ଭୁବନେଶ୍ବର ଶ୍ରଦ୍ଧାଂଜଳି ସଭାରେ ରାଜ୍ୟ ନେତୃବୃନ୍ଦଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ।
ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଭାରତୀୟ ରାଜନୀତି ର ଜଣେ
ଅନନ୍ୟ ଜନନେତା ଥିଲେ ।
ଭୁବନେଶ୍ବର ଶ୍ରଦ୍ଧାଂଜଳି ସଭାରେ ରାଜ୍ୟ ନେତୃବୃନ୍ଦଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ।
ଭୁବନେଶ୍ୱର:କମ୍ରେଡ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ମୃତି ରେ ଭୁବନେଶ୍ୱର ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ବାମ, ଗଣତାନ୍ତ୍ରିକ ଏବଂ ଧର୍ମନିରପେକ୍ଷ ରାଜନୈତିକ ଦଳ ମାନଙ୍କର ଓଡିଶା ରାଜ୍ୟ ନେତୃବୃନ୍ଦ ମାନେ ପ୍ରୟାତ ଜନପ୍ରିୟ ଜନନେତା କମ୍ରେଡ୍ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଅମ୍ଳାନ ସ୍ମୃତି ପ୍ରତି ଯଥୋଚିତ ସମ୍ମାନ ର ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫ ରୁ ଭୁବନେଶ୍ଵର ଉତ୍କଳମଣି ହଲ୍ ରେ ଆୟୋଜିତ ଏହି ସଭାରେ ସି ପି ଆଇ (ଏମ୍) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ସଭାପତିତ୍ବ କରିଥିଲେ।ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି, ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ,ସି ପି ଆଇ-ଏମ୍ ଏଲ୍ (ଲିବେରେସନ) ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, କଂଗ୍ରେସ ର ପୂର୍ବତନ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ, ବିଜେଡି ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆମ ଆଦମୀ ପାର୍ଟି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ବଣାଇ ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଯୋଗ ଦେଇ ବୁଦ୍ଧଦେବଙ୍କ ‘ତ୍ୟାଗ, ସାଧନା, ସଂଘର୍ଷ’ ର ଅମଳିନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ବକ୍ତବ୍ୟ ରଖିଥିଲେ।
ବକ୍ତାମାନେ କହିଥିଲେ ଯେ କମ୍ୟୁନିଷ୍ଟ ଆନ୍ଦୋଳନ, ମାର୍କସବାଦୀ ପଥରେ ଆଧୁନିକ ଉନ୍ନୟନ ରେ ଲୋକଙ୍କ ସମୃଦ୍ଧି ପାଇଁ ଚିନ୍ତା ଏବଂ ପରିକଳ୍ପନା କରିବା କ୍ଷେତ୍ର ରେ ଭାରତୀୟ ରାଜନୀତି ରେ ସେ ସ୍ମରଣୀୟ ରହିବେ।
