Search for:
  • Home/
  • ରାଜ୍ୟ/
  • ଡ୍ରେନ୍ ପାଇଁ ରାସ୍ତା ଖୋଳି ଠିକାଦାର ଛୁ’

ଡ୍ରେନ୍ ପାଇଁ ରାସ୍ତା ଖୋଳି ଠିକାଦାର ଛୁ’

Spread the love

Loading

ମାସେ ହେଲା ବନ୍ଦୀ ଜୀବନ କାଟୁଛନ୍ତି ୩୦ ପରିବାର
-ଡ୍ରେନ୍ ପାଇଁ ରାସ୍ତା ଖୋଳି ଠିକାଦାର ଛୁ’
-ଘରୋଇ ପ୍ଲଟ୍ ଯୋଗୁଁ ବନ୍ଦ ହୋଇଛି କାମ: କର୍ପୋରେଟର୍‌
-ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା
ଭୁବନେଶ୍ୱର,୧୮।୪: ଠିକାଦାରଙ୍କ ମନମାନି ପାଇଁ ବିଏମ୍‌ସିର ୫ନମ୍ୱର ୱାର୍ଡ ଅନ୍ତର୍ଗତ ଚକେଇସିହାଣୀ ସ୍ୱାଗତ ବିହାରର ଲେନ୍‌-୫ ବାସିନ୍ଦା ଯମ ଯନ୍ତ୍ରଣା ଭୋଗୁଛନ୍ତି। ଠିକାଦାର ରାସ୍ତା ଖୋଳି ଦେବାରୁ ୩୦ରୁ ଅଧିକ ପରିବାରର ପାଖାପାଖି ଶହେ ଲୋକ ଘରୁ ବାହାରି ପାରୁନାହାନ୍ତି। ଦୀର୍ଘ ମାସେ ହେଲା ବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଲୋକଙ୍କ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ନ ହେଲେ ଏହା ବିସ୍ଫୋରକ ରୂପ ଧାରଣ କରିବା ସହ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଚକେଇସିହାଣୀ ସ୍ୱାଗତ ବିହାର ଲେନ୍‌-୫ରେ ଦୀର୍ଘ ବର୍ଷ ଧରି ସେଠାରେ ପାଖାପାଖି ୫୦ ପରିବାର ରହୁଛନ୍ତି। ବିଏମ୍‌ସିକୁ ହାଡେ ହାଡେ ହୋଲ୍‌ଡିଂ ଟିକସ ଗଣୁଛନ୍ତି, କିନ୍ତୁ ସେବା ପାଉନାହାନ୍ତି। ବାରମ୍ବାର ବିଏମ୍‌ସି ପାଖରେ ଅଭିଯୋଗ କରିବା ପରେ କିଛି ଦିନ ତଳେ ରାସ୍ତା ନିର୍ମାଣ ହୋଇଥିଲା। ତା’ପରେ ଡ୍ରେନ୍ କାମ ଆରମ୍ଭ ହୋଇଛି। କିନ୍ତୁ ଠିକାଦାର ରାସ୍ତା ଖୋଳି ଚୁପ୍ ବସିଯାଇଛି। ଫଳରେ ଲୋକମାନେ ଘରୁ ବାହାରିବାରେ ସମସ୍ୟା ଭୋଗୁଛନ୍ତି। ମାତ୍ର ୧କିଲୋମିଟରରୁ କମ୍ ଲମ୍ୱର ଡ୍ରେନ୍ କାମ ପାଇଁ ମାସାଧିକ କାଳ ବିତି ଯାଇଥିଲେ ହେଁ କାମ ଆରମ୍ଭ ହୋଇପାରୁନି। କିନ୍ତୁ ପୂରା ରାସ୍ତା କଡ଼ ଖୋଳି ପକାଇଥିବାରୁ ଲୋକମାନେ ଯାତାୟତ କରିବା ପାଇଁ ବହୁ ସମସ୍ୟାରେ ପଡୁଛନ୍ତି। ସ୍ଥାନେ ସ୍ଥାନେ ଥିବା ମାଟି ଗଦା ଲାଗି ଯାନବାହାନ ଚଳାଚଳ କରିବା ମୁସ୍କିଲ ହୋଇପଡ଼ୁଛି। ବର୍ଷା ବେଳେ ମାଟି ଗଦାରୁ ମାଟି ବୋହି ଆସିବାରୁ ପୂରା ରାସ୍ତା କାଦୁଅ ପଚ ପଚ ହୋଇଯାଉଛି। ପରିସ୍ଥିତି ଏମିତି ହେଉଛି ଯେ ବରିଷ୍ଠ ନାଗରିକ ଓ ଛୋଟ ପିଲା ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ମାସେ ହେଲା ସ୍କୁଲ ବସ୍‌, ଗ୍ୟାସ୍ ଡେଲିଭରି ଗାଡ଼ି ଆଦି ଭିତରକୁ ଆସିପାରୁନି। ଆମକୁ ୫ଶହ ମିଟର ଦୂରରେ ପିଲାଙ୍କୁ ଛାଡ଼ିବାକୁ ପଡ଼ୁଛି। ସେହିଭଳି ଗ୍ୟାସ୍ ଟାଙ୍କି ମଧ୍ୟ ଟେକି ଟେକି ବଡ଼ କଷ୍ଟରେ ଆଣିବାକୁ ପଡ଼ୁଛି। ଏହି ସମୟରେ ଯଦି କାହାର ଦେହ ପା’ ଖରାପ ହୁଏ, ତେବେ ଆମ୍ବୁଲାନ୍ସ ମଧ୍ୟ ଆସିପାରିବନି। ତେଣୁ ତୁରନ୍ତ ଡ୍ରେନ୍ କାମ ସାରିବାକୁ ସେମାନେ ନିବେଦନ କରିଛନ୍ତି। ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର୍ ମିନୁଶ୍ରୀ ଖୁଣ୍ଟିଆ କହିଛନ୍ତି, ଡ୍ରେନ୍ କାମ ଆରମ୍ଭ ହେବା ପରେ ସେହି ରାସ୍ତାରେ ଏକ ଘରୋଇ ପ୍ଲଟ୍ ଥିବା ଜଣାପଡ଼ିଲା। ଉକ୍ତ ପ୍ଲଟ୍‌ମାଲିକ ବିରୋଧ କରିବାରୁ କାମ ବନ୍ଦ ଅଛି। ସେ କ୍ଷତିପୂରଣ ପାଇଁ ଅଡ଼ି ବସୁଛନ୍ତି। ତେଣୁ କାମ ଆଗେଇପାରୁନି। ସମାଧାନ କରିବା ଦିଗରେ ଆମେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି। ଏନେଇ ବିଏମ୍‌ସିର କନିଷ୍ଠ ଯନ୍ତ୍ରୀ ମମତା ରାଉତଙ୍କୁ ବାରମ୍ବାର ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା।

Leave A Comment

All fields marked with an asterisk (*) are required