ଭୋଟଗଣନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଆଲୋଚନା
ଭୋଟଗଣନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଆଲୋଚନା
ଭୁବନେଶ୍ୱର- -ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତା ୪ ତାରିଖରେ ଭୋଟ ଗଣନା ହେବ । ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣତି ପ୍ରକ୍ରିୟା ଓ ଏ ସଂକ୍ରାନ୍ତୀୟ ସମସ୍ତ ନୀତି ନୀୟମ, ବିଭିନ୍ନ ପ୍ରାର୍ଥୀ ମାନଙ୍କ ପ୍ରତିନିଧି ନିଯୁକ୍ତି ଏବଂ ଗଣନା କାର୍ଯ୍ୟରେ ସହଯୋଗ ଲୋଡି ଏକ ବୈଠକ ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣି ଅଧିକାରୀ ଭାବେ ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପଣ୍ଡା, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ନୀତିଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ଆସନ୍ତା ୪ ତାରିଖରେ ସକାଳ ୮ ଘଟିକାରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ । ପ୍ରାରମ୍ଭିକ ଭାବେ ପୋଷ୍ଟାଲ ବାଲଟ ଗଣନା ପ୍ରକ୍ରିୟା ଆରମ୍ଭ ହେବ । ଏଥିସହ ଇଭିଏମ ମାଧ୍ୟମରେ ନିଆଯାଇଥିବା ଭୋଟର ମଧ୍ୟ ଗଣନା ହେବ । ଏଥିନିମନ୍ତେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ବିଧାନସଭା କ୍ଷେତ୍ର ନିମନ୍ତେ ପ୍ରତ୍ୟେକ ୧୨ଟି କାଉଣ୍ଟିଂ ଟେବଲ ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ୧୪ଟି କାଉଣ୍ଟିଂ ଟେବଲ ବ୍ୟବସ୍ଥା କରାଯାଇଛି । ସେହିଭଳି ସମ୍ପୃକ୍ତ ଲୋକସଭା କ୍ଷେତ୍ରର ଇଭିଇମ ଭୋଟ ଗଣନା ନିମନ୍ତେ ୧୪ଟି ଟେବଲ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଟେବଲ ନିମନ୍ତେ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ ଇଭିଇମ ନେବା ଆଣିବାରେ ସହଯୋଗ କରିବା ପାଇଁ ଜଣେ ସହାୟକ ନିଯୁକ୍ତ ରହିବେ ।
ଏଥିସହ ଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି । ଏଥିନିମନ୍ତେ ତ୍ରିସ୍ତରୀୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବଭଳି ପ୍ରାର୍ଥୀ ମାନେ ସମସ୍ତ ସହଯୋଗ ଯାରି ରଖିବେ ବୋଲି ଅଧିକାରୀ ମାନେ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।