Search for:
  • Home/
  • ରାଜ୍ୟ/
  • ଦୁଇଦିନିଆ ରାଜ୍ୟ ସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ ଉଦଯାପିତ!!!

ଦୁଇଦିନିଆ ରାଜ୍ୟ ସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ ଉଦଯାପିତ!!!

Spread the love

Loading

ଦୁଇଦିନିଆ ରାଜ୍ୟ ସ୍ତରୀୟ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍ ଉଦଯାପିତ!!!

ଭୁବନେଶ୍ୱର, ତା୧୭/୦୮/୨୩: ପିପୁଲ୍ସ-୨୦, ଇନସାଫ୍, ଏନ୍.ଏ.ପି.ଏମ୍, ଲୋକଶକ୍ତି ଅଭିଯାନ ଓ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଗଣତାନ୍ତ୍ରିକ ଅଧିକାର କନଭେନସନ୍ ଆଜି ଉଦଯାପିତ ହୋଇଯାଇଛି । ଜନ ଆନ୍ଦୋଳନ, ମହିଳା, କୃଷକ, ଦଳିତ – ଆଦିବାସୀ ଓ ସଂଖ୍ୟାଲଘୁ, ମାନବାଧିକାର , ଜଙ୍ଗଲ ଅଧିକାର, ଶ୍ରମିକଙ୍କ ସ୍ୱାର୍ଥ ବିରୋଧୀ ତଥା ଗଣତାନ୍ତ୍ରିକ ଅଧିକାର ଉଲଂଘନ ପ୍ରସଙ୍ଗରେ ଏହି କନଭେନସନ୍ ରେ ଆଠଟି ପୃଥକ ପୃଥକ ଅଧିବେଶନ ଆୟୋଜନ ହୋଇଥିଲା । ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କନଭେନସନ୍ ର ଘୋଷଣାପତ୍ର ପତ୍ର ଉପସ୍ଥାପନ କରାଯାଇ ସାଂପ୍ରଦାୟିକ ଓ କର୍ପୋରେଟ୍ ବିଷବଳୟରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ଆଗାମୀ ୨୦୨୪ ନିର୍ବାଚନରେ ଜନ ଇସ୍ତାହାରର ଜରିଆରେ ଜନମତ ଜାଗ୍ରତ କରିବାକୁ ଘୋଷଣା କରାଯାଇଥିଲା।
କନଭେନସନ୍ ଘୋଷଣାପତ୍ରରେ ସାମ୍ବିଧାନିକ ଅଧିକାର ଓ ମୂଲ୍ୟବୋଧ ଉଲଂଘନ ବିରୋଧରେ ଆନ୍ଦୋଳନ ସହ ପ୍ରାକୃତିକ ସଂଶାଧନକୁ କର୍ପୋରେଟ ଲୁଣ୍ଠନ ଓ ରାଷ୍ଟ୍ର ଦମନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ପ୍ରତିରୋଧକୁ ତୀବ୍ରତର କରିବାକୁ ଘୋଷଣା କରାଯାଇଥିଲା। ସେହିପରି ମହିଳା ମାନଙ୍କ ବିରୋଧରେ ପୁରୁଷତାନ୍ତ୍ରିକ ଓ ଲିଙ୍ଗ ଗତ ହିଂସା ବିରୋଧରେ ଜନ ଜାଗରଣ ସହ ନାରୀ ପୁରୁଷ ନିର୍ବିଶେଷରେ ସମାନ ଅଧିକାର ଓ ସୁଯୋଗ ପାଇଁ ପରିବେଶ ସୃଷ୍ଟି କରିବା ବିଷୟ କନଭେନସନ୍ ଘୋଷଣାପତ୍ରରେ ସ୍ଥାନ ପାଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ନୀତି ବିରୋଧରେ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ କନଭେନସନ୍ ଘୋଷଣାପତ୍ର ଆହ୍ୱାନ କରିଥିବା ବେଳେ ମାନବାଧିକାର ସଂପର୍କରେ ବିଶ୍ୱ ଘୋଷଣାନାମା ଅନୁଯାୟୀ ସରକାର କାର୍ଯ୍ୟ କରିବାକୁ ସରକାର ବାଧ୍ୟ ବୋଲି କନଭେନସନ୍ ସର୍ବସମ୍ମତ ମତ ପୋଷଣ କରିଥିଲା। ବଞ୍ଚିତ ବର୍ଗ ବିଶେଷ କରି ସାମାଜିକ ଅନ୍ୟାୟର ଶୀକାର ହେଉଥିବା ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ମହିଳା ମାନଙ୍କ ସ୍ୱରକୁ ସମ୍ମାନ ଓ ସ୍ୱୀକୃତି ଦେବା ପାଇଁ ସମସ୍ତ ଅଭିଯାନକୁ ଶକ୍ତିଶାଳୀ କରିବା ସପକ୍ଷରେ କନଭେନସନ୍ ମତବ୍ୟକ୍ତ କରିଥିଲା। ଜନବିରୋଧୀ ତଥା ଆଦିବାସୀ ଓ ଜଙ୍ଗଲବାସୀ ବିରୋଧୀ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ୍ -୨୦୨୩ ପ୍ରତ୍ୟାହାର ସହ ପେସା ଓ ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁଯାୟୀ ଗ୍ରାମସଭାର ଅଧୀକାରକୁ ସମ୍ମାନ ଓ ସ୍ୱୀକୃତି ଦେବାକୁ ସରକାର ନିକଟରେ ଘୋଷଣାପତ୍ର ମାଧ୍ୟମରେ ଦାବି କରାଯାଇଛି । ଭିନ୍ନମତ କୁ ସମ୍ମାନ କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଦାୟିତ୍ଵ ହୋଇଥିବା ବେଳେ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ତାହା ଉଲଂଘନ କରୁଥିବାରୁ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସାମ୍ବାଦିକ ମାନଙ୍କୁ ନେଇ ଅନୁଷ୍ଠିତ ଅଧିବେଶନରେ ଉଦବେଗ ପ୍ରକାଶ କରାଯାଇ ବିଭିନ୍ନ ଅଧିବେଶନର ବିଚାର ଓ ନିଷ୍କର୍ଷ ସହ ସହମତ ପ୍ରକାଶ କରାଯାଇଥିଲା।
ଘୋଷଣାପତ୍ର ଉପସ୍ଥାପନ କରାଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଫୁଲ୍ଲ ସାମନ୍ତରା, ପ୍ରଶାନ୍ତ ପାଇକରାୟ, ନରେନ୍ଦ୍ର ମହାନ୍ତି ଙ୍କ ସମେତ କୋରାପୁଟ ମାଳିପର୍ବତ ଆନ୍ଦୋଳନର ନେତା ବିଜୟ ଖିଲୋ, ସୁନାବେଡ଼ା ହାଲ୍ ବିସ୍ଥାପିତ ସଂଘର ତ୍ରିଲୋଚନ ମୁଦୁଲି, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ଚାଷୀ ମୂଲିଆ ସୁରକ୍ଷା ସମିତିର ନେତା ବଳଭଦ୍ର ମଳିକ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ଗବେଷକ ଡଃ ଶ୍ରୀଚରଣ ବେହେରା, ନିୟମଗିରି ସୁରକ୍ଷା ସମିତିର ରାଜକିଶୋର ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ଦିଗରେ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସାମ୍ବାଦିକ ମାନଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ରକୁ ବରିଷ୍ଠ ସାମ୍ବାଦିକ, କବି କେଦାର ମିଶ୍ର ସଂଯୋଜନା କରିଥିବା ବେଳେ ପ୍ରଫେସର ଅମୀୟ ମହାନ୍ତି, ସାମ୍ବାଦିକ ସୁଧୀର ପଟ୍ଟନାୟକ, ସାମ୍ବାଦିକା ଗାର୍ଗୀ ଶତପଥୀ,
ଶିକ୍ଷାସନ୍ଧାନର ଅନୀଲ ପ୍ରଧାନ, ହେତୁବାଦୀ ବିଧୁପ୍ରଭା ରଥ, ରାଜନୈତିକ ବିଶ୍ଳେଷକ ଶ୍ରୀମନ୍ତ ମହାନ୍ତି, ସାମ୍ବାଦିକା ତଥା ଗବେଷିକା ରଞ୍ଜନା ପାଢ଼ୀ, ସର୍ବୋଦୟ କର୍ମୀ ମିହିର ପ୍ରତାପ ଦାସ ଓ ଜନବାଦୀ କବି ଆଶୁତୋଷ ପରିଡ଼ା ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ସେହିପରି ଶ୍ରମିକ ନେତା ମହେନ୍ଦ୍ର ପରିଡ଼ାଙ୍କ ସଂଯୋଜନାରେ ଶ୍ରମିକଙ୍କ ଅଧିକାର ବନାମ୍ ସରକାରଙ୍କ ଶ୍ରମ ସଂସ୍କାର ନୀତି ବିଷୟରେ ଶ୍ରମିକ ନେତା ପୂର୍ଣଚନ୍ଦ୍ର ବେହେରା, ମନୋରଞ୍ଜନ ମହାରଣା, ପରିଲତା ମହାପାତ୍ର, ଶଶୀରେଖା ବେହେରା ଓ ବିଚିତ୍ର ପାତ୍ର ପ୍ରମୁଖ ଆଲୋଚନା କରିଥିଲେ ।

ଏହି ଦୁଇଦିନିଆ “ଗଣତାନ୍ତ୍ରିକ ଅଧିକାର ସୁରକ୍ଷା କନଭେନସନ୍” ରେ ରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନର କର୍ମୀ ଓ ନେତୃବୃନ୍ଦ, ଆଦିବାସୀ ଓ ଦଳିତ ଅଧିକାର ଆନ୍ଦୋଳନର ନେତୃତ୍ବ, ଶିକ୍ଷାବିତ, ମହିଳା, ଛାତ୍ର, ଯୁବକ, ବୁଦ୍ଧିଜୀବୀ, ସାମାଜିକ ଓ ମାନବାଧିକାର କର୍ମୀ, ସାମ୍ବାଦିକ, ଆଇନଜୀବୀ, କୃଷକ ଓ ଶ୍ରମିକ ନେତା, ବିଭିନ୍ନ ବସ୍ତି ସଂଘର୍ଷ ସମିତିର ନେତୃତ୍ବ ଓ ଅନ୍ୟମାନେ ଯୋଗ ଦେଇଥିଲେ ।

 

Leave A Comment

All fields marked with an asterisk (*) are required