ଶ୍ରମିକ ଦିବସରେ ପ୍ରଗତିଶୀଳ ଶ୍ରମିକ ମଞ୍ଚ ପକ୍ଷରୁ ଆହ୍ୱାନ
ଶ୍ରମିକ ମାନଙ୍କ ଲହୁ ଓ ଲୁହରେ ସମସ୍ତ ସଂପଦର ସୃଷ୍ଟି: ଶ୍ରମିକ ସ୍ୱାର୍ଥ ବିରୋଧୀ ଶାସନର ଅବସାନ ପାଇଁ ବିଶ୍ୱ ଶ୍ରମିକ ଦିବସରେ ପ୍ରଗତିଶୀଳ ଶ୍ରମିକ ମଞ୍ଚ ପକ୍ଷରୁ ଆହ୍ୱାନ
ଝାରସୁଗୁଡ଼ା, : ଦୀର୍ଘ ୧୩୮ ବର୍ଷ ପୂର୍ବେ ୮ ଘଣ୍ଟା ଶ୍ରମ ଦିବସ,୮ ଘଣ୍ଟା ବିଶ୍ରାମ ଓ ୮ ଘଣ୍ଟା ମନୋରଞ୍ଜନ ଦାବି କରି ଶ୍ରମିକ ଶ୍ରେଣୀର ଐତିହାସିକ ଆନ୍ଦୋଳନ ଆରମ୍ଭ ହୋଇଥଲା । ୧୮୮୬ ମସିହା ମେ’ ୧ ରୁ ମେ’ ୪ ପର୍ଯ୍ୟନ୍ତ ଆମେରିକାର ଚିକାଗୋ ସହରର ହେ’ ମାର୍କେଟରେ ଚାଲିଥିବା ଏହି ଐତିହାସିକ ଆନ୍ଦୋଳନକୁ ଦମନ କରିବାପାଇଁ ଏହା ଉପରେ ପୁଞ୍ଜିପତି ମାଲିକ ଶ୍ରେଣୀର ଆକ୍ରମଣ ସମଗ୍ର ହେ’ ମାର୍କେଟ କୁ ରକ୍ତ ରଞ୍ଜିତ କରିଥିଲା । ସେହି ରକ୍ତକ୍ଷୟୀ ସଂଘର୍ଷ ବଳରେ ଶ୍ରମିକ ଶ୍ରେଣୀ ହାସଲ କରିଥିଲା ଆଠ ଘଣ୍ଟା ଶ୍ରମ ଦିବସର ଅଧିକାର। ଆଜି ଆମ ଦେଶରେ ରାଜତନ୍ତ୍ର, ସାମନ୍ତବାଦ ଏବଂ ଉପନିବେଶବାଦ କୁ ପରାସ୍ତ କରି ସ୍ୱାଧୀନତା ଓ ସାମ୍ବିଧାନିକ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସ୍ୱାଧୀନତାର ୭୭ ବର୍ଷ ପରେ ପୁନର୍ବାର ଶ୍ରମିକ ମାନଙ୍କୁ ପୁଞ୍ଜିପତି ଓ କର୍ପୋରେଟ ଶାସନରେ ଗୋଲାମୀର ନାଗଫାଶ ମଧ୍ୟରେ ଆବଦ୍ଧ କରିବାକୁ ସମସ୍ତ ଉଦ୍ୟମ ଚାଲିଛି ଏବଂ ନିର୍ବାଚିତ ସରକାର ମାନେ ସମସ୍ତ ପ୍ରକାର ଜନବିରୋଧୀ ଓ ଶ୍ରମିକ ବିରୋଧୀ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ବହୁ ସଂଗ୍ରାମ ବଳରେ ଶ୍ରମିକ ଶ୍ରେଣୀ ହାସଲ କରିଥିବା ଅଧିକାର ଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଛଡ଼ାଇ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଜନବିରୋଧୀ ନୀତି ଓ ଆଇନ ପ୍ରଣୟନ କରି ଚାଲିଛନ୍ତି। ସର୍ବନିମ୍ନ ମଜୁରି, କର୍ମ ସ୍ଥଳୀ ନିକଟରେ ବାସଗୃହ, ଶ୍ରମିକଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ଓ ନିରାପତ୍ତା, ଅବସରକାଳୀନ ସୁବିଧା ସୁଯୋଗ, ଟ୍ରେଡ ୟୁନିୟନ (ଶ୍ରମିକ ସଂଗଠନ) ଗଠନ କରିବା ଏବଂ ନ୍ୟାୟ ସଙ୍ଗତ ଦାବି ନେଇ ଆନ୍ଦୋଳନ କରିବାର ଅଧିକାର ଦିନକୁ ଦିନ ସଙ୍କୁଚିତ ହୋଇ ଚାଲିଛି । ତଥାକଥିତ କୋଭିଡ୍ ମହାମାରୀ ସମୟରେ ରାଜରାସ୍ତାରେ ଶ୍ରମିକ ମାନଙ୍କୁ ଯେପରି ପୋକ ମାଛି ପରି ମରିବାକୁ ଛାଡି ଦିଆଗଲା ଓ କେନ୍ଦ୍ର ତଥା ରାଜ୍ୟ ସରକାର ମାନେ ସେମାନଙ୍କର ଦୁର୍ଦ୍ଦଶା ଦେଖି ମଧ୍ୟ କିଛି ପ୍ରତିକାର କରିବା ତ ଦୂରର କଥା , ଓଲଟା ବିଭିନ୍ନ ଦମନ ମୂଳକ ପଦକ୍ଷେପ ଗ୍ରହଣ କରି ଗରିବ, ଖଟିଖିଆ, ଶ୍ରମଜୀବୀ ଜନସାଧାରଣଙ୍କ ଉପରେ ନିର୍ଯ୍ୟାତନା କଲେ, ତାହା ଆଗାମୀ ଦିନ ପାଇଁ ଇତିହାସରେ ଏକ କଳଙ୍କମୟ ଇତିହାସ ହୋଇ ରହିବ । କୋଭିଡ୍ ଆଳରେ ଶ୍ରମ ଆଇନ୍ ର ସଂଶୋଧନ କରି ଶ୍ରମିକ ଶ୍ରେଣୀର ଅଧିକାରକୁ ଲୁଣ୍ଠନ କରାଯାଇଥିବା ବେଳେ ଅଣ-ସଂଗଠିତ ଶ୍ରମିକ ମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ଅଧିକରୁ ଅଧିକ ତୀବ୍ରତର ହୋଇଛି । ତଥାକଥିତ ବିକାଶ ନାମରେ ବିନାଶ ନୀତି ଗ୍ରହଣ କରି ଦେଶୀ-ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ୍ ମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ସମସ୍ତ ଆଇନ୍ କାନୁନ୍ ଓ ବିଧି ବିଧାନ କୁ ଦଳି ଚକଟି ଦିଆଯାଇଛି। ଫଳରେ ଆଦିବାସୀ, ଦଳିତ, ବିଭିନ୍ନ ଗରିବ ବର୍ଗର ଖଟିଖିଆ ଓ ଶ୍ରମଜୀବୀ ମଣିଷର ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ତଥାକଥିତ ବିକାଶର ବୁଲଡୋଜର ଦ୍ଵାରା ସେମାନଙ୍କ ଭିଟାମାଟି ଉଜୁଡି ଯାଇଛି। ବିକାଶର ମନ୍ଦିର କୁହାଯାଉଥିବା ହୀରାକୁଦର ନଦୀବନ୍ଧ ହେଉ ବା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ହେଉ, ଝାରସୁଗୁଡାରେ ଶିଳ୍ପାୟନ ହେଉ ବା ରେଙ୍ଗାଲି ନଦୀ ବନ୍ଧ ଯୋଜନା ହେଉ – ଏହି ତଥାକଥିତ ବିକାଶର ମହାଯଜ୍ଞ ରେ ବଳି ପଡିଛନ୍ତି ସ୍ଥାନୀୟ ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ବିଭିନ୍ନ ଗରିବ ବର୍ଗର ଜନସାଧାରଣ। ସେମାନଙ୍କୁ ମାଲିକରୁ ମୂଲିଆ ସଜାଇ ଦିଆଯାଇଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଗଣ୍ଡେ ଖାଇବା ପାଇଁ ଓ ମୁଣ୍ଡ ଗୁଞ୍ଜିବାକୁ ସେମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ, ବସ୍ତ୍ର, ବାସଗୃହ ସହିତ ଆନୁଷଙ୍ଗିକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଆଜି ସେମାନଙ୍କ ପାଇଁ ସାତ ସପନ ହୋଇପଡିଛି। ଶିକ୍ଷା ଓ ସ୍ବାସ୍ଥ୍ୟସେବା ସହିତ ସମସ୍ତ କ୍ଷେତ୍ରରେ ଘରୋଇକରଣ ଫଳରେ ସେମାନଙ୍କ ଜୀବନ ଜୀବିକା ବିପଦାପନ୍ନ ଓ ଦୁର୍ବିସହ ହୋଇପଡିଛି । ନିଯୁକ୍ତି ନପାଇ ଦାରିଦ୍ର୍ୟ ରେ ଜୀବନ ବିତାଉଥିବା ଯୁବଗୋଷ୍ଠୀଙ୍କୁ ଜାତି ଓ ଧର୍ମ ନାମରେ ବିଭାଜିତ କରାଯାଉଛି । ସେମାନଙ୍କ ମୁଣ୍ଡରେ ଧର୍ମୀୟ ଉନ୍ମାଦନାର ବିଷ ଭର୍ତ୍ତି କରି ଦିଆଯାଉଛି। ସେମାନଙ୍କ ଅବସ୍ଥା ତଥା ଦୁର୍ଦ୍ଦଶା ପାଇଁ ସେମାନେ ସରକାର ମାନଙ୍କୁ ପ୍ରଶ୍ନ ନକରି ଅଳ୍ପ ସଂଖ୍ୟକ ସଂଖ୍ୟାଲଘୁ ଧର୍ମୀୟ ଗୋଷ୍ଠୀଙ୍କୁ ଦାୟୀ କରୁଛନ୍ତି। ମନ୍ଦିର -ମସଜିଦ୍ ବିବାଦ ହିଁ ସମସ୍ତ ସମସ୍ୟାର ମୂଳ କାରଣ ବୋଲି ଉଦଭ୍ରାନ୍ତ ଛାତ୍ର ଓ ଯୁବଗୋଷ୍ଠୀ ମଧ୍ୟରେ ଭର୍ତ୍ତି କରାଯାଉଛି ଏବଂ ଅପର ପକ୍ଷରେ ପୁଞ୍ଜିପତି, ଶିଳ୍ପପତି ଗୋଷ୍ଠୀ ଏହି ବିଭେଦ ଆଢ଼ୁଆଳରେ ସେମାନଙ୍କ ଶୋଷଣ ଓ ଲୁଣ୍ଠନକୁ ତୀବ୍ରତର କରି ଚାଲିଛନ୍ତି। ଶ୍ରମଜୀବୀ ମହିଳା ମାନେ ଉଭୟ ପୁରୁଷ ତାନ୍ତ୍ରିକ ସମାଜ ବ୍ୟବସ୍ଥା ଓ ପୁଞ୍ଜିବାଦୀ ଶୋଷଣ ମୂଳକ ବ୍ୟବସ୍ଥା ଦ୍ବାରା ଶୋଷିତ ହେଉଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଗତିଶୀଳ ଶ୍ରମିକ ମଞ୍ଚ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ଅବସରରେ ଶୋଭାଯାତ୍ରା ଓ ସଭାର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଶୋଷଣ ମୂଳକ ପୁଞ୍ଜିବାଦୀ ବ୍ୟବସ୍ଥାର ପତନ ଓ ଏକ ଶୋଷଣ ବିହୀନ ସମତା ମୂଳକ ସମାଜ ଗଠନ ପାଇଁ ଉଦ୍ୟମ କରିବା ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଶ୍ରମିକ ବିରୋଧୀ, ଜଳ-ଜମି-ଜଙ୍ଗଲ ଲୁଟେରା ତଥା ସାଂପ୍ରଦାୟିକ ରାଜନୈତିକ ଦଳ ଗୁଡ଼ିକୁ ପରାସ୍ତ କରିବା ସହିତ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମ୍ମିଳିତ ସଂଗ୍ରାମର ଆହ୍ୱାନ ଦିଆଯାଇଛି। ଏହି ଅବସରରେ ସହସ୍ରାଧିକ ଶ୍ରମଜୀବୀ ମହିଳା ଓ ପୁରୁଷମାନେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିକୁ ବେଖାତିର କରି ବିଶାଳ ଶୋଭାଯାତ୍ରାରେ ଝାରସୁଗୁଡ଼ା ସହର ପରିକ୍ରମା କରିବାସହ ଶିଳ୍ପାଞ୍ଚଳ ରେ ସାଧାରଣ ସଭାର ଆୟୋଜନ କରିଥିଲେ।
