Search for:

ସତ୍ୟର ଜୟ ହୋଇଛି।

Spread the love

Loading

ସତ୍ୟର ଜୟ ହୋଇଛି, ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ସମସ୍ତ କଳ୍ପନାଜଳ୍ପନାକୁ ଦୂର କରିଛି – ଧର୍ମେନ୍ଦ୍ର ପ୍ରଧାନ

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ଐତିହାସିକ ରାୟ ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ
ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଲକ୍ଷାଧିକ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବ
ପରୀକ୍ଷାକୁ ସ୍ୱଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ କଟିବଦ୍ଧ
ଏହି ରାୟ, ଦେଶର ପରୀକ୍ଷା ବ୍ୟବସ୍ଥା ଉପରେ ସମାଲୋଚନା କରି ନିଜର ସ୍ୱାର୍ଥ ପାଇଁ ଉପଯୋଗ କରି ରାଜନୈତିକ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ଆଖି ଖୋଲିବ
ଦେଶର ପରୀକ୍ଷା ବ୍ୟବସ୍ଥାକୁ ନିନ୍ଦିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ନିନ୍ଦିତ କରିଛନ୍ତି
ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଭାବନା ସହ ଖେଳି ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥିବାରୁ ରାହୁଲ ଗାନ୍ଧୀ କ୍ଷମା ମାଗିବା ଦରକାର

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୩ –  ନିଟ୍-ୟୁଜି ଉପରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ଦ୍ୱାରା ସତ୍ୟର ବିଜୟ ହୋଇଛି । ଏହି ନିଷ୍ପତି ସମସ୍ତ କଳ୍ପନାଜଳ୍ପନାକୁ ଦୂର କରିବା ସହ ଲକ୍ଷ ଲକ୍ଷ କଠିନ ପରିଶ୍ରମୀ ଓ ସଚ୍ଚୋଟ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ ଏ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଟ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ହିତରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ବଜାୟ ରଖୁଥିବା ଏହି ଐତିହାସିକ ରାୟ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଦ୍ୟାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷାକୁ ସ୍ୱଚ୍ଛ, ବିନା କୌଣସି ଟ୍ୟାମ୍ପରିଂ ତଥା ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ କଟିବଦ୍ଧ ଅଛି । ନିଟ୍ ପରୀକ୍ଷାକୁ ପରିଚାଳନା କରୁଥିବା ସଂସ୍ଥା ନାସନାଲ ଟେଷ୍ଟିଂ ଏଜେନ୍ସିକୁ (ଏନଟିଏ) ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ପୂର୍ବରୁ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ଗଠିତ କମିଟି ସମସ୍ତ ଦିଗରୁ ଘଟଣାକୁ ଅନୁଧ୍ୟାନ କରିବା ସହ ନିଜର କାମ ଜାରି ରଖିଛନ୍ତି । ସିବିଆଇ ମଧ୍ୟ ନିଜର କାମ ଜାରି ରଖିଛି ।

ଯୁବପିଢି, ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଆଶ୍ୱସ୍ତ କରୁଛି ଯେ ଏନଟିଏ ସଂସ୍ଥା ଦ୍ୱାରା ପରିଚାଳିତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ସମସ୍ତ ପ୍ରକ୍ରିୟାରେ ଯେଉଁ ଅବ୍ୟବସ୍ଥା ହୋଇଛି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାରତ ସରକାର ଘଟଣାର ମୂଳ ସ୍ତରକୁ ଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଚାଲୁଥିବା ସରକାର ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ସ୍ୱାର୍ଥକୁ ସର୍ବାଗ୍ରେରେ ରଖି କାମ କରୁଛି ।

ଅପରପକ୍ଷରେ ବିଗତ ଦିନ ଧରି ନିଟ୍  ପ୍ରସଙ୍ଗରେ ବିରୋଧୀ ଦଳର ଭୂମିକା ନିନ୍ଦନୀୟ । ଦେଶର ଶିକ୍ଷା ବ୍ୟବସ୍ଥା ପ୍ରତି ସମାଲୋଚନା ସେମାନଙ୍କ ବୌଦ୍ଧିକ ଅପରିପକ୍ୱତାକୁ ଦର୍ଶାଉଛି । ଦେଶରେ ଆଇଆଇଟି, ଆଇଆଇଏମରୁ ପାଠ ପଢି ଛାତ୍ରଛାତ୍ରୀମାନେ ବିଶ୍ୱରେ ନିଜର ଗୌରବ ବଢାଉଛନ୍ତି । ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ଦେଶର ଛାତ୍ରଛାତ୍ରୀମାନେ ସୁନାମ ଅର୍ଜନ କରୁଛନ୍ତି । ଏହା ଦ୍ୱାରା ଦେଶର ଗୌରବ ବଢୁଛି । ମାତ୍ର ଏହି ସବୁ ପରୀକ୍ଷାକୁ ନିନ୍ଦିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ନିନ୍ଦିତ କରିଛନ୍ତି ।  ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଭାବନା ସହ ଖେଳି ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିଥିବାରୁ ରାହୁଲ ଗାନ୍ଧୀ କ୍ଷମା ମାଗିବା ଦରକାର । ଯେଉଁମାନେ ଦେଶର ପରୀକ୍ଷା ବ୍ୟବସ୍ଥାକୁ ସମାଲୋଚନା କରି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର ସ୍ୱାର୍ଥ ପାଇଁ ଉପଯୋଗ କରି ରାଜନୈତିକ ଅସ୍ଥିରତା ଓ ଅରାଜକତା ସୃଷ୍ଟି କରିଛନ୍ତି, ଏହି ରାୟ ସେମାନଙ୍କ ଆଖି ଖୋଲିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Comment

All fields marked with an asterisk (*) are required