କଏଦୀଙ୍କୁ ମାଡ଼ମାରି ଲହୁଲୁହାଣ ମେଡ଼ିକାଲ ଭର୍ତି।
କଏଦୀଙ୍କୁ ମାଡ଼ମାରି ଲହୁଲୁହାଣ
ଭୁବନେଶ୍ୱର: ଝାରପଡ଼ା ଜେଲର ଭିତିରି କଥା ଡିଏଲ୍ଏସ୍ ମ୍ୟାଡାମ୍ଙ୍କୁ କହିବା ଜଣେ କଏଦୀଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ଗ୍ୟାଙ୍ଗ୍ଷ୍ଟର ହାଇଦରର ପୁଅ ମୁନ୍ନା ଏବଂ ତା’ର ସହଯୋଗୀମାନେ ଆକ୍ରମଣ କରିଛନ୍ତି। ଏଥିରେ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟିଯାଇଛି। ମୁନ୍ନା ଏବଂ ସହଯୋଗୀମାନେ କାଠ ଫାଳିଆରେ ଆକ୍ରମଣ କରିଥିବା ସୌମ୍ୟକାନ୍ତି ଅଭିଯୋଗ କରିଛନ୍ତି। ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସା କରାଯିବା ପରେ ଜେଲ୍କୁ ପଠାଇଯାଇଛି। ମୁନ୍ନା ଏବଂ ତା’ର ଗୋଷ୍ଠୀଙ୍କୁ ଅଲଗା ସେଲରେ ରଖାଯାଇଛି।
ସୌମ୍ୟକାନ୍ତଙ୍କ ସୂଚନା ଅନୁସାରେ, ଜେଲ୍କୁ ପରିଦର୍ଶରେ ଡିଏଲ୍ଏସ୍ ମ୍ୟାଡାମ୍ ଆସିଥିବାବେଳେ ଜେଲ୍ର ଭିତିରି କଥା ସବୁ କହିଥିଲେ। ଜେଲ୍ ଭିତରେ କିଭଳି ମୋବାଇଲ୍ ବ୍ୟବହାର କରାଯାଉଛି, କିଭଳି ନିଶାଦ୍ରବ୍ୟ ଯାଉଛି କହିଥିଲେ। ସୌମ୍ୟକାନ୍ତଙ୍କ କହିବା ଆଧାରରେ ମୁନ୍ନାର ସେଲରୁ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ଯେଉଁଥିପାଇଁ ଥାନାରେ ଏହି ମୋବାଇଲ୍ ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ରବିବାର ଏଭଳି ଆକ୍ରମଣ କରାଯାଇଥିବା ପଦାକୁ ଆସିଛି। ଜେଲର ଭିତିରି କଥା କହିବା ଦ୍ୱାରା ତାଙ୍କୁ ମୁନ୍ନା ଏବଂ ତା’ର ସହଯୋଗୀ ଜେଲ୍ ଭିତରେ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ସୌମ୍ୟ ତାଙ୍କ ୱାର୍ଡରେ ବସିଥିବାବେଳେ ତାଙ୍କୁ ମୁନ୍ନା ଏବଂ ସହଯୋଗୀମାନେ ଆସି ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁନ୍ନା ପଡ଼ିଥିବା ବେଳେ ୱାର୍ଡର ଏବଂ ଜେଲ୍ କର୍ତ୍ତୃପକ୍ଷ ଖବର ପାଇ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ସେ କହିଛନ୍ତି ଜେଲ୍ରେ ଭଲ ରୁମ୍ରେ ରହିବା ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡୁଛି। ୧୦ ହଜାର ଟଙ୍କା ଦେଲେ ଭିତରେ ମୋବାଇଲ୍ ବ୍ୟବହାର କରିବାକୁ ସୁଯୋଗ ମିଳୁଛି। ସେହିପରି ୫ହଜାର ଟଙ୍କା ଦେଲେ ମାସିକିଆ ମୋବାଇଲ୍ କଲ୍ କରିପାରିବେ। ଏଥିସହ ୮ ହଜାର ଟଙ୍କା ଦେଲେ ଅବାଧରେ ରୁମ୍ ଭିତରେ ଯିଏ ପାଇବ ଯେଉଁ ସମୟରେ ଆସି ମୁଲାକାତ୍ କରିପାରିବ। ଝାରପଡ଼ାରେ ଏଭଳି ଘଟଣା ନୂଆ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ପୂର୍ବରୁ ମାର୍ଚ୍ଚ ୨୦ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଚକରା ବାରିକ ଏବଂ ତା’ର ସହଯୋଗୀମାନେ ଶମ୍ଭୁନାଥଙ୍କୁ ଆକ୍ରମଣ କରିଥିଲେ। ଶମ୍ଭୁନାଥ ତାଙ୍କ କଥା ଶୁଣୁ ନ ଥିବାବେଳେ ଚକରା ଆକ୍ରମଣ କରିଥିଲା। ଚକରା ଜେଲ ଭିତରେ ନିଜର ଦବ୍ଦବା ଦେଖାଏ। ଏପରିକି ଚକରାକୁ ପୁଲିସ ଦୁଇ ଥର ଏନ୍କାଉଣ୍ଟର କରିଥିଲା। ତେଣୁ ସେ ସମସ୍ତଙ୍କୁ ତା’ର ଇଶାରାରେ ନଚାଇବା ପାଇଁ ଚେଷ୍ଟା କରୁଥିବାବେଳେ ଶମ୍ଭୁ କିଛି ଶୁଣୁ ନ ଥିବାବେଳେ କ୍ୟାଣ୍ଟିନ୍ ନିକଟରେ ତାଙ୍କୁ ଆକ୍ରମଣ କରିଥିଲେ। ଏକ ଥାଳିରେ ତାଙ୍କ ଆଖିକୁ ପିଟି ଦେଇଥିଲା। ଯେଉଁଥିରେ ସେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।