ଲୁଣ୍ଠନ ହିଁ ଆଜିର ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ
ସାଂପ୍ରତିକ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ବ୍ୟବସ୍ଥାର ଲାଭ ଓ ଲୋଭ ପାଇଁ ଅବିଚାରିତ ପ୍ରାକୃତିକ ସମ୍ପଦର ଲୁଣ୍ଠନ ହିଁ ଆଜିର ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ: ସାଥୀ ଶିବରାମଙ୍କ ତୃତୀୟ ସ୍ମାରକୀ ବକ୍ତୃତାମାଳାରେ ମତପ୍ରକାଶ
ଭୁବନେଶ୍ୱର, ତା୨୮/୦୫: ଖଟିଖିଆ ଶ୍ରମଜୀବୀ ଜନସାଧାରଣଙ୍କ ଜୀବନ-ଜୀବିକାର ଲଢେ଼ଇର ବିଶ୍ୱସ୍ତ ସାଥୀ ତଥା ବସ୍ତିବାସିନ୍ଦାଙ୍କ ସଂଘର୍ଷର ସାରଥୀ ଶିବରାମଙ୍କ ତୃତୀୟ ମୃତ୍ୟୁ ବାର୍ଷିକୀ ଉପଲକ୍ଷେ “ଜଳବାୟୁ ପରିବର୍ତ୍ତନ ଏବଂ ଏହାର ରାଜନୈତିକ ପରିଣାମ” ଶୀର୍ଷକ ବକ୍ତୁତାମାଳା ଆଜି ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସାଥୀ ଶିବରାମ ସ୍ମୃତି କମିଟି ଦ୍ବାରା ଆୟୋଜନ କରାଯାଇଥିବା ଏହି ବକ୍ତୃତାମାଳାରେ ସ୍ମୃତି କମିଟିର ସଦସ୍ୟ ନରେନ୍ଦ୍ର ମହାନ୍ତିଙ୍କ ପ୍ରାରମ୍ଭିକ ସୂଚନା ପରେ କମିଟିର ଆବାହକ ବିଶ୍ୱପ୍ରିୟ କାନୁନଗୋ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ବିକଳ୍ପ ଜନବାଦୀ ପତ୍ରିକା ସମଦୃଷ୍ଟି ର ସଂପାଦକ ସୁଧୀର ପଟ୍ଟନାୟକ ଆଲୋଚନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଏବଂ ଅଖିଳ ଭାରତ କ୍ରାନ୍ତିକାରୀ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଅସୀମ ଗିରି ମଞ୍ଚରେ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ।
ସାଂପ୍ରତିକ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ବ୍ୟବସ୍ଥାର ଲାଭ ଓ ଲୋଭ ପାଇଁ ଅବିଚାରିତ ପ୍ରାକୃତିକ ସମ୍ପଦର ଲୁଣ୍ଠନ ହିଁ ଆଜିର ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ବୋଲି ମୂଖ୍ୟ ଆଲୋଚକ ସୁଧୀର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାରେ ପୋସ୍କୋ କମ୍ପାନୀ ବିରୋଧରେ ଆନ୍ଦୋଳନ ଏବଂ ଖଣ୍ଡାଧାର ସୁରକ୍ଷା ପାଇଁ ହୋଇଥିବା ଆନ୍ଦୋଳନ କିପରି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ସହ ଜଡିତ ଏବଂ ସାଥୀ ଶିବରାମ କିପରି ଏହି ବିଷୟ ସହିତ ନିଜକୁ ଜଡ଼ିତ କରିପାରିଥିଲେ, ତାହାର ସେ ସ୍ମୃତି ଚାରଣ କରିଥିଲେ। ଅଶୀ ଦଶକରେ ଆରମ୍ଭ ହୋଇଥିବା ବାଲିଆପାଳ କ୍ଷେପଣାସ୍ତ୍ର ଘାଟୀ ବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ତଥା ବାଲକୋ ବିରୋଧୀ ଆନ୍ଦୋଳନ, ଗୋପାଳପୁର ରେ ଟାଟାବିରୋଧୀ ଆନ୍ଦୋଳନ ଜଳବାୟୁ ପରିବର୍ତ୍ତନ ର ଆଜିର କୁପରିଣାମ ବିରୋଧରେ ମଧ୍ୟ ଆନ୍ଦୋଳନ ଥିଲା।
