ମଣିପୁର – ଭାରତୀୟ ଗଣତନ୍ତ୍ରର ଏକ କଳଙ୍କମୟ ଅଧ୍ୟାୟ” ଶୀର୍ଷକ ପ୍ରାମାଣିକ ଚଳଚ୍ଚିତ୍ର ଉଦଘାଟିତ
“ମଣିପୁର – ଭାରତୀୟ ଗଣତନ୍ତ୍ରର ଏକ କଳଙ୍କମୟ ଅଧ୍ୟାୟ” ଶୀର୍ଷକ ପ୍ରାମାଣିକ ଚଳଚ୍ଚିତ୍ର ଉଦଘାଟିତ
ଭୁବନେଶ୍ୱର, – ମଣିପୁରରେ ହୋଇଥିବା ରକ୍ତପାତ ଏବଂ ଦୀର୍ଘସ୍ଥାୟୀ ଅରାଜକତା ଉପରେ ଏକ ଅନୁସନ୍ଧାନଧର୍ମୀ ପ୍ରାମାଣିକ ଚଳଚ୍ଚିତ୍ର ଆଜି ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ଉଦଘାଟିତ ହୋଇଯାଇଛି।ଗତ ଏକ ବର୍ଷ ମଧ୍ୟରେ ପକ୍ଷାଘାତ ରୋଗରେ ପୀଡିତ ଭାରତୀୟ ଗଣତନ୍ତ୍ର ପାଇଁ ଏପରି ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି, ଯାହା ଦ୍ବାରା ମଣିପୁରର ୩୭ ଲକ୍ଷ ଲୋକଙ୍କୁ ଜାତିଗତ ବିଭେଦତା କାରଣରୁ ଅନେକ କଷ୍ଟ ଓ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ିଛି।
ମଣିପୁର ଉପରେ ନିର୍ମିତ ଏହି ‘ମଣିପୁର – ଭାରତୀୟ ଗଣତନ୍ତ୍ର ପାଇଁ ଏକ କଳଙ୍କ’ ବୃତ୍ତଚିତ୍ର ର ନିର୍ମାତା ସାମ୍ବାଦିକ ଆଣ୍ଟୋ ଆକ୍କାରା ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ମାର୍ଚ୍ଚ ୩, ୨୦୨୩ ପରଠାରୁ ମଣିପୁର ଘଟଣାର ମୁକ ସାକ୍ଷୀ ହୋଇଥିବା ଭାରତୀୟ ଗଣତନ୍ତ୍ର କେବେ ବି ଏପରି ଲଜ୍ଜାଜନକ ପରିସ୍ଥିତି ଦେଇ ଗତି କରିନାହିଁ। ଏହି ବୃତ୍ତଚିତ୍ର ର ଓଡିଆ ସଂସ୍କରଣ ମଇ ୧୯ ରେ ଭୁବନେଶ୍ୱରର ଲୋହିଆ ଏକାଡେମୀରେ ପ୍ରଦର୍ଶିତ ହୋଇଛି, ଯାହା ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ୍ ଫୋରମ୍ (INSAF) ଦ୍ୱାରା ଆୟୋଜିତ ହୋଇଥିଲା । ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ପ୍ରାରମ୍ଭିକ ସୂଚନା ପରେ ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ ଏହି ବୃତ୍ତଚିତ୍ରର ପ୍ରାସଙ୍ଗିକତା ସଂପର୍କରେ ନିଜର ମତାମତ ଦେଇ ଏହାର ପ୍ରିମିୟର ପ୍ରଦର୍ଶନକୁ ଉଦଘାଟନ କରିଥିଲେ।