ବଙ୍ଗଳା ର ବିକାଶ ପାଇଁ ନେଇ ସେ ଅସୁମାରୀ ସ୍ବପ୍ନ ଦେଖିଥିଲେ। କୃଷି ର ଭିତ୍ତି ଉପରେ ଶିଳ୍ପ ର ଅଗ୍ରଗତି ହେବ l ଯୁବକ- ଯୁବତୀ କାମ ଏବଂ ରୋଜଗାର ପାଇବେ। ଏହି ଅନୁଯାୟୀ ଶିଳ୍ପ ର ନକ୍ସା ତିଆରି କରିଥିଲେ। ମାତ୍ର ପଶ୍ଚିମବଙ୍ଗ ର ବିରୋଧୀ ଦଳ ସହିତ ଶିଳ୍ପ ବିକାଶ ର ସବୁ ବିରୋଧୀ ଶକ୍ତି ଅସାଧୁ ମହମେଣ୍ଟ କରି ବାମଫ୍ରଣ୍ଟ ସରକାର କୁ ୨୦୧୧ ମସିହାରେ ଗାଦିଚ୍ୟୁତ କଲେ। ବୁଦ୍ଧଦେବ ଙ୍କ ପରିକଳ୍ପନା ଏବଂ ସ୍ବପ୍ନ କୁ ଭଣ୍ଡୁର କରିବାରେ ସକ୍ଷମ ହେଲେ। ୨୦୧୧ ମସିହା ପରେ ବଙ୍ଗଳା ରେ କିଭଳି ବିକାଶ ହେଉଛି ସମସ୍ତେ ଅବଗତ ବୋଲି ବକ୍ତା ମାନେ ପ୍ରଶ୍ନ କରିଥିଲେ। ମାତ୍ର “କୃଷି ର ଭିତ୍ତି ଉପରେ ଶିଳ୍ପ ର ଅଗ୍ରଗତି” ଏକ ଦୂରଦୃଷ୍ଟି ସମ୍ପନ୍ନ ଏବଂ ବିଜ୍ଞାନ ସମ୍ମତ ପରିକଳ୍ପନା ର ସ୍ଲୋଗାନ ବୁଦ୍ଧଦେବଙ୍କ ଧିଶକ୍ତି ସମ୍ପନ୍ନ ଚିନ୍ତାଧାରା ସମଗ୍ର ଦେଶକୁ ଆନ୍ଦୋଳିତ କରିଛି। ।
ବୁଦ୍ଧଦେବ ଥିଲେ ଜଣେ ସଚ୍ଚା ମାର୍କସବାଦୀ, ଆଜୀବନ ବିପ୍ଳବୀ, ଉଚ୍ଚ କୋଟୀର ସାହିତ୍ୟିକ, ଲେଖକ, କଳାକାର ଏବଂ ସଂସ୍କୃତି ସମ୍ପନ୍ନ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ। ବୁଦ୍ଧଦେବ ଏକାଧାରା ରେ ଆନ୍ଦୋଳନକାରୀ, ସୁବକ୍ତା, ସଂଗଠକ ଏବଂ ବୁଦ୍ଧିଜୀବୀ ଭଳି ବହୁ ଗୁଣ ସମ୍ପନ୍ନ ଜନନେତା ଥିଲେ।ସରଳ ଜୀବନ ଯାପନ ଏବଂ ସାଧୁତା ର ଜଣେ ଅନନ୍ୟ ଉଦାହରଣ। ଦୁଇ ବଖୁରିଆ ଫ୍ଲାଟ୍ ସରକାରୀ ଭଡ଼ା ଘରେ ଜୀବନ ର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ବିତିଥିଲା। ଦୀର୍ଘ ବର୍ଷ ମନ୍ତ୍ରୀ ଏବଂ ୧୧ବର୍ଷ ର ମୁଖ୍ୟମନ୍ତ୍ରୀତ୍ଵ ଭଳି କ୍ଷମତା ଥାଇ ବୁଦ୍ଧଦେବଙ୍କ ଜୀବନ ଶୈଳୀ ରେ କୌଣସି ପରିବର୍ତ୍ତନ ଘଟି ନଥିଲା। ନିଷ୍ପତ୍ତି ରେ ଅଟଳ,ବ୍ୟକ୍ତିତ୍ଵ ରେ ଅନମନୀୟ ଏବଂ ଅମଳିନ ଥିଲେ।ଧଳା ଧୋତି ଏବଂ କୁର୍ତ୍ତା ପରିଧାନ କରୁଥିବା ବୁଦ୍ଧଦେବ ବାହାରୁ ଏବଂ ଭିତରୁ ଜଣେ ନିଷ୍କଳଙ୍କ ବ୍ୟକ୍ତିତ୍ଵ ର ସୁନାମ କୁ ସମଗ୍ର ରାଜନୈତିକ ବ୍ୟବସ୍ଥା ଏବଂ ଉତ୍ତର ପୀଢ଼ି ପାଇଁ ଛାଡ଼ି ଯାଇଛନ୍ତି। ସେ ଭଲ ମଣିଷ,ପ୍ରେରଣା ର ମଣିଷ ଏବଂ ଆଦର୍ଶ ନେତୃତ୍ୱ ହୋଇ ସବୁଦିନ ପାଇଁ ମନେ ରହିବେ । କେବଳ ପଶ୍ଚିମବଙ୍ଗ ନୁହେଁ ଭାରତୀୟ ରାଜନୈତିକ ଆକାଶ ରୁ ଜଣେ ଧ୍ରୁବତାରା ଚାଲିଗଲେ ବୋଲି ବକ୍ତା ମାନେ କହିଥିଲେ।
