Search for:
  • Home/
  • ରାଜ୍ୟ/
  • ମଣିପୁର ମୂଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ।।

ମଣିପୁର ମୂଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ।।

Spread the love

Loading

ମଣିପୁର ହିଂସା ତଥା ଆଦିବାସୀ ମହିଳାଙ୍କୁ ଉଲଗ୍ନ ପରେଡ୍ ଓ ଯୌନ ନିର୍ଯାତନା ବିରୋଧରେ ବିଭିନ୍ନ ମାନବାଧିକାର ଓ ଗଣ ସଂଗଠନ ମାନଙ୍କର ମିଳିତ ପ୍ରତିବାଦ।।
ମଣିପୁର ମୂଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ।।

ଭୁବନେଶ୍ୱର, ତା୨୨/୦୭/୨୩: ସାରା ମଣିପୁର ହିଂସାରେ ଜଳୁଥିବା ବେଳେ ତଥା ଆଦିବାସୀ ମହିଳାଙ୍କୁ ଉଲଗ୍ନ ପରେଡ୍ ଓ ଯୌନ ନିର୍ଯାତନାକୁ ଧିକ୍କାର କରି ଆଜି ରାଜଧାନୀ ଭୁବନେଶ୍ବର ରେ ବିଭିନ୍ନ ମାନବାଧିକାର ଓ ରାଜନୈତିକ ଗଣ ସଂଗଠନ ମାନେ ଏକ ମିଳିତ ପ୍ରତିବାଦ ଆୟୋଜନ କରିଛନ୍ତି ।
ଏପରି ଲଜ୍ଜା ଜନକ ଘଟଣା ସାରା ଦେଶକୁ ଲଜ୍ଜିତ କରିଥିବାବେଳେ ଘଟଣାର ଦୀର୍ଘ ୭୭ ଦିନ ପରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ ‘କଟା ଘା’ ରେ ଚୂନ ଦେବା ସଦୃଶ ବୋଲି ପ୍ରତିବାଦକାରୀ ମାନେ ସେମାନଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଶନ (ଏମ୍.ଆଇ.ଟି) ଗଠନ କରି ସମଗ୍ର ମଣିପୁର ଘଟଣାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚରମ ନିଷ୍କ୍ରିୟତା ବିରୋଧରେ ତଦନ୍ତ କରିବା, ଗୃହଦାହ ସମେତ ହତ୍ୟା ଓ ମହିଳା ମାନଙ୍କ ପ୍ରତି ଯୌନ ହି଼ଂସା ଘଟଣା ଗୁଡ଼ିକ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ମଣିପୁର ହିଂସା ବିଶେଷ କରି ଦୁଇ ମହିଳାଙ୍କୁ ଉଲଗ୍ନ ପରେଡ୍ କରାଇବା ଓ ଜଣଙ୍କୁ ଗଣଧର୍ଷଣ କରିବା ଭଳି ଘଟଣା ପଦାକୁ ଆସିବା ପରେ ମଣିପୁରରେ ବିଜେପିର ଡବଲ୍ ଇଞ୍ଜିନ୍ ଶାସନର ଅସଲ ଚରିତ୍ର ପଦାରେ ପଡିଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ବେଟି ପଢାଅ- ବେଟି ବଢାଅ ସ୍ଲୋଗାନ ଦେଉଥିବା ମନୁବାଦୀ ବିଜେପି ସରକାର ଜନସାଧାରଣଙ୍କ ମଧ୍ୟରେ ଭାଇଚାରା କୁ ନଷ୍ଟ କରି କେତେ ହିଂସା, ବିଦ୍ୱେଷ ଓ ଘୃଣାର ମହଲ ସୃଷ୍ଟି କରିପାରେ , ମଣିପୁର