କ୍ଷମତାର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ : ଭର୍ତୃହରି ମହତାବ
କ୍ଷମତାର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ : ଭର୍ତୃହରି ମହତାବ
କ୍ୟାବିନେଟ୍ରେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ ନଉଠାଇ ଅନୁମୋଦନ ହୋଇଛି ବୋଲି ଘୋଷଣା କରିଥିଲା ବିଜେଡି
ବିଜେଡି ଶାସନରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡି ପଡିଛି
ଓଡ଼ିଶାରେ କେତେ ସରକାରୀ ପଦବୀ ଖାଲି ପଡିଛି ତାହା ନବୀନ ବାବୁଙ୍କୁ ଜଣାନାହିଁ
ବିଜେପି କ୍ଷମତାକୁ ଆସିଲେ ମୁର୍ମୁଷ ଅବସ୍ଥାରେ ଥିବା ଓପିଏସ୍ସିକୁ ସଂଶୋଧନ କରାଯିବ
କେତେଜଣ ଅଧିକାରୀ କ୍ଷମତାର ଦୁରୁପଯୋଗ କରି ଲୋକଙ୍କୁ ହଇରାଣ ହରକତ କରୁଛନ୍ତି
ଭୁବନେଶ୍ୱର, ତା.୨୯/୦୫: ଆଦିବାସୀମାନେ ଅଣଆଦିବାସୀମାନଙ୍କୁ ଜମି ବିକ୍ରି କରିପାରିବେ ବୋଲି ଓଡ଼ିଶା କ୍ୟାବିନେଟ୍ରେ ଏକ ନିଷ୍ପତି ହୋଇଥିଲା । ତେବେ କେଉଁ ପରିପ୍ରେକ୍ଷିରେ ବିଜେଡି ସରକାର ଏହି ନିଷ୍ପତି ନେଇଥିଲା ଏବଂ ତାହା ପଛରେ କେଉଁ ମନ୍ଦ ଉଦ୍ଦେଶ୍ୟ ଥିଲା ତାହା ଓଡ଼ିଶାବାସୀ ଜାଣିବା ଆବଶ୍ୟକ । ବିଜେଡି ସରକାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ କି ପ୍ରକାର କାନ୍ଦୁଥିଲେ ସେ ବିଷୟରେ ଓଡ଼ିଶାର ଆଦିବାସୀଙ୍କୁ ଅଛପା ନାହିଁ । ଏନେଇ କେତେଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ମୁଁ ନିଜେ କଥା ହୋଇଥିଲି । କ୍ୟାବିନେଟ୍ ସାମ୍ନାରେ ଚିଠା ଆଗତ ବେଳେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ ଉଠିନଥିଲା । ହଠାତ୍ ସ୍ପେଶାଲ ମେମୋରାଣ୍ଡମ୍ ଭାବେ ଏହା ସାମ୍ନାକୁ ଆସିଲା । କ୍ୟାବିନେଟ୍ ସରିଲା ବେଳକୁ ଏହା ଅନୁମୋଦନ ହୋଇଛି ବୋଲି ଘୋଷଣା କରାଗଲା, ମାତ୍ର ଏହାକୁ ବିରୋଧ କରିବାରୁ ତାହା ଏପର୍ଯ୍ୟନ୍ତ ସ୍ଥଗିତ ରହିଛି । କ୍ୟାବିନେଟ୍ ଓ ସରକାର କାର୍ଯ୍ୟ କିଭଳି ଚାଲିଛି ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ବୋଲି ସାଂସଦ ତଥା କଟକ ଲୋକସଭା ପ୍ରାର୍ଥୀ ଶ୍ରୀ ଭର୍ତୃହରି ମହତାବ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହତାବ କହିଛନ୍ତି ଯେ, ବିଜେଡି ସରକାରରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡି ପଡିଛି । ଓଡ଼ିଶାରେ କେତେ ଶିକ୍ଷକ ପଦବୀ ଖାଲି ପଡିଛି ଏହା ସୂଚନା ଅଧିକାର