ସେ କହିଥିଲେ ଜଳବାୟୁ ପରିବର୍ତ୍ତନ ହେଉଛି ସବୁଠାରୁ ଅମାନବିକ ତଥା ମାନବ ସଭ୍ୟତା ଓ ସମାଜର ବିରୋଧୀ କହିଲେ ଅତ୍ୟୁକ୍ତି ହେବନାହିଁ। ସାରା ବିଶ୍ବରେ ଓ ଆମ ଦେଶ ଭାରତରେ ଯେପରି ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ ହୋଇଛି, ଯାହା ତଥାକଥିତ ବିକାଶ ନାମରେ ଶିଳ୍ପାୟନ ଦ୍ବାରା ହୋଇଛି, ଯାହାର ପ୍ରଭାବ ଜଳବାୟୁ ଉପରେ ପଡୁଛି ଏବଂ ଚାଷ ଜମି ଓ ଚାଷ ଓ ପରିବେଶ ଉପରେ ତା’ର ଗଭୀର ପ୍ରଭାବ ପଡୁଛି। ଯେଉଁ କଥା ବିଶିଷ୍ଟ ଜୈବ ଚାଷୀ ନଟବର ଷଡ଼ଙ୍ଗୀ ତାଙ୍କ ପୁସ୍ତକରେ ମାଟି କିପରି ବିଷାକ୍ତ ହୋଇ ମରୁଭୂମିରେ ପରିଣତ ହୋଇଚାଲିଛି, ତାହା ବର୍ଣ୍ଣନା କରିଛନ୍ତି। ଜଳବାୟୁ ପରିବର୍ତ୍ତନର ରାଜନୈତିକ ପରିଣାମ ଆଲୋଚନା କରିବା ପୂର୍ବରୁ ଜଳବାୟୁ କିପରି ଆଜି ଏକ ରାଜନୈତିକ ବିଷୟ ପାଲଟିଛି, ତାହା ବୁଝିବା ଆଜି ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଥିଲେ। ଚେମେସ୍କି ଙ୍କ ଭଳି ଅର୍ଥଶାସ୍ତୀମାନେ କୋଇଲାକୁ ଜାଳେଣି ଭାବରେ ବ୍ୟବହାର କରିବା ଦ୍ବାରା କିପରି କାର୍ବନ ଡାଇଓକ୍ସାଇଡ୍/ ଅଙ୍ଗାରକାମ୍ଳ ଗ୍ୟାସ ଜଳବାୟୁ ଉପରେ ପ୍ରଭାବ ବିସ୍ତାର କରୁଛି, ଗ୍ରୀନ୍ ହାଉସ୍ ର କ୍ଷତି ସାଧନ କରୁଛି, ଯାହା ଓଜୋନ୍ ସ୍ତରକୁ ହ୍ରାସ କରିଚାଲିଛି, ତାହା ଆମେ ଆଜି ପ୍ରତି ପାଦେ ପାଦେ ଅନୁଭବ କରୁଛନ୍ତି। ସେ କହିଥିଲେ ଆମେରିକା ଭୁଖଣ୍ଡର ଆବିଷ୍କାର ଓ ଆଫ୍ରିକା ଭୁଖଣ୍ଡର ଆବିଷ୍କାର ଉପନିବେଶବାଦ, ଉପଭୋକ୍ତା ବାଦ ଓ ପ୍ରାକୃତିକ ସଂପଦର ଲୁଣ୍ଠନ ପାଇଁ ଅଭିପ୍ରେତ ଥିଲା। ସେତେବେଳେ ମାନବଜାତି ସେପରି ଦୂରଦର୍ଶୀ ହୋଇ ପାରିନଥିଲା ଯେ ସେହି ଆବିଷ୍କାର ଆଗାମୀ ଦିନ ପାଇଁ କିପରି ପରିଣାମ ସୃଷ୍ଟି କରିବ। ବିଶ୍ଵର ବିଶିଷ୍ଟ ଚିନ୍ତା ନାୟକ, ଦାର୍ଶନିକ କାର୍ଲ ମାର୍କସଙ୍କ ମୃତ୍ୟୁ ପରେ ତା’ର ବିଜ୍ଞାନ ସମ୍ମତ ବିଶ୍ଳେଷଣ ସମ୍ଭବ ହୋଇପାରିଥିଲା, ଯାହା ମାର୍କସଙ୍କ ସମୟରେ ହୋଇପାରିଥିଲେ ତାଙ୍କର ଦର୍ଶନ ଓ ବିଚାରକୁ ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ କରିପାରିଥାନ୍ତା ।
