ପୁରୀ ଜିଲ୍ଲା ତାଳଦା ୫-ଟି ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠ କାର୍ଯ୍ୟ ଅନିୟମିତତା ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ
ପୁରୀ ଜିଲ୍ଲା ତାଳଦା ୫-ଟି ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠ କାର୍ଯ୍ୟ ଅନିୟମିତତା ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ
ଭୁବନେଶ୍ୱର, ତା ୨୪/୭- ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାପୀଠଗୁଡ଼ିକୁ ୫-ଟି ଆଧାରରେ
ରୂପାନ୍ତର କରିବା ପାଇଁ ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ଏହା କେବଳ ତାଙ୍କ ଦଳର ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମୀମାନଙ୍କୁ ପୋଷିବାର ଏକ ମସୁଧା । ବିଭିନ୍ନ ସ୍ଥାନରେ ଖୁବ୍ ନିମ୍ନମାନର କାମକରାଯାଇଛି । ଯଦ୍ୱାରା ସେହି ବିଦ୍ୟାଳୟଗୁଡ଼ିକ ବର୍ତମାନ ଅସୁରକ୍ଷିତ ଓ ବିପଦସଙ୍କୁଳ ଯାହାର ନିଚ୍ଛକ ନମୁନା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ତାଳଦା ଗ୍ରାମ ପଂଚାୟତର ପଢ଼ିଆରୀ ବିଦ୍ୟାପୀଠର ସ୍ମାର୍ଟ ବିଦ୍ୟାଳୟ ପାଇଁ ୫-ଟି ଭିତିଭୂମିରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ୨୦୨୧
ମସିହା ନଭେମ୍ବର ମାସରେ ପୁଞ୍ଜିନିବେଶ କାର୍ଯ୍ୟଟି ବ୍ଳକ ପ୍ରଶାସନ ଅଧିନରେ ଥିବାବେଳେ ପ୍ରଶାସନର ସମ୍ପର୍କୀୟ ଠିକାଦାରଙ୍କୁ
କାର୍ଯ୍ୟଭାର ଦିଆଯାଇଥିଲା । କିନ୍ତୁ ଦୁଃର୍ଭାଗ୍ୟର କଥା ଏଠାରେ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏହି ରୂପାନ୍ତରିତ କାର୍ଯ୍ୟକୁ ଦୁଇବର୍ଷ ପୁରିନି ଗତ ଜୁଲାଇ ୧୯ ତାରିଖ ଦିନ ଛାତରୁ ପଲସ୍ତରା ଖସିଲା । ଫଳରେ ସ୍କୁଲର ସି.ଆର.ସି.ସି ଓ
ଶିକ୍ଷୟତ୍ରୀ ଗୁରୁତର ଆହତ ହେଲେ । ସ୍ଥାନୀୟ ଅଂଚଳ ଲୋକ ଏହାର ପ୍ରତିବାଦ କଲେ ସୁଦ୍ଧା ଏହାକୁ ପ୍ରଶାସନ ପକ୍ଷରୁ ଏଡାଇ ଦିଆଯାଇଛି ବୋଲି ଆଜି ଭୁବନେଶ୍ୱରସ୍ଥ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ତଥା ସ୍ଥାନୀୟ କଂଗ୍ରେସ ନେତା ବିଶ୍ୱଭୂଷଣ ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ପିସିସି ମୁଖପାତ୍ର ରଶ୍ମୀ ମହାପାତ୍ର ଏଥିପାଇଁ
ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟି ବୋଲି କହିଛନ୍ତି । ଏବେ ସୁଦ୍ଧା ଘଟଣାସ୍ଥଳକୁ ସ୍ଥାନୀୟ ବିଧାୟକ କି ବିଡିଓ ଯାଇ ନାହାନ୍ତି ।
ପରବର୍ତୀ ମୁହୂର୍ତରେ କୁହାଗଲା ପଲସ୍ତରା ଭୁଷୁଡ଼ିଥିବା ଗୃହ ରୂପାନ୍ତରିତ ଅଧିନରେ ନାହିଁ । ତାହା ହେଲେ ଏଠି ପ୍ରଶ୍ନ ଉଠୁଛି,
ଯଦି ନାହିଁ, ତାହାହେଲେ ୫-ଟି କାମରେ ଏହି କାର୍ଯ୍ୟାଳୟ ରଙ୍ଗ, ପ୍ଲାଷ୍ଟର, ନୂଆ ଚଉକି ଟେବୁଲ, ଝରକା, ବିଦ୍ୟୁତ ଉପକରଣ ଲାଗିଲା କାହିଁକି? ବିଡିଓ ଏହାର ତୁରନ୍ତ ଜବାବ ଦିଅନ୍ତୁ । ନୂତନ ବିଲ୍ଡିଂ ଛାତରେ ବର୍ଷାପାଣି ଜମୁଛି । କେଉଁ ମୁହୂର୍ତରେ ଏହା ଭୁଷୁଡ଼ିବ କହି ହେବ ନାହିଁ । ଆରମ୍ଭରୁ ନିମ୍ନମାନର କାମ ଚାଲୁଥିବା ଅଭିଯୋଗ ଆସିବା ପରେ ସ୍ଥାନୀୟ
ବ୍ଳକ କଂଗ୍ରେସ ପ୍ରତିନିଧି ଏହାର ଦୃଢ଼ ପ୍ରତିବାଦ କରିବା ସହିତ ସଠିକ୍ ଭାବରେ କାର୍ଯ୍ୟ କରାଯିବାକୁ ପ୍ରଶାସନକୁ ଚେତାବନୀ ଦେଇଥିଲେ । ଗଣମାଧ୍ୟମରେ ଏହା ମଧ୍ୟ ବାରମ୍ବାର ପ୍ରସାରିତ ହୋଇଥିଲା । ବିଡିଓ କହିଥିଲେ ଯଦି କାମ ଉପରେ କିଛି ଅସୁବିଧା ହୁଏ, ସେଥିପାଇଁ ସେ ସମ୍ପୂର୍ଣ୍ଣ ଦାୟୀ ରହିବେ । ତାହା ହେଲେ ବିଡିଓ ଏବେ କୁହନ୍ତୁ ଦାୟୀ କିଏ? ସରକାରଙ୍କ ଚାପରେ ଏହି ଘଟଣାକୁ ପ୍ରଶାସନ ତରଫରୁ ଚାପି ଦିଆଯାଉଛି । ଅନିୟମିତ କାର୍ଯ୍ୟପାଇଁ ସ୍ଥାନୀୟ ବୁଦ୍ଧିଜୀବି ଓ ସ୍ଥାନୀୟ ମିଡ଼ିଆଫୋରମ୍ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହିତ ଏହାର ତଦନ୍ତ ଦାବୀ କରିଛନ୍ତି । କିନ୍ତୁ ସତ ଘଟଣା ବାହାରକୁ
ଆସିଲେ ୫-ଟିର ମୁଖା ଖୋଲିଯିବା ଭୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧମକ ଦିଆଯାଉଛି ।
ଦୁର୍ଭାଗ୍ୟର କଥା ପଢ଼ିଆରୀ ବିଦ୍ୟାପୀଠର ଅଫିସ୍ ଗୃହରୁ ପ୍ଲାଷ୍ଟର ଖସି ଶିକ୍ଷୟତ୍ରୀ ଓ ସି.ଆର.ସି.ସିଙ୍କ ମୁଣ୍ଡ ଫାଟିଥିବା
ବେଳେ ନିଜ ଅଞ୍ଚଳ ସମ୍ପର୍କରେ କିଛି ନ ଜାଣିଥିବା ବିଜେଡ଼ିର ଜଣେ ମୁଖପାତ୍ର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ
ସମ୍ମିଳନୀରେ ଖବରକୁ ମିଥ୍ୟା ବୋଲି ବିବୃତି ଦେବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ଏହି ବ୍ଳକର ସରକାରଙ୍କ ୫-ଟି ଯୋଜନାରେ
ରୂପାନ୍ତରିତ ଆଠଟି ବିଦ୍ୟାଳୟର କାର୍ଯ୍ୟ ମଧ୍ୟ ନିମ୍ନମାନର । ସ୍କୁଲ ଥାଇ ଅଫିସ୍ ଗୃହ ୫-ଟି କାର୍ଯ୍ୟର ଅନ୍ତର୍ଭୁକ୍ତ ନୁହେଁ ବୋଲି
କହିବା ବିଜେଡ଼ି ମୁଖପାତ୍ରଙ୍କର ଅଜ୍ଞତାର ସୂଚନା ଦିଏ । ସାରା ରାଜ୍ୟରେ ୫-ଟି ରୂପାନ୍ତରଣ ସ୍କୁଲଗୁଡ଼ିକର ଭିତିଭୂମି ସୁଦୃଢ଼
ହେବା ତ ଦୂରର କଥା ଏହି ଅର୍ଥରେ କେବଳ ପ୍ରଶାସନ ଜରିଆରେ ସ୍ଥାନୀୟ ବିଜେଡ଼ି କର୍ମୀ ଓ ନେତାଙ୍କର ହାତ ଚିକ୍କଣ
ହେଉଥିବାର ପ୍ରମାଣିତ ହେଲାଣି । ପଢ଼ିଆରୀ ବିଦ୍ୟାପୀଠ ସମ୍ପୂର୍ଣ୍ଣ ନିମ୍ନମାନର କାର୍ଯ୍ୟ କରାଯାଇଛି, ତେଣୁ ଏହାର ଉଚ୍ଚସ୍ତରୀୟ
ତଦନ୍ତ ଏବଂ ନିମ୍ନମାନର କାର୍ଯ୍ୟପାଇଁ ସମ୍ପୃକ୍ତ ବ୍ୟକ୍ତି ଓ ବ୍ଳକ ପ୍ରଶାସନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ବିଦ୍ୟାପୀଠର
ସ୍ଥାୟୀ ଭିତିଭୂମି ପ୍ରତିଷ୍ଠା କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଦୃଢ଼ ଦାବୀ କରାଯାଇଛି ।