ଖାସମାହାଲ ଜମି ଷ୍ଟାଟସ ପରିବର୍ତନ ପ୍ରସଙ୍ଗ କଟକ କଲେକ୍ଟରଙ୍କ ପାଇଁ – ହଁ
ଖାସମାହାଲ ଜମି ଷ୍ଟାଟସ ପରିବର୍ତନ ପ୍ରସଙ୍ଗ
କଟକ କଲେକ୍ଟରଙ୍କ ପାଇଁ – ହଁ
ମାତ୍ର ସାଧାରଣ ଜନତାଙ୍କ ପାଇଁ – ନାଁ – ମାନସ ଚୌଧୁରୀ
ଭୁବନେଶ୍ୱର:କଟକ ତା ୧୬.୭- କଟକ ସହରର ବହୁ ସ୍ଥାନୀୟ ବାସିନ୍ଦାଙ୍କର ନିଜର ବାସସ୍ଥାନ ଉପରେ ସେମାନଙ୍କର
ଅଧିକାର ସାବ୍ୟସ୍ତକୁ ନେଇ ଯେଉଁ ସମସ୍ୟା ଉପୁଜିଛି ତାହାକୁ ସମାଧାନ କରିବାପାଇଁ ପ୍ରଶାସନ ଜାଣିଶୁଣି ଅବହେଳା କରୁଛନ୍ତି ଏବଂ ନିରୀହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଟକ
ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଆଜି କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି ଯେ
କଟକ ସହରର ୟୁନିଟ ନମ୍ବର ୧୦, ୧୧,୧୨, ୧୩,୧୪,୨୦, ୨୧,୨୨ ର ପ୍ରାୟ ୧୦୦ ଏକ ଜାଗା ଉପରେ ୫୦୦୦
ରୁ ଉଦ୍ଧ୍ୱର୍ କେସ ର ୫୦୦୦ ରୁ ଉଦ୍ଧ୍ୱର୍ ବାସିନ୍ଦା ନିଜ ଜାଗାର ସ୍ଥିତିବାନ ଷ୍ଟାଟସର ଅଧିକାର ରେକର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି । ଉକ୍ତ ଖାସମାହାଲ ଜାଗା ମାଲିକ ମାନଙ୍କର ପଟ୍ଟାର ମିଆଦ ୧୯୭୩ ମସିହାରେ ସରିଗଲା ପରେ ଏହାର ରିନ୍ୟୁୱାଲ କରାଯାଇନଥିଲା । ୨୦୦୩ ମସିହାରେ ରିନ୍ୟୁୱାଲ ପାଇଁ ଏହି ଜମି ମାଲିକମାନେ ଆବେଦନ କରିଥିଲେ । ସେମାନଙ୍କୁ ପ୍ରଦତ ହୋଇଥିବା ଖାସମାହାଲ ପଟ୍ଟାକୁ ସେମାନେ ସ୍ଥିତିବାନ ରେ ପରିଣତ କରିବାପାଇଁ ଆର.ଆଇ, ତହସିଲଦାର,
ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଛନ୍ତି । ମାତ୍ର ଉପରୋକ୍ତ କାର୍ଯ୍ୟାଳୟ ସେହି ଜାଗା ମାଲିକଙ୍କ କାମ ନକରିବାର ଉଦ୍ଦେଶ୍ୟ ରଖି ଗତ ୫୦ ବର୍ଷର ରେକର୍ଡ
ମାଗୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିକିଯେ ଏହି ଜାଗା ମାଲିକମାନେ ଯେତେବେଳେ ଉପରୋକ୍ତ କାର୍ଯ୍ୟାଳୟକୁ ଆବଶ୍ୟକୀୟ କାଗଜପତ୍ର ଦେବାପାଇଁ ଆବେଦନ କରୁଛନ୍ତି ଉକ୍ତ
କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ଯେ ସେ ସବୁ ଡକ୍ୟୁମେଂଟ ନଷ୍ଟ ହୋଇଯାଇଛି । ତେବେ ଯଦି ସରକାର ଏହି ନିରୀହ ଜନତାଙ୍କୁ ସେହି ଡକ୍ୟୁମେଂଟ ନଦେବେ ତେବେ ସେମାନେ ଏହା ପାଇବେ
କିପରି? କାରଣ ସରକାରଙ୍କ ପକ୍ଷରୁ ସେହି ଲିଜ୍ ସବୁ ଦିଆଯାଇଥିଲା । ବର୍ତମାନ ଏହି ଜାଗା ମାଲିକମାନେ ରେକର୍ଡ ଅଫ ରାଇଟ ନପାଇବା ଫଳରେ କୌଣସି କାର୍ଯ୍ୟ କରିବାପାଇଁ ନିଜ ଜାଗା ଉପରେ ଋଣ କରିପାରୁ ନାହାନ୍ତି । ଭଙ୍ଗାଘରକୁ ସଜାଡ଼ିବା ପାଇଁ, ପିଲାମାନଙ୍କର ପାଠପଢ଼ା ପାଇଁ, ବିବାହ, ବ୍ରତ, ଶୁଦ୍ଧିକ୍ରିୟା ବା ରୋଗବ୍ୟାଧି ରେ ଚିକିତ୍ସା ପାଇଁ ନିଜ
