ନିୟମଗିରି ସମେତ ସମସ୍ତ ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବିରୋଧରେ ଗଣ ପ୍ରତିବାଦ।।
ନିୟମଗିରି ସମେତ ସମସ୍ତ ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବିରୋଧରେ ଗଣ ପ୍ରତିବାଦ।।
ଭୁବନେଶ୍ୱର, ତା ୧୭/୦୮/୨୩: ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ମାନଙ୍କୁ ମିଛ କେଶ୍ ରେ ଗିରଫ, ଶାରିରୀକ ନିର୍ଯ୍ୟାତନା, କାଶୀପୁର ଓ ସିଜିମାଳୀ ଅଞ୍ଚଳରେ ଆନ୍ଦୋଳନ କାରୀ ଓ ଗ୍ରାମବାସୀ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ବିରୋଧରେ ଆଜି ବର୍ଷା ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି ।
ଗତ ୫ ଅଗଷ୍ଟ ରେ ନିୟମଗିରି ସୁରକ୍ଷା ସମିତିର ସଦସ୍ୟ କୃଷ୍ଣ ସିକକାଙ୍କୁ ସାଧା ପୋଷାକଧାରୀ ପୋଲିସ ଦ୍ବାରା ଅପହରଣ ଓ ସୁରକ୍ଷା ସମିତିର ପ୍ରତିବାଦ ତଥା ଓଡ଼ିଶା ହାଇକୋର୍ଟରେ ହେବିୟସ୍ କର୍ପସ୍ ଦାଖଲ ହେବାପରେ ୨୦୧୮ ମସିହାର ଏକ କେଶ୍ ରେ ତାଙ୍କୁ ଗିରଫ କରିବା ଓଡ଼ିଶା ସରକାର ଓ ପୋଲିସ୍ ର କଳା କାରନାମାକୁ ପଦାରେ ପକାଇ ଦେଇଛି । ସେହିପରି ୬ ଅଗଷ୍ଟ ରେ କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ଓ ଆନ୍ଦୋଳନର ସମର୍ଥକ ମାନଙ୍କ ନାମରେ ୟୁଏପିଏ ଓ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ମକଦ୍ଦମା ରୁଜୁ କରାଯାଇଛି । ଏହାକୁ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ଗତ ୧୧ ଅଗଷ୍ଟରୁ ନିୟମଗିରି ସୁରକ୍ଷା ସମିତିର ଜଣେ ସମର୍ଥକ ଉପେନ୍ଦ୍ର ବାଗ୍ ଙ୍କୁ ପୋଲିସ୍ ଉଠାଇ ନେଇ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ୬ ଅଗଷ୍ଟର ମିଛ ମକଦ୍ଦମାରେ ୧୪ ଅଗଷ୍ଟରେ କୋର୍ଟ ଚାଲାଣ କରିଛି । ଉଭୟ ଘଟଣାରେ କୃଷ୍ଣ କିମ୍ବା ଉପେନ୍ଦ୍ରଙ୍କ ପରିବାର ବର୍ଗଙ୍କୁ ୨ ଦିନରୁ ଚାରି ଦିନ ପର୍ଯ୍ୟନ୍ତ ଅନ୍ଧକାରରେ ରଖି ପ୍ରବଳ ମାଡ଼ ମାରି କୋର୍ଟ ଚାଲାଣ କରିବା ଘଟଣାରେ ରାୟଗଡ଼ା ପୋଲିସ୍ ସମସ୍ତ ପ୍ରକାର ମାନବାଧିକାର ତଥା ଗିରଫଦାରୀ ସଂପର୍କରେ ଡି.କେ ବସୁ ରାୟର ସମସ୍ତ ନୀତି ଓ ନିୟମାବଳୀ କୁ ଉଲଂଘନ କରିଛି ବୋଲି ପ୍ରତିବାଦକାରୀ ମାନେ ଅଭିଯୋଗ କରିଛନ୍ତି ।
ସେହିପରି ଗତ ଏକ ସପ୍ତାହ ଧରି ରାୟଗଡ଼ା ଜିଲ୍ଲାର କାଶିପୁର ଓ ସିଜିମାଳି ଅଞ୍ଚଳରେ ପୋଲିସର ବର୍ବରତା ସମସ୍ତ ସୀମା ଅତିକ୍ରମ କରିଛି । ବେଦାନ୍ତ ଓ ମୈତ୍ରୀ କମ୍ପାନୀ ର ସମସ୍ତ ଶୋଷଣ ଓ ଲୁଣ୍ଠନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ସ୍ଥାନୀୟ ଜନସାଧାରଣଙ୍କ ଉପରେ ପୋଲିସ ନାହିଁ ନଥିବା ନିର୍ଯ୍ୟାତନା ଚଳାଇଛି । ସାରା ଅଞ୍ଚଳରେ ପୋଲିସ୍ ଛାଉଣୀ କରି ଘର ଭାଙ୍ଗି ମହିଳା ମାନଙ୍କୁ ବେଇଜ୍ଜତ କରାଯାଉଛି । ପୁରୁଷ ମାନଙ୍କୁ ଗିରଫ କରି ପ୍ରବଳ ଶାରୀରିକ ନିର୍ଯ୍ୟାତନା ଦେଇ କୋର୍ଟ ଚାଲାଣ କରାଯାଉଛି । ଇତି ମଧ୍ୟରେ ପ୍ରାୟ ଆଠ ଜଣ ବ୍ୟକ୍ତିଙ୍କୁ ଜବରଦସ୍ତ ଗିରଫ କରି ସେମାନଙ୍କୁ ପ୍ରବଳ ମାଡ଼ ମାରି ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରାଯାଇଛି ।
ଜନ ଆନ୍ଦୋଳନ ଗୁଡିକ ଉପରେ ଏପରି ଅମାନବୀୟ ଆକ୍ରମଣ ସରକାରଙ୍କ ଜନବିରୋଧୀ ନୀତି ଓ କମ୍ପାନୀ ମାନଙ୍କ ଦଲାଲି କରିବା ଭୂମିକା କୁ ସାବ୍ୟସ୍ତ କରିଛି । ଅବିଳମ୍ବେ ଜନବିରୋଧୀ କଳା କାନୁନ୍ ୟୁଏପିଏ ପ୍ରତ୍ୟାହାର କରିବା, ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବନ୍ଦ କରିବା, ବିକାଶ ନାମରେ କର୍ପୋରେଟ ତୋଷଣ ନୀତି ବନ୍ଦ କରିବା ପାଇଁ ଦାବି କରି ବିଭିନ୍ନ ମାନବାଧିକାର ଓ ଜନ ଆନ୍ଦୋଳନର କର୍ମୀ ଓ ସମର୍ଥକ ମାନେ ଆଜି ଏହି ପ୍ରତିବାଦରେ ଆୟୋଜନ କରିଥିଲେ ।