ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗକୁ ବିଜେଡି ଭୁଲିଗଲା କେମିତି ?: ଅନିଲ ବିଶ୍ୱାଳ
ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗକୁ ବିଜେଡି ଭୁଲିଗଲା କେମିତି ?: ଅନିଲ ବିଶ୍ୱାଳ
ମହାନଦୀକୁ ମା’ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ, ଆଜି ଭୁଲିଗଲେ କେମିତି ?
ଟ୍ରିବ୍ୟୁନାଲରେ ଛତିଶଗଡ ସରକାର “କମନ ଫର୍ମାଟ”ରେ ତଥ୍ୟ ଦେଇସାରିଥିବା ବେଳେ ଓଡିଶା ସରକାର କାହିଁକି ଦେଇପାରିଲେ ନାହିଁ ?
ମହାନଦୀର ତଳମୁଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୧୩ଟି ବ୍ୟାରେଜରୁ ଗୋଟିଏ ବି ବ୍ୟାରେଜର କାମ ଆରମ୍ଭ ହୋଇପାରିଲା ନାହିଁ
ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟି ଟଙ୍କାକୁ ବିଜୁ ଜନତା ଦଳ ଲୁଟ କରିଲା
ପୋଲାଭରମ ବିବାଦରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି
ଓଡିଶା ସରକାରଙ୍କ ମନ୍ତ୍ରୀ ବିଧାନସଭାରେ କହୁଛନ୍ତି “ଦେଓମାଳି ଓଡିଶା ମ୍ୟାପରେ ନାହଁ”
ଭୁବନେଶ୍ୱର, ତା ୧୯/୦୭: ଗତକାଲି ହୋଇଥିବା ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ । ଓଡିଶାର ସ୍ୱାର୍ଥ୍ୟ, ସ୍ୱାଭିମାନ ସହ ଜଡିତ ଏହି ତିନୋଟି ପ୍ରସଙ୍ଗକୁ କିଭଳି ବିଜୁ ଜନତା ଦଳର ସାଂସଦମାନେ ଭୁଲିଗଲେ ବା ଗୁରୁତ୍ୱ ଦେଲେ ନାହିଁ ତାହା ବଡ ଆଶ୍ଚର୍ଯ୍ୟର ବିଷୟ । ଏହା ଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେହି ବୈଠକରେ ଅଧ୍ୟକ୍ଷତା କରୁଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଦିନେ କହୁଥିଲେ ଯେ, ମହାନଦୀ ଆମର ମା’ ବୋଲି ସେ ମଧ୍ୟ କେମିତି ମହାନଦୀ କଥା ଭୁଲିଗଲେ ? ଏହି ତିନୋଟି ପ୍ରସଙ୍ଗ କ’ଣ ଓଡିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ନୁହେଁ କି ? ବିଜୁ ଜନତା ଦଳ କେବଳ ନିଜର ରାଜନୈତିକ ସ୍ୱାର୍ଥ୍ୟ ସାଧନରେ ବ୍ୟସ୍ତ, ସେମାନେ ଓଡିଶାବାସୀଙ୍କ ମନର କଥା କାହୁଁ ବୁଝିବେ ବୋଲି କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯେବେଠାରୁ ଛତିଶଗଡରେ କଂଗ୍ରେସ ସରକାର ଆସିଲା ସେବେଠାରୁ ଓଡିଶାର ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ନରମ ହୋଇଗଲେ । ଟ୍ରିବ୍ୟୁନାଲରେ ଛତିଶଗଡ ସରକାର କମନ ଫର୍ମାଟରେ ତଥ୍ୟ ଦେଇସାରିଥିବା ବେଳେ ଓଡିଶା ସରକାର କାହିଁକି ଦେଇପାରିଲେ ନାହିଁ ଏହାର ଜବାବ ରାଜ୍ୟ ସରକାର ଦିଅନ୍ତୁ । ଟ୍ରିବ୍ୟୁନାଲ ଆଗରେ ଓଡିଶା ସରକାରଙ୍କ ଓକିଲ “ଆମେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିନାହୁଁ, ଆମକୁ ଅନେକ ପୃଷ୍ଠା ଲେଖିବା ପାଇଁ ପଡିବ ତେଣୁ ଆମକୁ ୬ ସପ୍ତାହ ସମୟ ଦିଆଯାଉ” ବୋଲି କହିବା ସତ୍ୟ ନୁହେଁ କି ? ଏହା ହିଁ ଦର୍ଶାଉଛି ମହାନଦୀ ଟ୍ରିବ୍ୟୁନାଲରେ ଓଡିଶାବାସୀ ନ୍ୟାୟ ପାଇବା ପାଇଁ ବିଜୁ ଜନତା ଦଳ ସରକାରର କେତେ ଆନ୍ତରିକତା ରହିଛି । ସମାନ ଭାବରେ ପୋଲାଭରମ ବିବାଦରେ ରାଜ୍ୟ ସରକାର ଟ୍ରିବ୍ୟୁନାଲରେ ବଳିଷ୍ଠ ଯୁକ୍ତି ଉପସ୍ଥାପନା ନକରିପାରିବା କାରଣରୁ ଓଡିଶା ତାର ହକ ହରାଇଲା । ଏବେ ସୁପ୍ରିମକୋର୍ଟରେ ଚାଲୁଥିବା ମାମଲାରେ ମଧ୍ୟ ଓଡିଶା ସରକାର ଯତ୍ନବାନ ହେଉନାହାନ୍ତି । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି ।ମହାନଦୀର ତଳମୁଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୧୩ଟି ବ୍ୟାରେଜରୁ ଗୋଟିଏ ବି ବ୍ୟାରେଜର କାମ ଆରମ୍ଭ ହୋଇପାରିଲା ନାହିଁ । ପ୍ରସ୍ତାବିତ ଅନ୍ୟ ୨୮ଟି କ୍ଷୁଦ୍ର ପ୍ରକଳ୍ପ କେବଳ ସର୍ଭେରେ ଅଟକି ଯାଇଛି । ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟି ଟଙ୍କା ଖର୍ଚ୍ଚ ହେଲା, ୫ କୋଟି ଗଛ ଲଗାଯିବ ବୋଲି କୁହାଗଲା ହେଲେ ଗୋଟିଏ ବି ଗଛ ଦେଖିବା ପାଇଁ ମିଳୁନି । ପୁରା ଅର୍ଥକୁ ବିଜୁ ଜନତା ଦଳ ଲୁଟ କରିଲା । ଓଡିଶା ବାସୀଙ୍କ ପ୍ରତି ବିଜୁ ଜନତା ଦଳର ଏହା ଧୋକା ନୁହେଁ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
କୋଟିଆରେ ଓଡିଶା ସରକାରଙ୍କ ପ୍ରଶାସନିକ ବିଫଳତା, ମୁଖ୍ୟମନ୍ତ୍ରୀଙ୍କ ଉଦାସୀନତା ପାଇଁ ଆଜି ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି । ଆନ୍ଧ୍ର ସରକାର ଓଡିଶାର କୋଟିଆ, ଦେଓମାଳିକୁ ଆନ୍ଧ୍ରରେ ମିଶାଇ ଦେବା ପାଇଁ ଷଡଯନ୍ତ୍ର କରୁଛି ଆଉ ଏପଟରେ ଓଡିଶା ସରକାରଙ୍କ ମନ୍ତ୍ରୀ ବିଧାନସଭାରେ କହୁଛନ୍ତି “ଦେଓମାଳି ଓଡିଶା ମ୍ୟାପରେ ନାହିଁ” । ଆନ୍ଧ୍ର ସରକାର କୋଟିଆର ଲୋକଙ୍କୁ ଭୋଟର ପରିଚୟ ପତ୍ର ଦେଇ ଭୋଟ କରାଇ ଦେଉଛନ୍ତି, ଆମ ଓଡିଶା ଜାଗାକୁ ଆନ୍ଧ୍ରର ବୋଲି ଦର୍ଶାଇ ପଟ୍ଟା ବାଂଟୁଛନ୍ତି ହେଲେ ଓଡିଶା ସରକାର ଏହାକୁ ରୋକି ପାରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ମହିଳା ବିରୋଧୀ ହିଂସାରେ ଓଡିଶା ଆଜି ଦେଶରେ ଏକ ନମ୍ବର, ମହିଳାଙ୍କର ରୋଜଗାର କ୍ଷେତ୍ରରେ ଓଡିଶା ଦେଶରେ ସବୁଠାରୁ ପଛୁଆ । ଓଡିଶାର ମହିଳାମାନେ ଆଜି ସୁରକ୍ଷା ଓ ଆର୍ଥୀକ କ୍ଷେତ୍ରରେ ଆତ୍ମନିର୍ଭର ଚାହୁଁଛନ୍ତି । ଏହି ଦୁଇଟି ଯାକ କ୍ଷେତ୍ରରେ ବିଜୁ ଜନତା ଦଳର ସରକାର ବିଫଳ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।