ଦେଶର ସାମ୍ପ୍ରତିକ ପରିସ୍ଥିତି ଅତି କଠିନ। ଜୀବନ-ଜୀବିକା,ବେକାରୀ ଏବଂ ଦରବୃଦ୍ଧି ର ସମସ୍ୟା ରେ ଦେଶବାସୀ ଜର୍ଜରିତ। ସମ୍ବିଧାନର ମୌଳିକ ସ୍ତମ୍ବ ଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଜାତି-ଜାତି, ଧର୍ମ-ଧର୍ମ ମଧ୍ୟରେ ସଂଗଠିତ ଭାବେ ବିଦ୍ୱେଷ ସୃଷ୍ଟି କରାଯାଉଛି। ଭାଇଚାରା ଉପରେ ଘୃଣ୍ୟ ଆକ୍ରମଣ ଚାଲିଛି। ସାମାଜିକ ନ୍ୟାୟ, ଧର୍ମନିରପେକ୍ଷ ଗଣତନ୍ତ୍ର, ସଙ୍ଘୀୟ ଢାଞ୍ଚା ଏବଂ ଆର୍ଥିକ ସାର୍ବଭୌମତ୍ଵ ବିଜେପି ଶାସନ ରେ ଆକ୍ରମଣ ର ସମ୍ମୁଖୀନ। ବୁଦ୍ଧଦେବ ଥିଲେ ପ୍ରଚଣ୍ଡ ଦେଶପ୍ରେମୀ, ମାନବବାଦୀ । ସାମ୍ପ୍ରଦାୟିକତାବାଦ ଭଳି ଘୃଣ୍ୟ ବିଚାର କୁ ସେ କଠୋର ଭାବେ ବିରୋଧ କରୁଥିଲେ। ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ମୃତ୍ୟୁ ଦେଶର ବାମ, ଗଣତାନ୍ତ୍ରିକ ଏବଂ ଶ୍ରମଜୀବୀ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି।
ଓଡିଶା ପରିସ୍ଥିତି ଉପରେ ଆଲୋକପାତ କରି ନେତୃବୃନ୍ଦ କହିଲେ ଯେ ଓଡ଼ିଶାର ସାମାଜିକ ପରିସ୍ଥିତି ଗଭୀର ଭାବେ ଆଘାତପ୍ରାପ୍ତ। ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ଅଶାନ୍ତି, ସାମାଜିକ ବିଶୃଙ୍ଖଳା ବୃଦ୍ଧି ପାଇବା ଉଦବେଗଜନକ। ଆର୍ଥିକ ଭାବେ ସାଧାରଣ ଜନତାଙ୍କ ଉନ୍ନତି ଏବଂ ରୋଜଗାର ବୃଦ୍ଧି ପାଇଁ ନୂତନ ସରକାରଙ୍କ ତରଫରୁ କୌଣସି ଠୋସ ପଦକ୍ଷେପ ନାହିଁ।ସାମ୍ପ୍ରତିକ ଏବଂ ସାମଗ୍ରିକ ପରିସ୍ଥିତି କୁ ଆକଳନ କରି ଜନ ସାଧାରଣଙ୍କ ସ୍ବାର୍ଥ ର ସୁରକ୍ଷା ପାଇଁ ଓଡ଼ିଶାର ସମସ୍ତ ସମଭାବାପନ୍ନ ବିରୋଧୀ ଦଳ ମାନେ ଐକ୍ୟବଦ୍ଧ ହୋଇ ଜନଗଣଙ୍କ ନିକଟତର ହେବା ସହିତ ଆସ୍ଥା ଭାଜନ ହେବା ପାଇଁ ଆହ୍ବାନ ଦିଆଯାଇଛି। ଏହି କାର୍ଯ୍ୟକୁ ଆଗେଇ ନେବା ହିଁ ହେବ ବୁଦ୍ଧଦେବଙ୍କ ପ୍ରତି ହେବ ସମ୍ମାନଜନକ ଶ୍ରଦ୍ଧାଞ୍ଜଳୀ ବୋଲି ବକ୍ତା ମାନେ ଦୃଢୋକ୍ତି ପ୍ରକାଶ କରିଥିଲେ।
ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟ ରେ ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ସୁରେଶ ପାଣିଗ୍ରାହୀ, ଜମେଶ୍ୱର୍ ସାମନ୍ତରାୟ, ଅନନ୍ତ ମଙ୍ଗରାଜ,ବସନ୍ତ ମାଝୀ, ରବି ମଲ୍ଲିକ, ବିଜୟ ବହିଦାର, ଚକ୍ରଧର ପ୍ରଧାନ, ଜୟନ୍ତ ଦାସ, ମହେନ୍ଦ୍ର ପରିଡ଼ା,ଦେବାଶିଷ ଭୂୟାଁ, ଉଲ୍ଲାସ ସ୍ୱାଇଁ, ରମେଶ ଜେନା, ପ୍ରଭାତ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମିନତୀ ପାଣିଗ୍ରାହୀ, ରୁମିତା କୁଣ୍ଡୁ,ସୁରେଶ ସ୍ବାଇଁ, ପ୍ରଭାସ ସେଣ୍ଡ, ସୁଶୀଲ ଗିରି, ସଞ୍ଜୟ ମହାନ୍ତି, ଜୟପ୍ରକାଶ, ନିରଞ୍ଜନ ବେହେରା, ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇ ପ୍ରୟାତ ଜନନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।