ଜାଗା ବନ୍ଧକ ରଖିବା ସମ୍ଭବ ହୋଇପାରୁ ନାହିଁ କାରଣ ଜାଗା ମାଲିକଙ୍କ ପାଖରେ ସ୍ଥିତିବାନ ଷ୍ଟାଟସର ଅଧିକାର ରେକର୍ଡ ନାହିଁ । ୨୦୨୧ ମସିହା ମେ ୪ ତାରିଖରେ ଚିଠି ନମ୍ବର ୪୮୩୮ ର ୧୮୦ଟି ରେକର୍ଡ ଉପରେ ଉପଜିଲ୍ଲାପାଳ କୌଣସି ପଦକ୍ଷେପ ନନେଇ ଏହାକୁ ଫେରାଇ ଦେଇଛନ୍ତି ବୋଲି ଜଣାପଡ଼ିଛି । ପୁଣି ଜିଲ୍ଲାପାଳଙ୍କ ଅଗୋଚରରେ ଉପଜିଲ୍ଲାପାଳ ୧୯.୪.୨୦୨୧ ତାରିଖ ଦିନ ଏ ସଂକ୍ରାନ୍ତରେ ଏକ ନାମକୁ ମାତ୍ର ରିଭିୟୁ ମିଟିଙ୍ଗ ଡକାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ କଟକର ୫୦୦୦ ଜାଗା ମାଲିକଙ୍କ ଖାସମାହଲ କେସର ସମାଧାନ ପ୍ରଶାସନ ବର୍ଷ ବର୍ଷ ଧରି କରୁନଥିବା ବେଳେ କଟକର ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଜାଗା କେସ ନମ୍ବର ୨୫୫୭/୨୦୧୧କୁ ସହଜରେ ରିନ୍ୟୁ କରାଗଲା କିପରି? କଲେକ୍ଟରଙ୍କର ୟୁନିଟ୍ ୧୩, ଚାନ୍ଦିନୀ ଚୌକ ମୌଜାରେ ଥିବା ୧୦୦ ଡିସିମିଲ ଜାଗା ଖାତା ନମ୍ବର ୫୭୩/୪୫୫, ପ୍ଲଟ ନଂ – ୨୯୫୯କୁ ସ୍ଥିତିବାନ ଅବସ୍ଥାକୁ ପରିବର୍ତନ କରାଗଲା କେଉଁ ଆଇନ ବଳରେ? ହେଲେ ଏହି ସମାନ କେସରେ ଅନ୍ୟୁନ ୫୦୦୦ ଜାଗା ମାଲିକଙ୍କୁ ରେକର୍ଡ ଅଫ ରାଇଟ ଦେବାପାଇଁ ଜିଲ୍ଲାପାଳ ଭୁଆଁ ବୁଲାୁଛନ୍ତି କ’ଣ ପାଇଁ? ସେହି ଆଇନ ଏମାନଙ୍କ କ୍ଷେତ୍ରରେ ଲାଗୁହେବ ନାହିଁ କାହିଁକି?
ଜିଲ୍ଲାପାଳ ନିଜ ଜାଗାର ସମସ୍ୟାକୁ ସମାଧାନ କଲେ ହେଲେ କଟକ ସହରର ୫୦୦୦ ନିରୀହ ଖାସମାହଲ ଜାଗା ଅଧିକାରୀଙ୍କ ଦୁଃଖ ଶୁଣିବ କିଏ? ସଂପୃକ୍ତ ଜାଗା ମାଲିକ ମାନେ ତାଙ୍କର ଦୁଃଖ “୫ଟି ସଚିବ” ବା “ମୋ ସରକାର”ଙ୍କୁ ଲିଖିତ ଆକାରରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ସୁତରାଂ ସରକାର ତୁରନ୍ତ ଏକ ମାସିକିଆ କ୍ୟାମ୍ପକୋଟ ମାଧ୍ୟମରେ କିମ୍ବା ଏକ ଷ୍ଟାଣ୍ଡାର୍ଡ ଅଡର଼୍ର ଜାରିକରି ଏହି ଖାସମାହାଲ କେସ୍ ଗୁଡ଼ିକର ସମାଧାନ କରନ୍ତୁ ନହେଲେ ଏହି ୫୦୦୦ ଉପେକ୍ଷିତ ଜାଗା ମାଲିକମାନେ ରାଜରାସ୍ତାକୁ ଓହ୍ଲାଇବେ ଓ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏମାନଙ୍କ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦିଆଯାଇ ତୀବ୍ରତର କରାଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ୫ଟି ସଚିବ ଯିଏ କି ଏବେ ଓଡ଼ିଶାରେ ବୁଲିବୁଲି ଲୋକଙ୍କ ଅଭିଯୋଗ
ଶୁଣୁଛନ୍ତି ବୋଲି ଦାବି କରୁଛନ୍ତି, ସିଏ ଉପରୋକ୍ତ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ଆଶା କରୁଛୁ । ଯଦି ଏହି ଦାବିକୁ ସରକାର ଉପେକ୍ଷା କରନ୍ତି ତେବେ ଅଧିକାର ପାଇଁ
ଲଢେ଼ଇର ଗତି ଯେଉଁ ରୂପ ନେବ ସରକାର ସେଥିପାଇଁ ଦାୟୀ ରହିବେ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ ଚେତାବନୀ ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଉପେକ୍ଷିତ ଜାଗା ମାଲିକ ମାନଙ୍କର ପ୍ରତିନିଧି ପତିତପାବନ ମହାରଣା, ରବୀନ ଶତପଥି, ପ୍ରେମାନନ୍ଦ
ବେହେରା, ବିଶ୍ୱନାଥ ବେହେରା ଓ ରୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।