25% ସିଟରେ ପଢ଼ୁଥିବା ପିଲାଙ୍କୁ ବହି, ଡ୍ରେସ, ଜୋତା ଦାବୀରେ ଓଡିଶା ଅଭିଭାବକ ମହାସଂଘର ଧାରଣା
ସବୁ ସ୍କୁଲରେ ଏନସିଇଆରଟି ବହି ଲାଗୁ ଓ ଆର ଟିଇରେ 25% ସିଟରେ ପଢ଼ୁଥିବା ପିଲାଙ୍କୁ ବହି, ଡ୍ରେସ, ଜୋତା ଦାବୀରେ ଓଡିଶା ଅଭିଭାବକ ମହାସଂଘର ଧାରଣା, ଓସେପା ନିର୍ଦେଶକ ଅନୁପମ ସାହାଙ୍କୁ ସ୍ଥାୟୀ ସମାଧାନ ଦାଇତ୍ୱ l
ଭୁବନେଶ୍ୱର ତା 17 ରିଖ l ଶିକ୍ଷା ଅଧିକାର ଆଇନରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରି ପାଠ ପଢୁଛନ୍ତି l ଆରଟିଇରେ ନିଃଶୁଳ୍କ ପାଠ ପଢ଼lଉ ଥିବା ଅଭିଭାବକ ମାନେ ବିଭିନ୍ନ ଘରୋଇ ସ୍କୁଲରେ 5-7 ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ ବହି କିଣିଛନ୍ତି l ତା ଛଡା ସ୍କୁଲ ୟୁନିଫର୍ମ, ଜୋତା ମଧ୍ୟ ହଜାର ହଜାର ଟଙ୍କା ଦେଇ ନେଇଛନ୍ତି l ପ୍ରାୟତଃ 10-12 ହଜାର ଟଙ୍କା ଖର୍ଚ୍ଚ କରି ଜଣେ ଅଭିଭାବକ ଏହାକୁ ସ୍କୁଲରୁ ଆଣିଛନ୍ତି l ଶିକ୍ଷା ଅଧିକାର ଆଇନରେ ମାଗଣାରେ ପାଠ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲ ଫିସ ସହିତ ପଢ଼ା ବହି, ସ୍କୁଲ ୟୁନିଫର୍ମ, ଜୋତା ଏବଂ ଯେଉଁଠି ମଧ୍ୟାହ୍ନ ଭୋଜନ ଥିବ ସେଠାରେ ପ୍ରଦାନ ପାଇଁ ସ୍ୱତନ୍ତ୍ର ନିୟମ ରହିଛି l ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ମାଗଣା ପାଠ ପଢିବା ବ୍ୟବସ୍ଥା କରିଛନ୍ତି l ହେଲେ ଏହି ଆର୍ଥିକ ଦୁର୍ବଳ ଶ୍ରେଣୀର ଅଭିଭାବକ ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି କିପରି ଓ କେଉଁଠୁ ପୁଣି ଆଣି ଦେବେ l ଯେହେତୁ ସ୍କୁଲ ମାନେ ପାଠ ପଢ଼ା ଆରମ୍ଭ କରି ସାରିଲେଣି ତେଣୁ ବାଧ୍ୟ ହୋଇ ପ୍ରାଇଭେଟ ସ୍କୁଲ ଚାପରେ ବହି, ଜୋତା, ସ୍କୁଲ ଡ୍ରେସ ଆଦି କିଣିଛନ୍ତି l ପ୍ରାଇଭେଟ ସ୍କୁଲ ମାନଙ୍କ ଏହି ନିୟମ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଶିକ୍ଷା ବିଭାଗ ଅଧିକାରୀ ମାନଙ୍କୁ ବହୁବାର ଅଭିଯୋଗ କଲା ପରେ କାର୍ଯ୍ୟକାରୀ ନହେବାରୁ ତତ ସହିତ ସବୁ ପ୍ରାଇଭେଟ ସ୍କୁଲରେ ଏନ ସି ଇ ଆର ଟି ବହିରେ ପାଠ ପଢିବା ପାଇଁ ଶିକ୍ଷା ବିଭାଗ ବହୁବାର ନିର୍ଦେଶ ଦେବା ପରେ ମଧ୍ୟ ସ୍କୁଲ ମାନେ ବେଖାତିର କରି ପ୍ରାଇଭେଟ ପବ୍ଲିକେସନ ବହି ବିକ୍ରି କରୁଛନ୍ତି ଓ ଅଭିଭାବକ ମାନଙ୍କୁ ଶୋଷଣ କରିବା ସହିତ ନିରୀହ ପିଲାମାନେ ଅଯଥାରେ ବସ୍ତାନି ବୋଝ ବୋହୁଛନ୍ତି l ତେଣୁ ଆଜି ପ୍ରାୟ ତିନି ଶହରୁ ଅଧିକ ଅଭିଭାବକ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆର ଟି ଇ 25% ସିଟରେ ପଢ଼ୁଥିବା ପିଲାଙ୍କ ଅଭିଭାବକ ସ୍କୁଲ ସେହି ଅର୍ଥ ଫେରସ୍ତ ପାଇଁ ଓସେପା ଅଫିସରେ ଶିକ୍ଷା ବିଭାଗ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଆଗରେ ଧାରଣାରେ ବସିଥିଲେ l ଗଣଶିକ୍ଷା ସଚିବ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତ ରହୁଥିବାରୁ ମହାସଂଘ ଅସନ୍ତୋଷ ହେବା ସହିତ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଅନୁପମ ସାହାଙ୍କ ସହିତ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ପ୍ରଦୀପ୍ତ ମିଶ୍ର, ଅଶୋକ ପଟନାୟକ, କଳ୍ପନା ସାହୁ ଆଦି ଆଲୋଚନା କରିଥିଲେ l ଅନୁପମ ସାହା ଦୁଇଟି ଯାକ ଦାବୀ ଉପରେ ନିଜେ ସମାଧାନ କରିବେ ବୋଲି ଦାଇତ୍ୱ ଦେବା ପରେ ମହାସଂଘ ଆନ୍ଦୋଳନ ରୁ ଓହରିଥିଲା l ପରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଅଭିଯୋଗ କାର୍ଯ୍ୟାଳୟକୁ ମଧ୍ୟ ଦାବୀ ଜଣାଇବାକୁ ଅଭିଭାବକ ମାନେ ଯାଇଥିଲେ l ଏହି ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ୱତନ୍ତ୍ର ଅଧିକାରୀ ରୀନାରାଣୀ ମହାପାତ୍ର ବିଭାଗ ସହିତ କଥା ହୋଇ ଆଜି ସନ୍ଧ୍ୟାରେ ଏହି ଦାବୀ ଉପରେ ବିଭାଗ ଏକ ଜରୁରୀ ବୈଠକ ଡକାଇଛନ୍ତି ବୋଲି ମହାସଂଘ କୁ କହିଥିଲେ l ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆଗକୁ ହଜାର ହଜାର ଅଭିଭାବକ ଆସି ଦୁର୍ବାର ଆନ୍ଦୋଳନ ହେବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଗଣମାଧ୍ୟମକୁ କହିଛନ୍ତି l