ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ପଂଚାୟତ ପ୍ରତିନିଧି ସମ୍ମିଳନୀ
ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ପଂଚାୟତ ପ୍ରତିନିଧି ସମ୍ମିଳନୀ
● *ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଂଚାୟତକୁ ସଂଶ୍ଳିଷ୍ଟ ନକରିବା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ପଂଚାୟତ ରାଜ ସଂଗଠନ
● *ଅଗଷ୍ଟ ୨୯ ରେ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦିଆଯିବ ଦାବିପତ୍ର
● *ହାଇକୋର୍ଟରେ ଦାଖଲ ହେବ ଯାଚିକା
ଭୁବନେଶ୍ୱର – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ ତରଫରୁ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ପଂଚାୟତ ପ୍ରତିନିଧି ସମ୍ମିଳନୀ । ଏଥିରେ ରାଜ୍ୟରୁ ୩୦ ଟି ଜିଲ୍ଲାରୁ ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ଲୋକପ୍ରତିନିଧିମାନେ ଯୋଗଦେଇଥିଲେ । ସଂଗଠନର ରାଜ୍ୟ ସଭାପତି ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସରକାର ପ୍ରଣୟନ କରିଥିବା “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ପଂଚାୟତ ଅନୁଷ୍ଠାନ ଏବଂ ପଂଚାୟତ ପ୍ରତିନିଧି ମାନଙ୍କୁ ସଂଶ୍ଳିଷ୍ଟ କରାନଯିବା ବିରୋଧରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ଏହି ଯୋଜନା ମୁତାବକ ପ୍ରତି ପଂଚାୟତରେ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ଥିଲାବେଳେ ଗ୍ରାମ ସଭା, ପଂଚାୟତ ରାଜ ଅନୁଷ୍ଠାନ ଓ ପଂଚାୟତ ପ୍ରତିନିଧି ମାନଙ୍କୁ ଆଦୌ ସଂଶ୍ଳିଷ୍ଟ କରାଯାଇ ନାହିଁ । ସମ୍ବିଧାନର ନିର୍ଦ୍ଦେଶ ମୁତାବକ ଅନୁସୂଚିତ ଅଂଚଳରେ କୌଣସି ବିକାଶ ମୂଳକ କାର୍ଯ୍ୟ ଗ୍ରାମ ସଭାର ବିନା ଅନୁମୋଦନରେ ହୋଇପାରିବ ନାହିଁ । ମାତ୍ର ଏହି ଯୋଜନାରେ ଏଥିପ୍ରତି ଭୃକ୍ଷେପ କରାଯାଇନାହିଁ । ଏହା ସମ୍ବିଧାନ ବିରୋଧି, ପଂଚାୟତ ବ୍ୟବସ୍ଥା ପ୍ରତି ଉପହାସ ଓ ପଂଚାୟତ ପ୍ରତିନିଧିଙ୍କୁ ପ୍ରତାରଣା ବୋଲି ଆଜି ସମ୍ମିଳନୀରେ ମତପ୍ରକାଶ ପାଇଛି । ଏହା ବିରୋଧରେ ଆସନ୍ତା ଅଗଷ୍ଟ ୨୯ ତାରିଖ ଜିଲ୍ଲାପାଳ ମାନଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ଦିଆଯିବ । ଯେହେତୁ ଏହା ଆଇନ ବିରୋଧି ତେଣୁ ଏହି ଯୋଜନା ବିରୋଧରେ ଆଇନର ଆଶ୍ରୟ ନେବାପାଇଁ ମଧ୍ୟ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଛି ।
ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀକୁ ଉଦ୍ଘାଟନ କରି ରାଜ୍ୟ ସରକାରଙ୍କର ପଂଚାୟତ ବିରୋଧି କାର୍ଯ୍ୟକଳାପର ଦୃଢ଼ ବିରୋଧ କରିଥିଲେ । କଂଗ୍ରେସ ସରକାର ସମୟରେ ପଂଚାୟତରାଜକୁ କ୍ଷମତା ଦେଇ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଥିଲା । ମାତ୍ର ବର୍ତମାନର ବିଜେଡ଼ି ସରକାର ଏହାକୁ ଅବମାନନା କରିଚାଲିଛନ୍ତି । ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ହର୍ଷବଦ୍ଧନ ସପକାଲ ମୁଖ୍ୟ ଅତିଥି ଭାବେର ଯୋଗଦେଇ ଦେଶରେ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ରାଜୀବ ଗାନ୍ଧୀଙ୍କର ଅବଦାନ ଏବଂ ଦେଶରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ଆଣିବା କ୍ଷେତ୍ରରେ କଂଗ୍ରେସର ଭୂମିକା ବିଷୟରେ ଅବତାରଣ କରିଥିଲେ । ସଂଗଠନର ରାଷ୍ଟ୍ରୀୟ ଆବାହକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ କୁନାଲ ବାର୍ନାଜୀ ଏଥିରେ ଯୋଗଦେଇ ଦେଶରେ ପଂଚାୟତ ପ୍ରତିନିଧି ମାନଙ୍କର ଏକ ସଂଗଠନ ହିସାବରେ ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ କିଭଳି କାମ କରୁଛି ସେ ବିଷୟରେ ବର୍ଣ୍ଣନା କରିଥିଲେ । ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦେଶର ପଂଚାୟତରାଜ ବ୍ୟବସ୍ଥା ରାଜୀବ ଗାନ୍ଧୀଙ୍କ ଅବଦାନ କହିବା ସହିତ ଏହି ବ୍ୟବସ୍ଥା ବର୍ତମାନର ବିଜେଡ଼ି ସରକାର ଅମଳରେ ତାର ଗୁରୁତ୍ୱ ହରାଇ ସାରିଛି । କଂଗ୍ରେସ କ୍ଷମତାକୁ ଆସିଲେ ପଂଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରଚେଷ୍ଟା କରାଯିବ ବୋଲି ସେ କହିଥିଲେ । କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ତୃଣମୂଳ ସ୍ତରରେ ପଂଚାୟତ ବ୍ୟବସ୍ଥା ବିକାଶର ଚାବିକାଠି ଏବଂ ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ସରପଂଚ ମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେବା କହି ସେମାନଙ୍କୁ ବିଡିଓ, ଜେଇ ଓ ପଂଚାୟତ ଅଧିକାରୀ ମାନଙ୍କର ଅଧସ୍ଥନ ବନାଇଦେବା ଦୁଭାର୍ଗ୍ୟଜନକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଅନନ୍ତ ସେଠୀ, ଗଣେଶ୍ୱର ବେହରା, ବିଧାୟକ ସୁରେଶ କୁମାର ରାଉତରାୟ, ଉମାବଲ୍ଲଭ ରଥ, ଭୂଜବଳ ମାଝୀ, ନିମାଇ ସରକାର, ବିସ୍ମୟ ମହାପାତ୍ର, ବିଜୟ ପ୍ରଧାନ, ନିରଦ ବରଣ ଖୁଂଟିଆ, ଲବ କୁମାର ସାହୁ, ରୂପକ ତୁରକ, ଗଣେଶ ସାହୁ, ପ୍ରଦ୍ୟୁମ୍ନ ଦାସ, ସ୍ୱାଗତିକା ପଟ୍ଟନାୟକ, ନିରୋଜ ଲୋଚନ ଦାସ, ବିଦୁଭୂଷଣ ତ୍ରିପାଠୀ, ଅଞ୍ଜଳି ପ୍ରଧାନ, ଜବା ଟୁଡୁ, ଗୋଲାପ ଟୁଡୁ, ପଦ୍ମଲୋଚନ ବେହେରା, ସନ୍ତୋଷ ଜେନା, ପ୍ରକାଶ ଚୌଧୁରୀ, ନିରଞ୍ଜନ ଲେଙ୍କା, ସୁଭାଷ ପ୍ରଧାନ, ପ୍ରତାପ ପ୍ରଧାନ, ରାଜଗୋପାଳ ପାଣିଗ୍ରାହୀ, ପ୍ରମୁଖ ଅନେକ ପଂଚାୟତ ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ମିଳନୀ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋର୍ଦ୍ଧିତ କରି ସଂଗଠନର ଅଧ୍ୟକ୍ଷ ଶ୍ରୀ ଦାସ ସମ୍ମଳନୀ ନିଷ୍ପତିକୁ ପ୍ରକାଶ କରିବା ସହିତ ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବାପାଇଁ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜନ କରିବାର ଘୋଷଣା କରିଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ସମ୍ମିଳନୀରେ ଯୋଗଦେଇ ଆଗାମୀ ନିର୍ବାଚନରେ ପଂଚାୟତର ପ୍ରତିନିଧିମାନେ କଂଗ୍ରେସ ଦଳକୁ ସୁଦୃଢ଼ କରିବା ସହିତ ବିଜେପି ବିଜେଡ଼ିର ବିକଳ୍ପ ଶକ୍ତିଭାବରେ କଂଗ୍ରେସକୁ ଉପସ୍ଥାପିତ କରିବାପାଇଁ ଆହ୍ୱାନ ଦେଇଥିଲେ । ଶ୍ରୀ ବିଜୟ ପଟ୍ଟନାୟକ ରାଜ୍ୟର ବିଜେଡ଼ି ସରକାର ବିରୋଧରେ ପଂଚାୟତ ପ୍ରତିନିଧିମାନେ ଏକଜୁଟ ହୋଇ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।