“ପୋଲିସ୍ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଛି, ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଯାଉଥିବା ଆହତ ଶିଶୁକୁ ମା ସହିତ ନିଆଁ ଲଗାଇ ଦିଆଯାଇଛି, ହଜାର ହଜାର ସୈନିକ ନୀରବ ଦର୍ଶକ ସାଜିଛନ୍ତି, ଉପଯୁକ୍ତ ତଥା କଠୋର ନିର୍ଦ୍ଦେଶ ଅଭାବରୁ ଅନେକ ମନ୍ତ୍ରୀ ଏବଂ ବିଧାୟକଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆତଙ୍କ ସୃଷ୍ଟିକାରୀ ଗୋଷ୍ଠୀ ବିଧାୟକମାନଙ୍କୁ ମଧ୍ୟ ସୁରକ୍ଷା ବାହିନୀଙ୍କ ଉପସ୍ଥିତିରେ ମାଡ଼ ମାରିଥିଲେ। ଆପଣ କ’ଣ ଏହାକୁ ଗଣତନ୍ତ୍ର ବୋଲି କହୁଛନ୍ତି କି? ” ୨୪ ମିନିଟର ଡକ୍ୟୁମେଣ୍ଟାରୀ ଉପସ୍ଥାପନ କରୁଥିବା ଆକ୍କାରା ଏହି ପ୍ରଶ୍ନ କରିଛନ୍ତି।
ଏହି ଡକ୍ୟୁମେଣ୍ଟାରୀରେ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କୁ ଭିତର ମଣିପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପୁନଃ ନାମାଙ୍କନରୁ ବଞ୍ଚିତ କରାଯାଇଛି । ବୋଧହୁଏ ଯେତେବେଳେ ଜୁନ୍ ମାସରେ ତାଙ୍କ ଘରକୁ ୨୦ରୁ ଅଧିକ ସୁରକ୍ଷା ବାହିନୀ ଜଗି ରହିଥିଲେ, ସେତେବେଳେ ସେ ମଣିପୁରରେ ଏହି ଅବସ୍ଥା ଆଇନ୍ ଶୃଙ୍ଖଳା ପରିସ୍ଥିତିର ସମ୍ପୂର୍ଣ୍ଣ ବିଫଳତା ବୋଲି ବିବୃତ୍ତି ଦେଇଥିବାରୁ ତାଙ୍କ ବିରୋଧରେ ଏପରି ପଦକ୍ଷେପ ଗ୍ରହଣ କରାଗଲା।
‘ବାହାରେ ଦେଶଦ୍ରୋହ କିନ୍ତୁ ମଣିପୁରରେ କୈାଣସି କାର୍ଯ୍ୟାନୁଷ୍ଠାନ ନାହିଁ’ ଶୀର୍ଷକରେ ଏହି ଡକ୍ୟୁମେଣ୍ଟାରୀରେ ସ୍ଥାନୀୟ ବିଜେପି ବିଧାୟକଙ୍କ ସହ ଶହ ଶହ ମହିଳାଙ୍କ ବିରୋଧ ପରେ ସେନାବାହିନୀ ଦ୍ବାରା ଗିରଫ ୧୨ ଜଣ ହତ୍ୟାକାରୀ, ଯେଉଁମାନେ ଡୋଗ୍ରା ରେଜିମେଣ୍ଟର ୧୮ ଜଣ ସୈନିକଙ୍କୁ ହତ୍ୟା କରିଥିଲେ, ସେମାନଙ୍କୁ ମୁକ୍ତ କରିବାକୁ କିପରି ବାଧ୍ୟ ହୋଇଥିଲେ ଏହି ଡକ୍ୟୁମେଣ୍ଟାରୀରେ ତାହା ବର୍ଣ୍ଣନା କରାଯାଇଛି। – ଯେଉଁମାନେ ସରକାରୀ ନୀତିକୁ ବିରୋଧ କରନ୍ତି ଏବଂ ପ୍ରଶ୍ନ କରନ୍ତି, ସେମାନଙ୍କୁ ‘ସହରୀ ନକ୍ସଲ’ ଭାବରେ ଚିତ୍ରିତ କରାଯାଉଛି ଏବଂ ଚିକିତ୍ସା ବିଳମ୍ବ ହେତୁ ଜୁଲାଇ ୨୦୨୧ ରେ ଡାକ୍ତରଖାନାରେ ଫାଦର ଷ୍ଟାନ୍ ସ୍ୱାମୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନେ ଏବେ ମଧ୍ୟ କାରାଗାରରେ ଅଛନ୍ତି।