ଆଇନ (ଆରଟିଆଇ) ଦ୍ୱାରା ଆମେ ଅବଗତ ଅଛୁ । କିନ୍ତୁ ନବୀନ ବାବୁ ପ୍ରଚାର କରୁଛନ୍ତି, ସେ କୁଆଡେ ଶିକ୍ଷାର ଉନ୍ନତି କରିଛନ୍ତି । ଓଡ଼ିଶାର ଯୁବକଙ୍କୁ ପ୍ରଗତି ଦିଗରେ ନେବାକୁ ହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଯୁକ୍ତିର ଆବଶ୍ୟକ । ନବୀନ ସରକାର ଗତ ୧୦ବର୍ଷ ଭିତରେ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି । ସେହିପରି ଓଡ଼ିଶାରେ କେତେ ସରକାରୀ ପଦବୀ ଖାଲି ପଡିଛି ତାହା ମଧ୍ୟ ନବୀନ ବାବୁଙ୍କୁ ଜଣାନାହିଁ । ବିଜେପି ପକ୍ଷରୁ “ନିଯୁକ୍ତି ମେଳା” କରି ଯୁବକଙ୍କୁ ନିଯୁକ୍ତି ଦିଆଯାଉଛି । କିନ୍ତୁ ସତ କଥା ହେଉଛି ଓଡିଶାରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା ପାଇଁ କୌଣସି ପକ୍ରିୟା ହେଉନାହିଁ । ବିଜେପି କ୍ଷମତାକୁ ଆସିଲେ ମୁର୍ମୁଷ ଅବସ୍ଥାରେ ଥିବା ଓପିଏସ୍ସିକୁ ସଂଶୋଧନ କରାଯିବ ।
ଓଡ଼ିଶାରେ ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଏଥିରୁ ମିଳିଥିବା ଜନମତରୁ ସ୍ପଷ୍ଟ ଜଣାପଡୁଛି ବିଜେପି ଓଡିଶାରେ ସରକାର ଗଠନ କରିବ । ଆସନ୍ତା ୧ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ହେବ । ଏଥିରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବା ସୁନିଶ୍ଚିତ । ଗତକାଲି ନିର୍ବାଚନ କମିଶନ ୨ଜଣ ଉଚ୍ଚପଦସ୍ତ ଅଧିକାରୀଙ୍କ ବିରୋଧରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଗତ ୩୦ବର୍ଷ ଭିତରେ ଅନ୍ୟ କେଉଁ ରାଜ୍ୟରେ ସେଭଳି ନିଆଯାଇନାହିଁ । ଏଥିରୁ ସ୍ପଷ୍ଟ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବିଜେପି ସରକାର ଆସିଲେ ଯେଉଁ ଅଧିକାରୀମାନେ ଶାସନ କ୍ଷେତ୍ରରେ ରହି କ୍ଷମତାର ଦୁରୁପଯୋଗ ଓ ଅପବ୍ୟବହାର କରୁଛନ୍ତି ସେମାନଙ୍କୁ ଛଡାଯିବ ନାହିଁ । କେତେଜଣ ଅଫିସର ଆସନ ମାଡିବସି ଓଡ଼ିଶାଲୋକଙ୍କୁ ହଇରାଣ ହରକତ କରିବା ସହ କଲବଲ, ମର୍ଯ୍ୟାଦାହାନି ଓ ଉତ୍ପୀଡନ କରିଛନ୍ତି । ଏ ସମସ୍ତଙ୍କ ବିରୋଧରେ ବିଜେପି ସରକାରକୁ ଆସିଲେ ଆଇନଗତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସରକାରୀ ଅଧିକାରୀମାନେ ଦଳ ପାଇଁ କାର୍ଯ୍ୟ ନକରି ସରକାରୀ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ବୋଲି ସାଂସଦ ଶ୍ରୀ ମହତାବ ସଚେତନ କରାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।