ପ୍ରଗତିଶୀଳ ଶ୍ରମିକ ମଞ୍ଚ ର ଆବାହକ ସାଥୀ ରକ୍ଷାକର ଅନୁପମ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଆମ୍ବେଦକରବାଦୀ ତଥା ଦଳିତ-ପଛୁଆ ବର୍ଗର ବରିଷ୍ଠ ନେତା ସେକ୍ ଅବଦୁଲ୍ ୱାଲି, ମାନବାଧିକାର କର୍ମୀ ତଥା ଜନ ଆନ୍ଦୋଳନର ସାଥୀ ନରେନ୍ଦ୍ର ମହାନ୍ତି, ସର୍ବୋଦୟ ମଣ୍ଡଳର ସଚିବ ସାଥୀ ରମାକାନ୍ତ ମଣ୍ଡଳ,
ସାମାଜିକ କାର୍ଯ୍ୟକର୍ତ୍ତା, ସ୍ନେହାଂଶୁ ଜେନା, ବୀମା କର୍ମଚାରି ନେତା ରତ୍ନାକର ପ୍ରଧାନ, ଭିଏତନାମରେ ଅବସ୍ଥାନ କରୁଥିବା ଯୋଗ ଶିକ୍ଷକ ଭାଗୀରଥୀ , ସାମାଜିକ କର୍ମୀ ରମେଶ ସ୍ୱାଇଁ ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା କ୍ଷେତ୍ରରେ ସୁକାନ୍ତୀ ମାଝୀ, ବିଶାଲ, ସେବାକର, ଅଜିତ କିସାନ, ଅରୁଣା, ଦେବେ ସାନକର, ସୁକାନ୍ତ ଧାରୁଆ, ରାମା, ସୁରେନ୍ଦ୍ର କାଲୋ, ବସନ୍ତ କୁଟ୍ରି, ମହିମା ମରେଇ, କୁବାପଡା, ସୁକାନ୍ତି ଖାଡିଆ, ହୃଦାନନ୍ଦ ଜୟପୁରିଆ, କେଶବା ସୁବନ୍ତୀ ଖାଡିଆ, ସଂଯୁକ୍ତା ଲାକ୍ରା, ଜିତେନ୍ ଚାନ୍ଦ୍, ଗିରିଜା ଓ ଅନ୍ୟାନ୍ୟ ବହୁ ସଂଗଠକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଝାରସୁଗୁଡ଼ା, ଲାଇକେରା ଓ ଲଖନପୁର ସଦର ବ୍ଲକ ଅଞ୍ଚଳ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରୁ ବହୁସଂଖ୍ୟାରେ ଶ୍ରମଜୀବୀ ମହିଳା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଶ୍ରମଜୀବୀ ମହିଳା ମାନଙ୍କ ଦ୍ବାରା ଗଣ ନୃତ୍ୟ ଓ ଗଣ ସଂଗୀତ ପ୍ରଦର୍ଶନ କରାଯାଇଥିଲା ଏବଂ ମଞ୍ଚର ବହୁ ସାଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନ ଅବସରରେ ସ୍ୱାଧୀନ ଶ୍ରମିକ ସଂଗଠନ ମାନଙ୍କର ଜାତୀୟ ମଞ୍ଚ ( NAILU) ପକ୍ଷରୁ ପ୍ରଗତିଶୀଳ ଶ୍ରମିକ ମଞ୍ଚ (PSM) ପ୍ରତି ସଂହତି ଜ୍ଞାପନ କରାଯାଇଥିଲା।