‘ମଣିପୁର ଭାରତର ଏକ ଅଂଶ ନୁହେଁ କି?’ ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂଙ୍କ ଦ୍ବାରା ଉଠାଯାଇଥିବା ପ୍ରଶ୍ନକୁ ଉଲ୍ଲେଖ କରି ଆକ୍କାରା କହିଛନ୍ତି ଯେ ବିଦେଶରେ ଭାରତୀୟ ଗଣତନ୍ତ୍ରର ମହାନତା ବିଷୟରେ ଗର୍ବ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଘଟଣାରେ’ବଧିର ଓ ମୂକ’ ସାଜିଛନ୍ତି। ଅରାଜକତା ଯୋଗୁଁ ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ଏବଂ ଶାନ୍ତି ଓ ସଦଭାବନା ନଷ୍ଟ ହୋଇଥିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବର୍ଷ ମଧ୍ୟରେ ମଣିପୁରରେ ପାଦ ରଖିବାକୁ ମଧ୍ୟ ସମୟ ପାଇନାହାଁନ୍ତି।
ଅନ୍ୟପଟରେ ମୋଦୀ ପଶ୍ଚିମବଙ୍ଗର ସନ୍ଦେଶଖାଲି ରେ ଏକ ରୋଡ୍ ସୋ ଆୟୋଜନ କରି ହିନ୍ଦୁ ମହିଳାମାନଙ୍କ ଉପରେ ହୋଇଥିବା ବଳାତ୍କାରକୁ ନେଇ ନିଜର ଦୁଃଖ ପ୍ରକାଶ କରିଥିଲେ ଏବଂ ଆଶ୍ଚର୍ଯ୍ୟଜନକ ଭାବେ ଗତ
ମାର୍ଚ୍ଚ ପ୍ରାରମ୍ଭରେ ମଣିପୁରର ସୀମା ନିକଟରେ ଥିବା କାଜରିଙ୍ଗା ଜାତୀୟ ଉଦ୍ୟାନରେ ହାତୀ ସଫାରି ଯିବା ପାଇଁ ସମୟ ପାଇଥିଲେ।
ଏହି କ୍ଷୁଦ୍ର ପ୍ରାମାଣିକ ବୃତ୍ତଚିତ୍ରରେ କିପରି ବିଜେପି ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ହିନ୍ଦୁତ୍ୱବାଦୀ କାର୍ଯ୍ୟସୂଚୀ ଗୁଡ଼ିକୁ ଯତ୍ନପୂର୍ବକ କାର୍ଯ୍ୟକାରୀ କରାଯାଇଛି , ତାହା ସ୍ଥାନିତ ହୋଇଛି। ଏହା ସୂଚାଇ ଦେଇଛି ଯେ ମୈତେଇ ଏବଂ କୁକି ସଂପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ବିବାଦକୁ ଆଚ୍ଛାଦିତ କରି ଆକ୍ରମଣର ପ୍ରଥମ ୩୬ ଘଣ୍ଟା ମଧ୍ୟରେ ଇମ୍ଫାଲ ଉପତ୍ୟକା ରେ କେବଳ ଯେ କୁକି ସଂପ୍ରଦାୟର ଜୀବନ- ଜୀବିକା, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଧର୍ମାନୁଷ୍ଠାନକୁ ଧ୍ୱଂସ କରାଯାଇଛି , ତାହା ନୁହେଁ, ୨୪୭ ମୈତେଇ ଚର୍ଚ୍ଚ କୁ ମଧ୍ୟ ଜଳାଇ ଦିଆଯାଇଛି। ଏହି
ଆକ୍ରମଣରୁ ଏହା ସ୍ପଷ୍ଟ ଯେ ଏକ ସଚେତନ ସୈନ୍ୟବାହିନୀ ପରି ଖ୍ରୀଷ୍ଟିଆନ ଧର୍ମ ମତ ଗ୍ରହଣ କରୁଥିବା ମୈତେଇଙ୍କ ସଂଖ୍ୟା ବୃଦ୍ଧି ହେତୁ ସେମାନେ ସଂଘ ପରିବାରର ସାଂପ୍ରଦାୟିକ ଏଜେଣ୍ଡାର ଶିକାର ହୋଇ ସେମାନେ ମଧ୍ୟ ବଳି ପଡିଛନ୍ତି । ଏହା ଦେଶର ସମ୍ବିଧାନ ପ୍ରଦାନ କରିଥିବା ଧର୍ମ ଓ ବିଶ୍ୱାସର ଅଧିକାରର ସ୍ପଷ୍ଟ ଉଲଂଘନ ଏବଂ ଏକ ସରକାରୀ ପ୍ରାୟୋଜିତ ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ।