ଖୋର୍ଦ୍ଧା ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଙ୍ଗୀନ ସ୍ଥିତି
ଖୋର୍ଦ୍ଧା ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଙ୍ଗୀନ ସ୍ଥିତି
ଭୁବନେଶ୍ୱର:ଗତ କାଲି ବାଲିଅନ୍ତା ପୋଲିସ ଷ୍ଟେସନରେ ଆଉ ଏକ ଶିଶୁ ଶ୍ରମିକ ମାମଲା ରଜ୍ଜୁ ହୋଇଛି। ଗତ ୧୨/୦୯/୨୦୨୪ ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ଵେଚ୍ଛାସେବୀ ଓ ବାଳକାଟି ପୋଲିସ କର୍ମୀ ମିଳିତ ଭାବେ ବାଳକାଟି ସାଇପନ୍ ଛକ ଠାରେ ଏକ ଜଳଖିଆ ଦୋକାନ ଉପରେ ଚଢ଼ାଉ କରି ଗୋଟିଏ ୧୨ବର୍ଷର ଶିଶୁ ଶ୍ରମିକଙ୍କୁ କାମ କରୁଥିବା ଅବସ୍ଥାରେ ଉଦ୍ଧାର କରିଥଲେ। ପିଲାଟି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର ଜଣେ ଗରିବ ଶ୍ରମିକ ପରିବାରରୁ ଚାଲାଣ ହୋଇ ବାଲିଅନ୍ତା ଅଞ୍ଚଳରେ କାମରେ ନିଯୁକ୍ତି କରାଯାଇଥିଲା। ପିଲାକୁ କାଉନସେଲିଂ ପରେ ଜଣା ଯାଇଛି ଯେ ତାର ବାପା ମା ଦୁଇ ଜଣ ଯାକ ବାଲିଅନ୍ତା ଅଞ୍ଚଳରେ ଏକ ଇଟା ଭାଟିରେ ଶ୍ରମିକ ଭାବେ କାମ କରନ୍ତି। ଦାରିଦ୍ର୍ୟର କଷାଘାତରେ ସନ୍ତୁଳିତ ହୋଇ ବାପା ମା ଗାଁ ଛାଡିଥିବା ବେଳେ ପିଲାଟି ମଧ୍ୟ ବିଦ୍ୟାଳୟ ଛାଡ଼ି ଶିଶୁ ଶ୍ରମିକ ଭାବରେ ନିୟୋଜିତ ହୋଇଥିବାର ସୂଚନା ମିଳିଛି। ଶିଶୁ ଶ୍ରମିକଟି ଉଦ୍ଧାର ପରେ ତାକୁ ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ ଭୈରବୀ କ୍ଳବ୍ ଓପନ ସେଲଟରରେ କାଉନସେଲିଂ ନିମନ୍ତେ ରଖା ଯାଇଅଛି।
ଗତ ଜୁନ ମାସ ଠାରୁ ଏପର୍ଯ୍ୟନ୍ତ କମିଶନରେଟ ପୋଲିସ ଓ ଶ୍ରମ ଅଧିକାରୀଙ୍କ ସହାୟତାରେ ପ୍ରାୟ ୩୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଅଛି ଓ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ପ୍ରାୟ ୨୮ ଟି ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ପିଲାଙ୍କୁ ଶିଶୁ କଲ୍ୟାଣ ସମିତିରେ ଉପସ୍ଥିତ କରାଯାଇ ଓପନ ସେଲଟର ମାନଙ୍କରେ ରଖାଯାଇ କାଉନସେଲିଂ କରାଯାଇଛି ।
ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଥଇଥାନ କରିବା ଦିଗରେ କମିଶନରେଟ ପୋଲିସ, ଶ୍ରମ ଅଧିକାରୀ, ଚାଇଲ୍ଡଲାଇନ ଓ ରୁଚିକା ଭଳି ସ୍ଵେଚ୍ଛାସେବୀ ସଂଗଠନ ମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହି ଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ କରାଗଲେ ଶିଶୁ ଶ୍ରମିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ଆଶା ବ୍ୟକ୍ତ କରିଛନ୍ତି।