରିବେ ନାହିଁ କିମ୍ବା ଆଉଟ୍‌ସୋରସିଙ୍ଗ କରିବେ ନାହିଁ ବୋଲି ଖୁବ୍ ଜୋରସରରେ ପ୍ରଚାର କଲେ । ଏପରିକି ମିଷ୍ଟାନ୍ନ ମଧ୍ୟ ବାଂଟିବା ସହ କେକ୍ ମଧ୍ୟ କାଟିଲେ, କିନ୍ତୁ ଠିକ୍ ୧୦ ମାସ ପରେ ରାଜ୍ୟ ସରକାର ଗତ ଅଗଷ୍ଟ ୨୩ ତାରିଖ ଦିନ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ତଥା ମାଧ୍ୟମିକ ବିଦ୍ୟାଳୟ ପାଇଁ କନିଷ୍ଟ ଶିକ୍ଷକ ଠିକାରେ ନିଯୁକ୍ତି କରିବା ପାଇଁ ଗେଜେଟ୍ ନୋଟିଫିକେସନ କରିଛନ୍ତି । ୧୦ ମାସ ତଳେ ଠିକା ବ୍ୟବସ୍ଥାର ସଂପୂର୍ଣ୍ଣ ଉଚ୍ଛେଦ ପାଇଁ କ୍ୟାବିନେଟ୍ ଯେଉଁ ନିଷ୍ପତି ନେଇଥିଲା ହଠାତ୍ କାହିଁକି ଏ ନିଷ୍ପତିର ସଂପୂର୍ଣ୍ଣ ପରିବର୍ତନ ହେଲା ବୋଲି ଆଜି ଏହି ପ୍ରସଙ୍ଗରେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରି କହିଲେ ଯେ ତାହାର ଉତର ରାଜ୍ୟ ସରକାର ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ । ରାଜ୍ୟରେ ଯେଉଁ ୨୦ ହଜାର ଯୋଜନା ଭିତିକ କନିଷ୍ଟ ଶିକ୍ଷକ ଠିକା ନିଯୁକ୍ତି କରିବା ପାଇଁ ଗେଜେଟ୍ ନୋଟିଫିକେସନ ପ୍ରକାଶ କରିଛନ୍ତି ତାହା ନିର୍ବାଚନକୁ ଆଖି ଆଗରେ ରଖି ଆଉ ଲଲିପପ୍ ଧରାଇଛନ୍ତି ଯାହାକୁ କଂଗ୍ରେସ ଘୋର ବିରୋଧ କରୁଛି । ଠିକା ନିଯୁକ୍ତି ପରିବର୍ତେ ସ୍ଥାୟୀ ନିଯୁକ୍ତି କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟ ସରକାର ୨୦୧୩ ମସିହା ଠାରୁ ରାଜ୍ୟର ଆଥିକ ସ୍ଥିତି ଅତ୍ୟନ୍ତ ସୁଦୃଢ଼ ଏବଂ ରାଜ୍ୟ ଏକ ଆର୍ଥିକ ବଳକା ରାଜ୍ୟ ବୋଲି ଦାବି କରିଆସୁଛନ୍ତି । ଯଦି ରାଜ୍ୟର ଆର୍ଥିକ ସ୍ଥିତି ମଜୁଭୁତ ଓ ଆର୍ଥିକ କ୍ଷେତ୍ରରେ ବଳକା ରାଜ୍ୟ ତାହାଲେ ରାଜ୍ୟର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ କାହିଁକି ଠିକାରେ ନିଯୁକ୍ତି କରାଯାଉଛି ବୋଲି ସେ କହିଛନ୍ତି । ପ୍ରକୃତ ଆର୍ଥିକସ୍ଥିତି ରାଜ୍ୟରେ ମଜଭୁତ ନା ଅତ୍ୟନ୍ତ ଦୁର୍ବଳ ବୋଲି ସେ ପ୍ରଶ୍ନ କରିଛନ୍ତି? ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କିଛି ଆଜି ଠପ୍ ହୋଇଯାଇଛି । ରାଜ୍ୟରେ ସମୁଦାୟ ୯୨ ହଜାରରୁ ଅଧିକ ଶିକ୍ଷକ ପଦବୀ ବହୁ ବର୍ଷ ଧରି ପୁରଣ ନ ହୋଇ ଫାଙ୍କା ପଡ଼ିରହିଛି । ଏ ସମସ୍ତ ପଦବୀକୁ ତୁରନ୍ତ ସରକାର ସ୍ୱଚ୍ଛତାର ସହିତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଶ୍ରୀ ମହାନ୍ତି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ବିଭିନ୍ନ ଜିଲ୍ଲା ଗ୍ରସ୍ତ ପାଇଁ ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଟଙ୍କାଟିଏ ଖର୍ଚ୍ଚ କରାଯାଇପାରୁ ନାହିଁ କାହିଁକି ? ରାଜ୍ୟବାସୀ ଏହାରବିଚାର କରିବେ?
ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ପ୍ରଶାନ୍ତ ଶତପଥି ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରି କହିଥିଲେ ଯେ, ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏମାନେ ଉଭୟ ଭାଇ ଭାଇ । ରାଜ୍ୟ ଏବଂ ଦେଶରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଭାଗ୍ୟ ସହିତ ଏମାନେ ସବୁବେଳେ ଖେଳ ଖେଳି ଆସୁଛନ୍ତି । କେନ୍ଦ୍ରର ବିଜେପି ସରକାର ଯେଉଁଭଳି ଭାବରେ ସେନାବାହିନୀରେ ଅଗ୍ନିବିର ନାମରେ ଠିକା ନିଯୁକ୍ତି କଲେ, ଠିକ୍ ସେହିଭଳି ଭାବରେ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ବିଦ୍ୟାବିର୍ ନାମକ ଏକ ବର୍ଷିଆ ଚୁକ୍ତିଭିତିକ ଠିକା ଶିକ୍ଷକ ନିଯୁକ୍ତି ପାଇଁ ଗେଜେଟ୍ ନୋଟିଫିକେସନ ଜାରି କରିଛନ୍ତି । ଏହି କନିଷ୍ଠ ଶିକ୍ଷକ ମାନଙ୍କୁ ଏକ ବର୍ଷ ପାଇଁ ଠିକାରେ ନିଯୁକ୍ତି ଦିଆଯିବ ଓ ପରେ ସେମାନଙ୍କ କାର୍ଯ୍ୟ ସନ୍ତୋଷଜନକ ଥିଲେ ପ୍ରଧାନଶିକ୍ଷକଙ୍କ ପାଖରୁ ପତ୍ର ଆଣିଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଚାହିଁଲେ ତାଙ୍କ ଚାକିରୀର ନବିକରଣ କରାଯିବ । ଏହି ପ୍ରକ୍ରିୟାରେ ଦୁର୍ନୀତିର ଗନ୍ଧ ବାରିହୋଇପଡ଼ୁଛି । ଓଡ଼ିଶା ସରକାରଙ୍କୁ ସାମାନ୍ୟତମ ଲଜ୍ଜା ନାହିଁ ଏବଂ ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ମନରେ ହସ ଫୁଟାଇବା ଓ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସାମାନ୍ୟତମ ନିଷ୍ଠା ନାହିଁ । ରାଜ୍ୟ ସରକାର ୨୦ ହଜାର ପଦବୀ ପରିବର୍ତେ ୯୨ ହଜାର ପଦବୀ ତୁରନ୍ତ ପୁରଣ କରନ୍ତୁ ଏବଂ ସମସ୍ତ ଯୋଗ୍ୟପ୍ରାର୍ଥୀ ସ୍ଥାୟୀ ନିଯୁକ୍ତି ପାଆନ୍ତୁ, ଏହା ହିଁ କଂଗ୍ରେସର ଦାବି । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଯେଉଁ କମ୍ପ୍ୟୁଟର ବେଷ୍ଟ ଟେଷ୍ଟିଙ୍ଗ ମାଧ୍ୟମରେ କରାଯାଉଛି, ତା’ର ସ୍ୱଚ୍ଛତା ରହିବ ତ ବୋଲି ସେ ଆଶଙ୍କ ପ୍ରକାଶ କରିଛନ୍ତି ।
ପ୍ରଦେଶ କଂଗ୍ରେସର ଅନ୍ୟତମ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ୨୦ ହଜାର କନିଷ୍ଟ ଶିକ୍ଷକ ଠିକା ନିଯୁକ୍ତି ଯୋଗୁଁ ରାଜ୍ୟରେ ୨୦ ହଜାର ପରିବାରକୁ ରାଜ୍ୟ ସରକାର ଠକୁଛନ୍ତି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ସ୍କିମାଟିକ୍ / ଯୋଜନା ଭିତିକ ଶିକ୍ଷକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ କରାଯାଉ । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବ୍ୟବସାୟୀକରଣ କରିସାରିଲେଣି । ଶିକ୍ଷା ଅଧିକାରରୁ ଆଜି ରାଜ୍ୟର ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ବଂଚିତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି? ରାଜ୍ୟରେ ୧୧୭୧୦ ଟି ସ୍କୁଲରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ସେହିପରି ୬୭୮୨ ଟି ସ୍କୁଲରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନାହିଁ ଯଦ୍ୱାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କ ଗୋଟିଏ ଶ୍ରେଣୀରେ ଶିକ୍ଷାଦାନ ଜଣେ ଶିକ୍ଷକଙ୍କ ଦ୍ୱାରା କରାଯାଉଛିି । ରାଜ୍ୟରେ ୧୧୭୩୯ ଟି ଶ୍ରେଣୀଗୃହ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଅଛି ଯେଉଁଥିରେ କି ପିଲାମାନଙ୍କୁ ଶିକ୍ଷାଦାନ କରାଯାଉଛି । ରାଜ୍ୟରେ ୧୭୨୮ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । ୨୧୦୬୫ ଟି ସ୍କୁଲରେ ଖେଳପଡ଼ିଆ ନାହିଁ । ୪୧୯୯୬ ଟି ସ୍କୁଲର କମ୍ପ୍ୟୁଟର ନାହିଁ । ଏହି ଶିକ୍ଷାବର୍ଷରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍ ହାର ୨୭.୨୭ । ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁକୁଟ ପିନ୍ଧି ନିଜେ ନିଜ ଢ଼ୋଲ ପିଟୁଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ସଙ୍ଗିନ୍ ସ୍ଥିତି ଦେଇ ଗତି କରୁଛି ରାଜ୍ୟବାସୀ ଉପଲବ୍ଧି କରନ୍ତୁ ।
ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ ଠିକା କନିଷ୍ଟ ଶିକ୍ଷକ ନିଯୁକ୍ତି ନିଷ୍ପତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଥିଲେ ଯେ ରାଜ୍ୟରେ କି ଟ୍ରାନ୍‌ସ୍‌ଫରମେସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ଟ୍ରାନ୍‌ସ୍‌ଫରମେସନ କ’ଣ ରାଜ୍ୟ ଟ୍ରାନ୍‌ସ୍‌ଫରମେସନ ବୋଲି କୁହାଯିବ କି? ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସଂପୂର୍ଣ୍ଣ ବ୍ୟବସ୍ଥାଗତ ପରିବର୍ତନର ଆବଶ୍ୟକତା ରହିଛି । ରାଜ୍ୟ କଂଗ୍ରେସ ୨୦ ହଜାର କନିଷ୍ଠ ଶିକ୍ଷକ ଠିକା ଭିତିରେ ନିଯୁକ୍ତି ଦୃଢ଼ ଭାବରେ ବିରୋଧ କରୁଛି । ଏଥିପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ଜନଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ କହିବା ସହିତ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କ ଭାଗ୍ୟ ସହିତ ଖେଳଖେଳିବାକୁ ଦିଆଯିବ ନାହିଁ ।

Leave A Comment

All fields marked with an asterisk (*) are required