ତାହାର ସଦ୍ୟ ଉଦାହରଣ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ହିଂସା ଘଟଣାରେ ସେମାନଙ୍କ ସାମ୍ବିଧାନିକ ଦାୟିତ୍ଵ ପାଳନ କରିବା କ୍ଷେତ୍ରରେ ଚର୍ମ ନିଷ୍କ୍ରିୟତା ଅବଲମ୍ବନ କରିଥିବାରୁ ଓ ନିଜର କୁତ୍ସିତ ରାଜନୈତିକ ଫାଇଦା ପାଇଁ ଉଭୟ କୁକି ଓ ମୈତେଇ ସଂପ୍ରଦାୟ ମଧ୍ୟରେ ଘୃଣା ଓ ହିଂସାକୁ ପ୍ରୋତ୍ସାହନ ଦେଉଥିବାରୁ ମଣିପୁର ମୂଖ୍ୟମନ୍ତ୍ରୀ ବୀରେନ୍ଦ୍ର ସିଂ ଙ୍କ ସମେତ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦେବାକୁ ଆଜିର ଗଣ ପ୍ରତିବାଦରେ ଦାବି କରାଯାଇଛି। ଭାରତର ରାଷ୍ଟ୍ରପତି ଜଣେ ଆଦିବାସୀ ତଥା ମହିଳା ହୋଇଥିବାରୁ ଏହି ଘଟଣାରେ ସମ୍ବିଧାନର ଷଷ୍ଠ ଅନୁସୂଚିତ ଅଞ୍ଚଳରେ ନିଜର ସାମ୍ବିଧାନିକ କ୍ଷମତା ପ୍ରୟୋଗ କରିବାକୁ ପ୍ରତିବାଦକାରୀ ମାନେ ଅନୁରୋଧ କରିଛନ୍ତି ।
ଆଜିର ଏହି ଗଣ ପ୍ରତିବାଦରେ ଅଖିଳ ଭାରତ ଜନମଞ୍ଚ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ନ୍ୟାସନାଲ ଆଲିଆନ୍ସ ଅଫ୍ ଓମେନ୍ ଅର୍ଗାନାଇଜେସନ୍, ଅଲ୍ ଇଣ୍ଡିଆ ଡେମୋକ୍ରାଟିକ ଅର୍ଗାନାଇଜେସନ୍, ଲୋକଶକ୍ତି ଅଭିଯାନ, ଅଖିଳ ଭାରତ ଛାତ୍ରସଂଘ, ଫରୱାର୍ଡ ବ୍ଲକ୍, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି), ବସ୍ତି ସୁରକ୍ଷା ମଞ୍ଚ, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମ୍(ଇନସାଫ୍), ସିଭିଲ ସୋସାଇଟି ଫୋରମ୍ ଅଫ୍ ହ୍ୟୁମାନ ରାଇଟ୍ସ, ଚାଷୀ ମୂଲିଆ ସଂଘ, ମୂଳ ନିବାସୀ ସମତା ପରିଷଦ, ଓଡ଼ିଶା ଦଳିତ ଅଧିକାର ମଞ୍ଚ, ଅଲ୍ ଇଣ୍ଡିଆ ରିଭୋଲ୍ୟୁସନାରୀ ଓମେନ ଅର୍ଗାନାଇଜେସନ୍,ସଂଯୁକ୍ତ କୃଷକ ମୋର୍ଚ୍ଚା ସହ ସହବନ୍ଧିତ ବିଭିନ୍ନ କୃଷକ ସଂଗଠନ, ବିଭିନ୍ନ ଶ୍ରମିକ ସଂଗଠନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଇସକଫ୍, ଆମ ଅଧିକାର,ଓଡ଼ିଶା ଜନ ଅଧିକାର ମଞ୍ଚ ସମେତ ଅନ୍ୟାନ୍ୟ ସଂଗଠନ ର ପ୍ରତିନିଧି, ମାନବାଧିକାର କର୍ମୀ, ଶିକ୍ଷାବିତ, ସାମ୍ବାଦିକ, ବିଭିନ୍ନ ଗାନ୍ଧୀବାଦୀ ସଂଗଠନର ସଦସ୍ୟ ମାନେ ସାମିଲ୍ ହୋଇଥିଲେ ।।

Leave A Comment

All fields marked with an asterisk (*) are required