ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ଯାତ୍ରା ଓ ସମାବେଶ
ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ଯାତ୍ରା ଓ ସମାବେଶ
ଭୁବନେଶ୍ୱର, ୨୧.୧ : ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆସନ୍ତା ଜାନୁଆରୀ ୨୩ ତାରିଖରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ସମାବେଶ କରାଯିବ । ଏହା ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ଏକ ଯାତ୍ରା ବାହାରି ଏଜି ଛକଠାରେ ଥିବା ସମ୍ବିଧାନ ରଚୟିତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେଠାରେ ଏହି ଆନ୍ଦୋଳନର ଉଦ୍ଦେଶ୍ୟକୁ ବ୍ୟକ୍ତ କରାଯିବ । ଦେଶ ତଥା ରାଜ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ସ୍ୱପ୍ନ, ସମ୍ବିଧାନ ରଚୟିତା ଆମ୍ବେଦକରଙ୍କ ବିଚାରଧାରା ଏବଂ ବିଶେଷକରି ସମ୍ବିଧାନକୁ ଏବେ ଧୂଳିସାତ କରିବା ପାଇଁ ମୋଦି ସରକାର, ବିଜେପି, ଆରଏସ୍ଏସ୍ ଏବଂ ଅନ୍ୟାନ୍ୟ ଗୈରୀକ ସଂଗଠନ ଚକ୍ରାନ୍ତ ଚଳାଇଛନ୍ତି ।
*ଜୟ ବାପୁ*
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାପୁଜୀ ଯେଉଁ ରାମରାଜ୍ୟ କଥା କହିଥିଲେ, ବିଜେପିର ରାମରାଜ୍ୟ ତାହାଠାରୁ ଭିନ୍ନ । ବାପୁଜୀଙ୍କ ରାମରାଜ୍ୟରେ ସମାନତା, ସହନଶୀଳତା, ସାଧୁତା, ସଂଯମତା ଓ ଭ୍ରାତୃଭାବ ରହିଥିବା ବେଳେ ବିଜେପିର ରାମରାଜ୍ୟ ରାବଣ ରାଜ୍ୟ ସଦୃଶ । ବର୍ତ୍ତମାନ ମୋଦି ସରକାର ଗାନ୍ଧିବାଦକୁ ବିଲୋପ କରି ଦେଶରେ ନାଥୁରାମବାଦ ପ୍ରଚଳନ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଜାତି, ଧର୍ମ, ବର୍ଣ୍ଣ ଆଧାରରେ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ସୁତରାଂ ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ଭାରତର ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନକୁ ବିଜେପି ଚୁରମାର କରିବାକୁ ବିଧିବଦ୍ଧ ଯୋଜନା ଚଳାଇଛି । ବିଜେପି ନିର୍ଦ୍ଦେଶରେ ବିଭିନ୍ନ ଗୈରୀକ ସଂଗଠନ ଦେଶର ବିଭିନ୍ନ ସ୍ଥାନରେ ଦେଶଦ୍ରୋହୀ ନାଥୁରାମ ଗଡ଼ସେକୁ ପୂଜା କରୁଛନ୍ତି । ଯେଉଁ ନାଥୁରାମ ଗଡ଼ସେ ଭାରତର ପ୍ରଥମ ସନ୍ତ୍ରାସ ଭାବରେ ପରିଚୟ ସୃଷ୍ଟି କରିଥିଲା । ଆଜିର ସମାଜକୁ ହିଂସା, ଘୃଣାକୁ ବିଲୋପ କରିବାକୁ ହେଲେ ଗାନ୍ଧୀବାଦର ପ୍ରାସଙ୍ଗିକ ହୋଇପଡ଼ିଛି । ଆମର ଜନନାୟକ ରାହୁଲ ଗାନ୍ଧୀ ଘୃଣାର ବଜାରରେ ‘ମୋହବତ କି ଦୁକାନ’ ଖୋଲିବା ପାଇଁ ଆହ୍ୱାନ ଦେଇଛନ୍ତି । ଯାହାକି ଗାନ୍ଧିବାଦର ଏକ ପ୍ରୟୋଗ ବୋଲି କହିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଘୃଣା ଓ ହିଂସା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ । ଆଜିର ଓଡ଼ିଶାରେ ଗୈରୀକ ସଂଗଠନ ଦ୍ୱାରା ମୁସ୍ଲିମ୍ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘରପାଖରେ ଆଦିବାସୀ ମହିଳାଙ୍କୁ ଯେଭଳି ଭାବରେ ଉଲଗ୍ନ କରି ଚପଲରେ ମାଡ଼ ମରାଗଲା, ତାହା ମଣିପୁର ବର୍ବୋରତାକୁ ଅତିକ୍ରମ କରିଛି । ସେହିପରି ଖୋର୍ଦ୍ଧାରେ ଜଣେ ମୁସଲିମ ଯୁବକଙ୍କୁ ହତ୍ୟା ଏବଂ ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କୁ ଆକ୍ରମଣ ଘଟଣା ମୋହନ ସରକାରର ୭ ମାସ ଶାସନରେ ଅଧିକ ପରିଲକ୍ଷିତ ହେଉଛି । ଛାତ୍ର କଂଗ୍ରେସର କାର୍ଯ୍ୟକ୍ରମ ବିଜେପିର ହିଂସା ଓ ଘୃଣା ବିରୋଧୀ ।
*ଜୟ ଭୀମ୍*
ଦେଶର କୋଟି କୋଟି ଉପେକ୍ଷିତ, ଅତ୍ୟାଚାରିତ ଓ ନିଷ୍ପେସିତ ଜନତାର ତ୍ରାଣକର୍ତ୍ତା ହେଉଛନ୍ତି ଆମ୍ବେଦକର । ଆମ୍ବେଦକରଙ୍କ ଦ୍ୱାରା ପ୍ରଦତ୍ତ ପବିତ୍ର ସମ୍ବିଧାନର ସ୍ଥାନ ଗୀତା, ବାଇବେଲ, କୋରାନ, ତ୍ରିପିଟକ ଆଦି ପବିତ୍ର ଧର୍ମଗ୍ରନ୍ଥ ଠାରୁ ଉଚ୍ଚରେ । କାରଣ ସର୍ବ ଧର୍ମ ଓ ସବୁବର୍ଗର ଲୋକ ଆମ୍ବେଦକରଙ୍କ ଦ୍ୱାରା ରଚିତ ସମ୍ବିଧାନର ମାର୍ଗଦର୍ଶିକା ଅନୁଯାୟୀ ଭାରତରେ ବସବାସ କରିପାରିବେ । ତେଣୁ ପ୍ରତିଟି ଭାରତୀୟଙ୍କ ପାଇଁ ଆମ୍ବେଦକର ହେଉଛନ୍ତି ପ୍ରଣମ୍ୟ ପୁରୁଷ । ସେହି ଆମ୍ବେଦକରଙ୍କୁ ବିଜେପି ସରକାର କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଅପମାନିତ କରିଛନ୍ତି । କଂଗ୍ରେସ ପକ୍ଷରୁ ସଂସଦରେ ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣକୁ ସେ ପସନ୍ଦ କରିନାହାଁନ୍ତି । ତେଣୁ ବିଜେପି ସରକାର ସମ୍ପୂର୍ଣ୍ଣ ଆମ୍ବେଦକର ବିରୋଧୀ । ମାତ୍ର ଛାତ୍ର କଂଗ୍ରେସ ଆମ୍ବେଦକରଙ୍କର ଜୀବନ ଦର୍ଶନ, ବାର୍ତ୍ତା ଓ ନିର୍ଦ୍ଦେଶକୁ ପାଳନ କରିବ ଏବଂ ପ୍ରଚାର କରିବ । ବିଜେପିର ଆମ୍ବେଦକର ବିରୋଧୀ ଆଭିମୁଖ୍ୟକୁ ଘୋର ପ୍ରତିବାଦ କରିବ ।
*ଜୟ ସମ୍ବିଧାନ*
ଆମ୍ବେଦକର ଏବଂ ଭାରତର ରାଷ୍ଟ୍ରନାୟକଙ୍କର ସ୍ୱପ୍ନ ଓ ସଂକଳ୍ପର ପ୍ରତିରୂପ ହେଉଛି ଭାରତର ସମ୍ବିଧାନ । ଭାରତର ସମ୍ବିଧାନ ହେଉଛି ଭାରତୀମାନଙ୍କର ଆଚରଣ ସଂହିତା । ଏ ସମ୍ବିଧାନକୁ ମୋଦି ସରକାର ବିରୋଧୀ କରୁଛି । କାରଣ ମୋଦି ସରକାର ସେହି ମଧ୍ୟଯୁଗୀୟ ବ୍ୟବସ୍ଥାର ମନୁସ୍ମୃତିର ପ୍ରଚଳନ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ମୋଦି ସରକାର ସମ୍ବିଧାନର ବ୍ୟବସ୍ଥାର ଘୋର ଉଲଙ୍ଘନ କରୁଛି । କଂଗ୍ରେସ ତଥା ଯେଉଁ ଅଣବିଜେପି ଦଳ ମୋଦି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଇଡ଼ି, ସିବିଆଇ ଆଦି ପ୍ରୟୋଗ କରି ହଇରାଣ ହରକତ କରାଯାଉଛି । ଅର୍ଥାତ୍ ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପି ସରକାର ନିରପେକ୍ଷ ହେବାକୁ ଦେଉନାହାଁନ୍ତି । କୋର୍ଟ, ନିର୍ବାଚନ କମିଶନ ଠାରୁ ଆରମ୍ଭ କରି ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଏବଂ ବିଶେଷକରି ଦେଶର ଗଣତନ୍ତ୍ର ମୋଦି ସରକାର ଅମଳରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସମ୍ବିଧାନ ସୁରକ୍ଷା ପାଇଁ ଛାତ୍ର କଂଗ୍ରେସ ସଂଗ୍ରାମ ଜାରି ରଖିବ । ଆଗାମୀ ଜାନୁଆରୀ ୨୩ରେ ଛାତ୍ର କଂଗ୍ରେସ ପକ୍ଷରୁ ‘ଜୟ ବାପୁ, ଜୟ ଭୀମ୍ ଓ ଜୟ ସମ୍ବିଧାନ’ ଯାତ୍ରା ଓ ସମାବେଶ ନାମରେ ଯେଉଁ ଆନ୍ଦୋଳନ ହେବ, ସେହି ଆନ୍ଦୋଳନରେ ଭାରତୀୟ ଏନ୍ଏସ୍ୟୁଆଇର ରାଷ୍ଟ୍ରୀୟ ସଭାପତି ଶ୍ରୀ ବରୁଣ ଚୌଧୁରୀ ଯୋଗଦେବେ ।
*ଓଡ଼ିଶାର ଶିକ୍ଷା ବ୍ୟବସ୍ଥା*
ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ । ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୬୦ପ୍ରତିଶତ ଅଧ୍ୟାପକ ନାହାଁନ୍ତି । ସେହିପରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ କଲେଜ ଓ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷକ ମରୁଡ଼ି ପରିସ୍ଥିତି ଉତ୍କଟ ହୋଇଛି । ଭିତ୍ତିଭୂମି ମଧ୍ୟ ଅତି ଦୁର୍ବଳ, ଯାହା ଶିକ୍ଷା ବେପାରୀଙ୍କୁ ସୁହାଉଛି । ସରକାର ଓ ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶାର ଛାତ୍ରମାନଙ୍କର ଭବଷ୍ୟତ ଅନ୍ଧକାର ହୋଇଯାଉଛି । ସରକାରୀ ଶିକ୍ଷାନୁଷ୍ଠାନ ଦୁର୍ବଳ ହୋଇଯାଉଛି ଏବଂ ଘରୋଇ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ସରକା ପ୍ରୋତ୍ସାହନ ଦେଉଛନ୍ତି । ସାରା ଦେଶରେ ର୍ୟାଗିଂ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତୃତୀୟ । କ୍ୟାମ୍ପସ ଅସୁରକ୍ଷିତ । ସରକାରୀ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ଅର୍ଥ ବାଟମାରଣା ହେଉଛି । ଛାତ୍ର କଂଗ୍ରେସ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରଖିବ । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଶ୍ୱଭୂଷଣ ମହାପାତ୍ର, କାର୍ତ୍ତିକେଶ୍ୱର କାଣ୍ଡି, ଶୁଭମ ରାଜ ଓ ସୁନିଲ ସାହୁ ଗାନ୍ଧୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।