ବିଜେପିରେ ମିଶିଲେ ସମୀର ଦାଶ।
ବିଜେପିରେ ମିଶିଲେ ସମୀର ଦାଶ
ଭୁବନେଶ୍ୱର:ନିମାପଡ଼ା ବିଧାୟକ ସମୀର ଦାଶ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ଆଜି ସକାଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ ।
ଏଥର ବିଜେଡି ଟିକେଟରୁ ବଞ୍ଚିତ ହୋଇ ଖୁବ୍ ଅସନ୍ତୁଷ୍ଟ ଥିଲେ ସମୀର ଦାଶ । ଆଜି ସକାଳେ ସେ ବିଜେଡି ଛାଡ଼ିଥିଲେ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିବା ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଥିଲେ ।
ସମୀର କହିଥିଲେ, ବିଜେଡି ନେତା ମୋ ଉପରେ ଆସ୍ଥା ହରାଇଥିବାରୁ ଦଳ ଛାଡ଼ିଲି । ଗୋପ ସଂଗଠନ ଉପରେ ବି ନେତୃତ୍ୱ ଆସ୍ଥା ହରାଇଛନ୍ତି । ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ ।
ସୂଚନାଯୋଗ୍ୟ, ସମୀର ଦାଶ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୧୯ ସରକାରରେ ସେ ଗଣଶିକ୍ଷା ମନ୍ତ୍ରୀ ହୋଇଥିଲେ । ତେବେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସେ ବିବାଦରେ ଛନ୍ଦି ହୋଇଥିଲେ । ବିଜେପି ତାଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । ତାଙ୍କୁ କଳଙ୍କିତ ନେତାର ଆଖ୍ୟା ଦେଇ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି କରିଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବିଦା କରିଥିଲେ । ଏଥର ନିମାପଡ଼ାରୁ ତାଙ୍କୁ ଟିକେଟ୍ ବି ଦେଲେ ନାହିଁ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ହାଇକମାଣ୍ଡଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ବାରମ୍ବାର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ମାତ୍ର ଉଦ୍ୟମ ବିଫଳ ହୋଇଥିଲା ।