Search for:
  • Home/
  • ରାଜ୍ୟ/
  • ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’

Spread the love

Loading

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ-୨୦୨୪’
ଶିକ୍ଷା ହିଁ ଅର୍ଥନୀତିକୁ ଆଗକୁ ଯିବା ପାଇଁ ସୁଯୋଗ ଦେଇଥାଏ: ଉଚ୍ଚ ଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ
ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ନେଇ ଉତ୍କଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ରାଜ୍ୟ ସରକାର- ଉଚ୍ଚ ଶିକ୍ଷା ସଚିବ ତଥା କମିଶନର ଅରବିନ୍ଦ ଅଗ୍ରୱାଲ
ଭୁବନେଶ୍ୱର : ୨୦୨୪-୨୫  ଶିକ୍ଷା ବର୍ଷରେ ନାମ ଲେଖାଇ ଥିବା ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୀକ୍ଷାନ୍ତ ଭବନରେରେ ‘ପ୍ରବେଶ ଉତ୍ସବ-୨୦୨୪’  ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନ ଉତ୍ସବ ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ ଭିଡିଓ ବାର୍ତ୍ତା ପ୍ରଦାନ କରି କହିଛନ୍ତି ଯେ ଏକକ ପିଜି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣହୋଇ  ଉତ୍କଳ ବିଶ୍ୱବିଦ୍ୟାଳୟପରି ଏକ ସୁପ୍ରସିଦ୍ଧ ଏବଂ ଐତିହ୍ୟ ସମ୍ପନ୍ନ ଶିକ୍ଷାନୁଷ୍ଠାନରେ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରୁଛି।  ଶିକ୍ଷା ହିଁ ଅର୍ଥନୀତିକୁ ଆଗକୁ ଯିବା ପାଇଁ ସୁଯୋଗ ଦେଇଥାଏ । ଯେଉଁ ସମାଜ ଓ ସଭ୍ୟତା ଯେତେ ଶିକ୍ଷିତ ଓ ଯେତେ ସଂସ୍କାରି ସେ ରାଜ୍ୟ ଓ ଦେଶ ସେତେ ଗୌରବଶାଳୀ ହେବ। ଛାତ୍ରଛାତ୍ରୀମାନେ  ପାଠ ପଢା ସହ ଜାତି, ରାଜ୍ୟ ଓ ଦେଶ ପାଇଁ କାର୍ଯ୍ୟ କରିବା ଦରକାର। ଆଉ ୧୨ ବର୍ଷ ପରେ ୨୦୩୬ ରେ ମସିହାରେ ଆମ ଓଡିଶା ତାର ଜନ୍ମର ଶତବାର୍ଷିକୀ ପାଳନ କରିବା। ସେହି ସମୟରେ  ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ତଥା ଆନୁସଙ୍ଗିକ ବ୍ୟବସ୍ଥାକୁ ନିର୍ଦ୍ଧାରିତ କରିବ  ଶିକ୍ଷା ବ୍ୟବସ୍ଥା। ଛାତ୍ରଛାତୀ ଶିକ୍ଷିତ ଓ ସଂସ୍କାରିତ ହେବା ସେମାନଙ୍କ ମାନସ ପଟରେ ଯେଉଁ ନୂଆ ଉନ୍ମେଷ ଘଟିବ ତାହାହିଁ  ୧୯୩୬ ମସିହାରେ କାମରେ ଲାଗିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି।
