ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର
ସଂରଚନା ଉତ୍ସବ ୨୦୨୪ ଉଦ୍ଯାପିତ
ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ଓଡ଼ିଶୀ ଦଳଗତ ନୃତ୍ୟରେ ଦର୍ଶକ ବିଭୋର
ଭୁବନେଶ୍ୱର (୦୩.୧୧.୨୦୨୪) : କଟକର ଏକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ସୁର ମନ୍ଦିର ଦ୍ୱାରା ଦୁଇଦିନ ଧରି ଆୟୋଜିତ ସଂରଚନା ଉତ୍ସବ ୨୦୨୪ ଆଜି ରବିନ୍ଦ୍ର ମଣ୍ଡପରେ ଉଦ୍ଯାପିତ ହୋଇଯାଇଅଛି । ଉଦ୍ଯାପନୀ ସନ୍ଧ୍ୟାରେ ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା । ପ୍ରଦର୍ଶନ କଳା କ୍ଷେତ୍ରରେ ନୂତନ ତଥା ପ୍ରତିଜ୍ଞାକାରୀ ପ୍ରତିଭାମାନଙ୍କୁ ଉପଯୁକ୍ତ ତାଲିମ ଏବଂ ମାର୍ଗଦର୍ଶନ ଦେବା ସହିତ ବିଭିନ୍ନ ନୃତ୍ୟରେ ତଥା ସେମାନଙ୍କ ସାଂସ୍କୃତିକ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ ଏବଂ ବିକାଶ କରିବା ହେଉଛି ସୁର ମନ୍ଦିର ନୃତ୍ୟଅନୁଷ୍ଠାନର ମୂଳ ଉର୍ଦ୍ଦେଶ୍ୟ । ସଂରଚନା ଉତ୍ସବ ଆୟୋଜନର ମୂଳ ଉର୍ଦ୍ଦେଶ୍ୟ ହେଉଛି ଓଡ଼ିଶୀ ନୃତ୍ୟରେ ବିଶିଷ୍ଟ ନୃତ୍ୟ ସଂରଚକମାନଙ୍କ ଦ୍ୱାରା ପରିବେଷ୍ଟିତ ନୃତ୍ୟକୁ ଲୋକଲୋଚନକୁ ଆଣିବା ଓ ତାର ପ୍ରଚାର ପ୍ରସାର କରିବା ।
ଉଦ୍ଘାଟନୀ ସଂଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ (ଡ଼କ୍ଟର) ଅରୁଣା ମହାନ୍ତି; ଭାରତ ସରକାରଙ୍କ ଆଇ.ସି.ସି.ଆରର ଉପ ମହାନିର୍ଦ୍ଦେଶକ ଅଞ୍ଜୁ ରଞ୍ଜନ; ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ସୁର ମନ୍ଦିରର ପ୍ରତିଷ୍ଠାତା ଗୁରୁ ଜୋତ୍ସ୍ନା ସାହୁ ।
ସଂଧ୍ୟାର ପ୍ରଥମ ଉପସ୍ଥାପନା ଥିଲା ସୁର ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ । ସେମାନେ ପ୍ରଥମେ ପ୍ରସ୍ତୁତ କରିଥିଲେ ଅଭିନୟ ଗଜାନନ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଗ୍ନିମିତ୍ର ବେହେରା ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ନାଦ ନିନାଦ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିନୟ ପଚାରିଲେ ରାଧିକାକୁ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ । ପର ପ୍ରସ୍ତୁତିଟି ଥିଲା ଅଭିନୟ ସଙ୍ଗୀତ ଯାହାର ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ । ସୁର ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନଙ୍କର ଶେଷ ପ୍ରସ୍ତୁତିଟି ଥିଲା ଅଗ୍ନି ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ତାଳ ସଂଯୋଜନା କରିଥିଲେ ଗୁରୁ ବିଜୟ ବାରିକ୍ । ସମସ୍ତ ପ୍ରସ୍ତୁତିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଜୋତ୍ସ୍ନା ସାହୁ ।
ଉଦ୍ଯାପନୀ ସଂଧ୍ୟାର ଦ୍ୱିତୀୟ ଉପସ୍ଥାପରେ ଥିଲା ନୃତ୍ୟପୁରୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନଙ୍କ ପ୍ରସ୍ତୁତିରେ ଥିଲା ମଦନମୋହନ ଅଷ୍ଟକମ୍ ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଏ. ମହେଶ୍ୱର ରାଓ, ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ମୁକ୍ତିଲତା ପାଲ୍ ।
ସୁର ମନ୍ଦିର ଓ ନୃତ୍ୟପୁରୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଉପସ୍ଥାପିତ ଓଡ଼ିଶୀ ନୃତ୍ୟରେ ଶରୀରର ଗତିବିଧି ସହିତ ଚମତ୍କାର ସଠିକତା ଏବଂ ଚିତ୍ତାବର୍ଷକ ଅଙ୍ଗଭଙ୍ଗୀ ସେମାନଙ୍କର ନୃତ୍ୟ ସମୟରେ ଚିହ୍ନିତ ହୋଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ସୁର ମନ୍ଦିରର ପ୍ରତିଷ୍ଠାତା ଗୁରୁ ଜୋତ୍ସ୍ନା ସାହୁ ଓ ପରିଚାଳନା କରିଥିଲେ ଡ଼କ୍ଟର ଶ୍ରୀନିବାସ ଘଟୁଆରୀ ।