Search for:
  • Home/
  • ରାଜ୍ୟ/
  • ଓଡିଶାରେ ବୁଲାବିକାଳୀଙ୍କ ଉପରେ ଆକ୍ରମଣ: ସରକାର ପଦକ୍ଷେପ ନିଅନ୍ତୁ

ଓଡିଶାରେ ବୁଲାବିକାଳୀଙ୍କ ଉପରେ ଆକ୍ରମଣ: ସରକାର ପଦକ୍ଷେପ ନିଅନ୍ତୁ

Spread the love

Loading

ଓଡିଶାରେ ବୁଲାବିକାଳୀଙ୍କ ଉପରେ ଆକ୍ରମଣ: ସରକାର ପଦକ୍ଷେପ ନିଅନ୍ତୁ
ଭୁବନେଶ୍ଵର, ତା ୧୧/୦୮: ବଙ୍ଗଳାଦେଶରେ ଗଣତାନ୍ତ୍ରିକ ଶାସନ ଲୋପପାଇ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇ ସେଠାକାର ଗଣତନ୍ତ୍ରପ୍ରେମୀ ମୁସଲମାନ ତଥା ସଂଖ୍ୟାଲଘୁ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଘଟଣା ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେଉଛି। ଫଳରେ ଓଡିଶାର ବିଭିନ୍ନ ଅଞ୍ଚଳରେ ଫେରି କରି ପେଟ ପୋଷୁଥିବା ବିଭିନ୍ନ ବୁଲା ବିକାଳୀଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଛି। ଯେହେତୁ ବଙ୍ଗଳାଦେଶରେ ସଂଖ୍ୟା ଗରିଷ୍ଠ ମୁସଲମାନମାନେ ସଂଖ୍ୟାଲଘୁ ହିନ୍ଦୁ ଓ ଅନ୍ୟ ସମ୍ପ୍ରଦାୟ ଉପରେ ଆକ୍ରମଣ କରୁଥିବା ଖବରମାନ ଆସୁଛି, ସେଥିରେ ଓଡିଶାର ହିନ୍ଦୁ ଲୋକମାନେ କ୍ଷୁବ୍ଧ ହୋଇ ଏପରି ଆକ୍ରମଣ କରୁଛନ୍ତି।  ତେବେ, ବଙ୍ଗଳାଦେଶରେ ଯେତେବେଳେ ଶେଖ ହାସୀନାଙ୍କ ସରକାର ଥିଲା, ସେତେବେଳେ ସଂଖ୍ୟାଲଘୁମାନେ ସଂପୂର୍ଣ୍ଣ ସୁରକ୍ଷିତ ଥିଲେ। ଏବେ ସେଠାରେ ଅରାଜକତା ଅବସ୍ଥା ସୃଷ୍ଟି ହେବାରୁ ମୌଳବାଦୀମାନେ ସଂଗଠିତ ହୋଇ ଏଭଳି ହିଂସ୍ର ତଥା ନିନ୍ଦନୀୟ କାର‌୍ୟ୍ୟମାନ କରୁଛନ୍ତି। ହାସୀନାଙ୍କ ପରେ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସ ଏଠାରେ ଦେଶର ମୁଖ୍ୟପରାମର୍ଶଦାତା ହେବାପରେ ସେ ମଧ୍ୟ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା ନିମନ୍ତେ ତାଙ୍କ ଦେଶବାସୀଙ୍କୁ ଅପିଲ କରିଛନ୍ତି।

ତେବେ ଓଡିଶାରେ ଫେରି କରୁଥିବା ବୁଲାବିକାଳୀମାନେ ଯେ, ବଙ୍ଗଳାଦେଶୀ ତାହାର କୌଣସି ପ୍ରମାଣ ନାହିଁ। ସେମାନେ ଅଧିକାଂଶ ନିଜକୁ ପଶ୍ଚିମବଙ୍ଗର ବାସିନ୍ଦା ବୋଲି କହିଥାନ୍ତି । ପଶ୍ଚିମବଙ୍ଗର ବାସିନ୍ଦା ଭାରତୀୟ ହୋଇଥିବାରୁ ଓଡିଶା ସମେତ ଭାରତର ଯେକୌଣସି ସ୍ଥାନରେ ବ୍ୟବସାୟ ବାଣିଜ୍ୟ କରିପାରିବେ। ଏମାନଙ୍କୁ ବିରୋଧ କରିବାର କୌଣସି କାରଣ ନାହିଁ । ଯଦି ବଙ୍ଗଳାଦେଶୀ ବୋଲି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ରହିଛି, ସେମାନଙ୍କ ଉପରେ ଆକ୍ରମଣ ନକରି ସ୍ଥାନୀୟ ପୋଲିସକୁ ଜଣାଇବା ଆବଶ୍ୟକ। ଯଦି ଆମେ ଆଇନକୁ ହାତକୁ ନେବା, ତେବେ ବଙ୍ଗଳାଦେଶୀ ମୌଳବାଦୀ ଓ ଆମ ଭିତରେ କ\’ଣ ଫରକ ରହିଛି ?

ରାଜ୍ୟ ସରକାର ତଥା ପୋଲିସ ମହାନିର୍ଦ୍ଦେଶକ ଲୋକଙ୍କ କ୍ରୋଧରୁ ବୁଲାବିକାଳୀମାନଙ୍କୁ ବଞ୍ଚାଇବା ତଥା ଯଦି କେହି ବଙ୍ଗଳାଦେଶୀ ଓଡିଶାରେ ଅଛନ୍ତି, ସେ ବାବଦରେ ଆଇନଗତ ପଦକ୍ଷେପ ନେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ । ଓଡିଶାକୁ ବଙ୍ଗଳାଦେଶ ଭଳି ଅରାଜକତା ମଧ୍ୟକୁ ଠେଲି ନଦେବା ନିମନ୍ତେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ଲୋହିଆ ଏକାଡେମୀ ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଏକ ମିଳିତ ପ୍ରେସ ବିବୃତିରେ ଶ୍ରୀମତୀ କୃଷ୍ଣା ମହାନ୍ତି, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡା ବିଶ୍ଵଜିତ, ମିହିର ପ୍ରତାପ ଦାସ, ବିରୁପାକ୍ଷ ତ୍ରିପାଠୀ, ଜୟନ୍ତ କୁମାର ଦାସ, ଦେବ ପ୍ରସାଦ ରାୟ, ଆଡଭକେଟ କବୀର କୁମାର ଜେନା, ଆର‌୍ୟ୍ୟଭଟ୍ଟ ମହାନ୍ତି, ସୂର‌୍ୟ୍ୟ ନାରାୟଣ ନାଥ, ମାନସ ପଟ୍ଟନାୟକ ପ୍ରମୁଖ ଅପିଲ କରିଛନ୍ତି।

Leave A Comment

All fields marked with an asterisk (*) are required