୧୭୬୦-୧୮୪୦ ମସିହା ମଧ୍ୟରେ ୟୁରୋପ ମହାଦେଶରେ ପ୍ରଥମ ଶିଳ୍ପ ବିପ୍ଳବ ତଥା ଉପନିବେଶବାଦ ଯୋଗୁଁ ଉତ୍ପାଦନ ବଢିଲା ଓ ସେହି ଉତ୍ପାଦନର ଉପଯୋଗ ପାଇଁ ଉପଭୋକ୍ତା ତଥା ବଜାର ସୃଷ୍ଟି ହେଲା , ଯେଉଁ ବଜାର ବ୍ୟବସ୍ଥାରୁ ମଧ୍ୟବିତ୍ତ ଉପଭୋକ୍ତା ସୃଷ୍ଟି ହେଲେ ଏବଂ ଏହି ଲୁଣ୍ଠନ ପ୍ରକ୍ରିୟାକୁ ‘ବିକାଶ’ର ନାମ ଦେଇ ସମାଜରେ ଗ୍ରହଣୀୟ କରାଇବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହି ତଥାକଥିତ ବିକାଶ ଆଜି ଜଳବାୟୁ ପରିବର୍ତ୍ତନ ପାଇଁ ସବୁଠାରୁ ବଡ କାରଣ ହୋଇଛି ଏବଂ ଦାସ ପ୍ରଥା ସମୟରୁ ଆଧୁନିକ ଶିଳ୍ପ ବିକାଶ ନାମରେ ଆମେ ପୁଣି ମାନସିକ ଓ ଅର୍ଥନୈତିକ ଦାସତ୍ୱ ଆଡ଼କୁ ମୁହାଁଉଛୁ। ଏହି ବିକାଶର ବିନାଶକାରୀ ପ୍ରଭାବ ଦ୍ବାରା ସବୁଠାରୁ ଗରିବ, ଖଟିଖିଆ, କୃଷକ, ଶ୍ରମଜୀବୀ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରଥମ ବିଶ୍ୱଯୁଦ୍ଧ ହେଉ କି ଦ୍ୱିତୀୟ ବିଶ୍ୱଯୁଧ୍ୟ ହେଉ, କେବଳ କ୍ଷମତା କିମ୍ବା ସାମ୍ରାଜ୍ୟ ଦଖଲ ପାଇଁ ନୁହେଁ, ତାହା ଅସଲରେ ସଂପୃକ୍ତ ଭୁଖଣ୍ଡର ପ୍ରାକୃତିକ ସମ୍ପଦର ଦଖଲ ଓ ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ଥିଲା।
ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ବିଛିନ୍ନ ଭାବରେ ନୁହେଁ ବରଂ ବିକାଶର ଅର୍ଥନୈତିକ ଧାରାରୁ ଆସିଛି, ଯାହା ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ବିକାଶର ଅଳିକ ସ୍ୱପ୍ନ ସୃଷ୍ଟି କରିଚାଲିଛି। ସାରା ବିଶ୍ବରେ ଅର୍ଥନୈତିକ ସଂସ୍କାର ଏବଂ ଭାରତରେ ନବେ ଦଶକରେ ଆରମ୍ଭ ହୋଇଥିବା ଅର୍ଥନୈତିକ ସଂସ୍କାର ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି।
ଯଦିଓ ଚଳିତ ନିର୍ବାଚନରେ ଜଳବାୟୁ ପରିବର୍ତ୍ତନ ଏକ ରାଜନୈତିକ ପ୍ରସଙ୍ଗ ହୋଇପାରିଲା ନାହିଁ, ଏବେ ମଧ୍ୟ ବାମପନ୍ଥୀ, ପରିବେଶବିତ୍ ଓ ଦେଶର ପ୍ରଗତିଶୀଳ ରାଜନୈତିକ ଶକ୍ତି ମାନେ ଏହାକୁ ପ୍ରସଙ୍ଗ ଭାବେ ଛିଡ଼ା କରାଇ ପାରିବେ। ହୁଏତ କଲମ୍ବସ୍ ଓ ଭାସ୍କୋଡାଗାମା ଙ୍କ ଆବିଷ୍କାରର ସମର୍ଥକ ମାନେ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କୁ ଗ୍ରହଣ କରି ନପାରନ୍ତି, କିନ୍ତୁ ଜଳବାୟୁ ପରିବର୍ତ୍ତନର କୁପରିଣାମ କିଏ ଭୋଗୁଛନ୍ତି ଓ ଭବିଷ୍ୟତରେ କିଏ ଭୋଗିବେ, ତାହାକୁ ନେଇ ଆମେ ଆମର ରାଜନୈତିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ।
ଏହି ଆଲୋଚନା ଅବସରରେ ପ୍ରଫେସର ବିଜୟ ବହିଦାର ତାଙ୍କର ମତାମତରେ ଜଳବାୟୁ ପରିବର୍ତ୍ତନ ପାଇଁ କିପରି ବର୍ତ୍ତମାନର ପୁଞ୍ଜିବାଦୀ ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ଦାୟୀ ତାହା ଉଲ୍ଲେଖ କରିଥିବା ବେଳେ ହେନାରାଣୀ, ବିଜୟ ବାରିକ୍ ଓ ଅନ୍ୟମାନେ ଜାଗରଣ ତଥା ସଂଗ୍ରାମୀ ସଙ୍ଗୀତ ପରିବେଷଣ କରିଥିଲେ।