ଉଚ୍ଚ ଶିକ୍ଷା ସଚିବ ତଥା କମିଶନର ଅରବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଛନ୍ତି ଯେ  ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତାକୁ ଫେରାଇ ଅଣାଯିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଣିକି  ବିଶ୍ୱବିଦ୍ୟାଳୟ କର୍ତ୍ତୃୟପକ୍ଷ ନିଜର ଆବଶ୍ୟକତା ଅନୁଯାଇ ଶିକ୍ଷକ ନିଯୁକ୍ତି କରିପାରିବେ । ଖୁବ ଶୀଘ୍ର ଏହି ସମସ୍ୟା ଦୂର ହୋଇପାରିବ। ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ନେଇ ଉତ୍କଳକୁ ସମସ୍ତ ପ୍ରକାର ସହାୟତା ରାଜ୍ୟ ସରକାର ଯୋଗାଇଦେବେ। ଦେଶ ନୁହେଁ ବିଶ୍ୱରେ ଉତ୍କଳ  ଯେଭଳି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇ ପାରିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବାକୁ ଶ୍ରୀ ଅଗ୍ରୱାଲ ଆହ୍ୱାନ ଦେଇଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ପ୍ରମୁଖ ପରାମର୍ଶଦାତା ସନ୍ତୋଷ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ନିଜକୁ ଶୃଙ୍ଖଳିତ କରିବ ସହ ନିଜକୁ କିଭଳି ଜଣେ ଭଲ ମଣିଷ ଭାବରେ ଗଢିତୋଳିବେ ସେଥିପାଇଁ ନିରନ୍ତର ଉଦ୍ୟମ ଜାରି ରଖିବା ଦରକାର।  ସେମାନଙ୍କ  ଭିତରେ  ଦୟା ଓ କ୍ଷମା ମନୋଭାବ ରହିବା ଅବଶ୍ୟକ । ଏହା ଅନ୍ତରାତ୍ମାକୁ ଖୁସି ପ୍ରଦାନ କରିବ । ସେହିଭଳି  ବ୍ୟାୟାମ ଓ ପ୍ରାଣାୟାମ ଉପରେ ଗୁରୁତ୍ୱ ଦେବା ଉଚିତ। ପାଠ ପଢା ପାଇଁ କଠିନ ପରିଶ୍ରମ ଏବଂ ସାଂସ୍କୃତିକ, ଅର୍ଥନୈତିକ, ସମାଜ ସେବା  ଓ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଲେ ସଫଳତା ନିଶ୍ଚୟ ମିଳିପାରିବ ବୋଲି ଶ୍ରୀ ଶତପଥି କହିଛନ୍ତି ।
ପ୍ରବେଶ ଉତ୍ସବ ୨୦୨୪ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ ନବାଗତ ଭାବେ ନୂଆ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ, ଆସନ୍ତା ୨ ବର୍ଷ ଭବିଷ୍ୟତ ଗଢ଼ିବା କ୍ଷେତ୍ରରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସାମଗ୍ରିକ ବିକାଶ କ୍ଷେତ୍ରରେ ବିଶ୍ଵବିଦ୍ୟାଳୟ ସମସ୍ତଙ୍କୁ ସହାୟକ ହେବ । ନୂତନ ଶିକ୍ଷା ନୀତି ଲାଗୁ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପାଠ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ସମସ୍ତ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ସୃଜନଶୀଳ ଚିନ୍ତାଧାରା, ଦୃଢ ଆତ୍ମବିଶ୍ୱାସ, ଯୋଜନାବଦ୍ଧ କାର୍ଯ୍ୟଶୈଳୀ ଏବଂ ଆହ୍ୱାନକୁ ସୁଯୋଗରେ ପରିଣତ  ମନୋଭାବ ରଖି ଲକ୍ଷ ହାସଲ ପାଇଁ ନିରନ୍ତର ଅଭ୍ୟାସ ଜାରି ରଖିବା ଆବଶ୍ୟକ ବୋଲି  ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ  କରିଛନ୍ତି।
ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ବିକାଶ ପରିଷଦ ନିର୍ଦ୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ଯୋଗ ଦେଇ ଶିକ୍ଷାର୍ଥୀ ଙ୍କୁ ବିଶ୍ୱବିଦ୍ୟାଳୟ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ବିଶ୍ଵବିଦ୍ୟାଳୟର ଶିକ୍ଷାର୍ଥୀ ହେଉଛନ୍ତି ପ୍ରାଇମେରୀ ଷ୍ଟେକହୋଲଡର । ସକ୍ରିୟ ଭାଗିଦାରିତା ସବୁବେଳେ ପ୍ରଗତି କ୍ଷେତ୍ରରେ ସବୁବେଳେ ସହାୟକ ହୁଏ । ବିଶ୍ବବିଦ୍ୟାଳୟ ରେ ୬ଟି କ୍ଳବ ରହିଛି । ଏଥିରେ ଭାଗ ନେଇ ଶିକ୍ଷାର୍ଥୀ ନିଜର ବ୍ୟକ୍ତିତ୍ଵ ବିକାଶ କରିପାରିବେ । ଶେଷରେ ନିଜର ମତାମତ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ତାର ପ୍ରଚେଷ୍ଟାକୁ ଅଧିକ ଉନ୍ନତ କରିପାରିବ । ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବିଶ୍ୱବିଦ୍ୟାଳୟ ଶିକ୍ଷାର୍ଥୀ ଭାବେ ଆମର ଦାୟିତ୍ବ ରହିଛି । ଜଳ ସଂରକ୍ଷଣ ସହ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ସୃଷ୍ଟି କରିବା ପ୍ରତି ଶିକ୍ଷାର୍ଥୀଙ୍କ କର୍ତ୍ତବ୍ୟ ରହିବା ଆବଶ୍ୟକ ବୋଲି ପ୍ରଫେସର ଦାସ କହିଛନ୍ତି।
ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ନବନୀତା ରଥ ସ୍ୱାଗତ ଭାଷଣ ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହକାରୀ ପ୍ରଫେସର ରୁଦ୍ର ନାରାୟଣ ମହାପାତ୍ର, ଡ଼. ସ୍ୱପ୍ନା ପ୍ରଭୁ ଓ କିର୍ତ୍ତୀରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ଏହି ଅବସରରେ ବିଶ୍ଵବିଦ୍ୟାଳୟର ଛାତ୍ରୀନିବାସ ଓ ଛାତ୍ରାବାସ, ଆଣ୍ଟି ରାଗିଂ କମିଟି, ଗବେଷଣା ବିଭାଗ, ବିଶ୍ୱବିଦ୍ୟାଳୟ ଗ୍ରନ୍ଥାଗାର, ଆନ୍ତର୍ଜାତୀୟ ବିଭାଗ, ଅଥଲେଟିକ କ୍ଳବ୍, ପରୀକ୍ଷା ପଦ୍ଧତି, ଉଦ୍ୟୋଗ, ନିଯୁକ୍ତି ସେଲ, ଅନ୍ତରୀଣ ଅଭିଯୋଗ କମିଟି, ଭିନ୍ନକ୍ଷମ ସେଲ, ଜାତୀୟ ସେବା ଯୋଜନା, ମେଡିକାଲ ସୁବିଧା ଇତ୍ୟାଦି ବିଷୟରେ ପ୍ରଫେସର କବୀର ମୋହନ ସେଠୀ, ପ୍ରଫେସର ଭାସ୍ଵତୀ ପଟନାୟକ, ପ୍ରଫେସର ଜେ.ଦଣ୍ଡପାଟ, ପ୍ରଫେସର ଜୟନ୍ତୀ ଦୋରା, ପ୍ରଫେସର ଏ.ଏ. ଖାନ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ଶ୍ରୀରୁପ ଗୋସ୍ୱାମୀ, ପ୍ରଫେସର ବଦ୍ରିନାରାୟଣ ପାତ୍ର, ଡ଼. ଜ୍ଞାନରଞ୍ଜନ ସାହୁ  ପ୍ଳେସେମେଣ୍ଟ ଅଫିସର ଡ଼.ସରିତ ପଣ୍ଡା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲେ।

Leave A Comment

All fields marked with an asterisk (*) are required