ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା
ଅଦିନିଆ ରଥଯାତ୍ରା କଲେ ଇସ୍କନକୁ ଓଡିଶା ଛାଡିବାକୁ ପଡିବ : କଳିଙ୍ଗ ସେନା
ଭୁବନେଶ୍ୱର, ୦୧/୧୧ : ଅଦିନିଆ ରଥଯାତ୍ରା ଆୟୋଜନର ଘୋଷଣା କରି ଇସ୍କନ ସଂସ୍ଥା ଯେଭଳି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଉପହାସ କରୁଛି ତାହାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ଆବଶ୍ୟକ ପଡିଲେ ଓଡିଶାରେ ଥିବା ଇସ୍କନ ସଂସ୍ଥାରେ ତାଲା ପକାଇ ଦିଆଯିବ ବୋଲି ଚେନାବନୀ ଦେଇଛନ୍ତି କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଶ୍ରୀ ରଥ ଆଜି ସ୍ଥାନୀୟ ଇସ୍କନ ମନ୍ଦିର ସମ୍ମୁଖରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇସ୍କନ କର୍ତ୍ତୃପକ୍ଷ ଜାଣିଶୁଣି ଏଭଳି କରୁଛନ୍ତି । ପୂର୍ବରୁ ଏଭଳି ପଦକ୍ଷେପ ନେଇ ପ୍ରବଳ ବିରୋଧ ପରେ ସେଥିରୁ ଓହରିଥିଲେ । ହେଲେ ପୁଣିଥରେ ସେମାନଙ୍କର ପୁରୁଣା ରୋଗ ବାହାରିଛି । ତେଣୁ ଏଥର ଯଦି ଇସ୍କନ କୌଣସି ସ୍ଥାନରେ ଅଦିନରେ ରଥଯାତ୍ରା କରିଥିବା ପ୍ରମାଣ ମିଳିବ ତେବେ ଇସ୍କନର ସମସ୍ତଙ୍କୁ ଓଡିଶା ଛାଡିବାକୁ ପଡିବ । କାରଣ ଜଗନ୍ନାଥ ମାଟିରେ ରହି ଜଗନ୍ନାଥଙ୍କୁ ଅପମାନିତ କରିବାକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ । ନିଜକୁ ଜଗନ୍ନାଥପ୍ରେମୀ କହୁଥିବା ଇସ୍କନ କର୍ମକର୍ତ୍ତା ମନ ଭିତରେ ବାସ୍ତବରେ ଯେ ଜଗନ୍ନାଥ କିମ୍ବା ଜଗନ୍ନାଥ ସଂସ୍କୃତି ପ୍ରତି କୌଣସି ସମ୍ମାନ ନାହିଁ ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତେଣୁ ଏଭଳି ଜଗନ୍ନାଥ ଓ ସନାତନ ବିରୋଧିମାନଙ୍କର ସ୍ଥାନ ଜଗନ୍ନାଥଙ୍କ ମାଟିରେ ନାହିଁ । ତୁରନ୍ତ ଇସ୍କନ କର୍ତ୍ତୃପକ୍ଷ ରଥଯାତ୍ରା ନିଷ୍ପତ୍ତିରୁ ଓହରିବା ସହିତ ଜଗନ୍ନାଥପ୍ରେମୀଙ୍କ ସମ୍ମୁଖରେ କ୍ଷମା ମାଗିବାକୁ ଶ୍ରୀ ରଥ ପରାମର୍ଶ ଦେଇଛନ୍ତି । ଏହା ନହେଲେ ଆଗାମୀ ଦିନରେ ଇସ୍କନ କର୍ମକର୍ତ୍ତାଙ୍କୁ ପ୍ରବଳ ବିରୋଧ କରାଯିବ ବୋଲି ସେ କହିଛନ୍ତି ।