ରତ୍ନ ଭଣ୍ଡାର ଗଣତି, ମଣତି ଓ ମରାମତି ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର – କଂଗ୍ରେସ
ରତ୍ନ ଭଣ୍ଡାର ଗଣତି, ମଣତି ଓ ମରାମତି ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର – କଂଗ୍ରେସ
ବଳଭଦ୍ର ପଡ଼ିଯିବା ଘଟଣାରେ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେଉ
ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଭୁବନେଶ୍ୱର ତା. ୧୬.୭- ପବିତ୍ର ରଥଯାତ୍ରା ସମୟରେ ଯେଉଁସବୁ ଅଭାବନୀୟ ଘଟଣା ଘଟିଗଲା ତାକୁ ନେଇ କଂଗ୍ରେସ ପକ୍ଷରୁ କ୍ଷୋଭପ୍ରକାଶ କରାଯାଇଛି । ବଡ଼ ଠାକୁର ମହାପ୍ରଭୁ ଶ୍ରୀ ବଳଭଦ୍ର ଆଡ଼ପମଣ୍ଡପ ପହଣ୍ଡି ସମୟରେ ଚାରମାଳ ଉପରେ ମୁଁହ ମାଡ଼ି ପଡ଼ିଯିବା ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଗଭୀର ମାନସିକ ଆଘାତ ଦେଇଛି । ସରକାର ଏହି ଘଟଣାକୁ ମହାପ୍ରଭୁଙ୍କ ଲୀଳା ବୋଲି କହି ଦୋଷ ଲୁଚାଇବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାହା ଦୁର୍ଭାଗ୍ୟଜନକ । ତେବେ ଏ ଘଟଣା ପାଇଁ ଦାୟି କିଏ ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହି ମର୍ମରେ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ଯେ ସରକାର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରି ସତ ସାମନାକୁ ଆଣନ୍ତୁ ଓ ସଂପୃକ୍ତ ଦୋଷୀଙ୍କୁ ଉଚିତ ଦଣ୍ଡ ବିଧାନ କରାଯାଉ । ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି ପ୍ରସଙ୍ଗରେ କଂଗ୍ରେସ ସର୍ବପ୍ରଥମେ ଦାବି କରି ଆସୁଥିଲା ଓ ଏଥିପାଇଁ ତୁଳସୀ ଯାତ୍ରା ଏବଂ ସତ୍ୟାଗ୍ରହ କରି ଅନେକ କାର୍ଯ୍ୟକ୍ରମ କରିଥିଲା । ରାଜ୍ୟ ସରକାର ଚାରିଦ୍ୱାର ଖୋଲିଛନ୍ତି ସତ ମନ୍ଦିର ଭିତରେ ଭିଡ଼ ପରିଚାଳନା କରିବା ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସରକାର ରତ୍ନ ଭଣ୍ଡାର ଖୋଲିଛନ୍ତି ହେଲେ କେବେ ସୁଦ୍ଧା ଗଣତି, ମଣତି କାମ ସାରିବେ ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ଅନ୍ୟ ଏକ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସରକାର ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଘଟଣା ଦେଖିବାକୁ ମିଳୁଛି । ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ କାର୍ଯ୍ୟରତ ଏ.ଏସ.ଓଙ୍କୁ ଯେଭଳି ଭାବେ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ତାହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ରକ୍ଷକ ଯେତେବେଳେ ଭକ୍ଷକ ହୁଏ ସେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ । ଆଇନ ସମସ୍ତଙ୍କ ପାଇଁ ସମାନ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ରଖିଥିବା ବେଳେ ଅଣ ଓଡ଼ିଆ ଲୋକ ଓଡ଼ିଆ ଲୋକଙ୍କୁ ବାଡ଼େଇବେ ହେଲେ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ହେବେ ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ରଥଯାତ୍ରା ସମୟରେ ହୋଇଥିବା ମହା ବିଭ୍ରାଟ ସମ୍ପର୍କରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଚାରମାଳ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର ଯେପରି ଭାବେ ପଡ଼ିଗଲେ ତାହା ଆଗରୁ କେବେବି ହୋଇନଥିଲା । ଏ ଘଟଣା କାହିଁକି ଘଟିଲା ଓ ସେଥିରେ ସଂପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଅବସରପ୍ରାପ୍ତ ଉଚ୍ଚନ୍ୟାୟଳୟ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଇ ବିହିତ ପଦକ୍ଷେପ ନେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଏଭଳି ଅଭାବନୀୟ ଅଘଟଣର ପୂର୍ବାପର ସଂଗତିକୁ ଦୃଷ୍ଟିକୁ ନେଲେ ଶ୍ରୀ ଗୁଣ୍ଡିଚା ଦିନ ଶ୍ରୀ ଜିୟୁମାନଙ୍କୁ ଦଳି ପଖାଳ ଖୁଆଇ ପହଣ୍ଡି ପାଇଁ ଅଣାଯାଇଥାଏ । ମାତ୍ର ଚଳିତ ଥର ଶ୍ରୀ ଜିଉଙ୍କୁ ଅଖିଆ ଅପିଆ ପହଣ୍ଡି ପାଇଁ ଅଣାଯାଇଥିଲା । ନେତ୍ରୋତ୍ସବ ନୀତିକାନ୍ତି ମଧ୍ୟ ଠିକଭାବେ କରାଯାଇନଥିଲା । ଏପରିକି ସେନାପଟା ବନ୍ଧା କାର୍ଯ୍ୟମଧ୍ୟ ଠିକ ଭାବେ ହୋଇନଥିବା କଥା ଶ୍ରୀ ହରିଚନ୍ଦନ କହିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ରତ୍ନ ଭଣ୍ଡାରର ଗଣତି, ମଣତି ସହିତ ଅଳଙ୍କାର ଗୁଡ଼ିକ ତାଲିକାଭୁକ୍ତ କରାଯାଇ ଏ ସମ୍ପର୍କରେ ସରକାର ତୁରନ୍ତ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ରତ୍ନ ଭଣ୍ଡାରର ତୁରନ୍ତ ମରାମତି ନକରାଗଲେ ମନ୍ଦିର ଦବି ଯିବ ଓ ଏହାର ଢ଼ାଂଚା ବଦଳି ଯିବ ବୋଲି ସେ ଆଶଙ୍କା ପ୍ରକାଶ କରିନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟପାଳଙ୍କ ପୁଅ ଜଣେ କାର୍ଯ୍ୟରତ ଓଡ଼ିଆ ଅଫିସରଙ୍କୁ ମାଡ଼ମାରି ଲହୁ ଲୁହାଣ କଲେ ହେଲେ ରାଜ୍ୟର ରାଜ୍ୟପାଳ ଓ ଗୃହ ବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ନୀରବ ରହିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଏ ସମ୍ପର୍କରେ ପୀଡ଼ିତ ଅଧିକାରୀ ଜଣଙ୍କ ଏତଲା ଦେଇଥିଲେ ମଧ୍ୟ ପୋଲିସ ହାତ ବାନ୍ଧି ବସିଛି । ଅଭିଯୁକ୍ତକୁ ଗିରଫ କରିବା ବଦଳରେ ଏଏସଓ ଜଣଙ୍କୁ ବଦଳି କରାଗଲା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଘଟଣାଟିକୁ ଚାପି ଦେବାପାଇଁ ଉଦ୍ୟମ ଚାଲିଥିବା ବେଳେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦେବା ଲାଗି କଂଗ୍ରେସ ଦାବି କରିଛି ।
ଏହି ସମ୍ମିଳନୀରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡଃ ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି ଯେ କଂଗ୍ରେସ ଓଡ଼ିଆ ଅସ୍ମିତା ରକ୍ଷାପାଇଁ ଓ ଓଡ଼ିଶାର ସ୍ୱାର୍ଥ ରକ୍ଷାପାଇଁ ପ୍ରସଙ୍ଗଭିତିକ ଲଢ଼େଇ ଜାରି ରଖିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସନତ ଦାସ, ପିସିସି ମୁଖପାତ୍ର ସୋନାଲି ସାହୁ, ମନୀଷା ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।