ବିଜେପି ନେଇପାରେ ସିଧାସଳଖ ଫାଇଦା…
ବିଜେଡିର କଂଗ୍ରେସ ନେତା ପ୍ରେମ ଘାତକ ହୋଇପାରେ..ବିଜେପି ନେଇପାରେ ସିଧାସଳଖ ଫାଇଦା…
ଭୁବନେଶ୍ୱର : ବିଜେଡି ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛି। ହେଲେ ନିଜ ଦଳର ପ୍ରାର୍ଥୀ ଅପେକ୍ଷା କଂଗ୍ରେସ ଦଳର ନେତାଙ୍କୁ ପ୍ରାଧାନ୍ୟ ଦେଉଛି। ଘଟଣାକ୍ରମରେ ବିଗତ ଦଶନ୍ଧିରେ ବିଜେଡି କଂଗ୍ରେସ ନେତାଙ୍କ କ୍ଷମତା ଭୂସ୍ୱର୍ଗ ହୋଇ ଗଲାଣି। ଉଦାହରଣ ଭାବେ ଚଳିତ ବର୍ଷ ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂ ଭୋଇ, ଅଂଶୁମାନ ମହାନ୍ତି, ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ବିଜେଡିରେ ସାମିଲ ହୋଇ ଗଲେଣି। ଏହା ପୂର୍ବରୁ କେ ରାଓ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ଏହି ଖବର ଲେଖା ହେଲା ବେଳକୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ପୁଅ ନବଜ୍ୟୋତି-ମନୋଜ ବିଜେଡି ଆସିବା ନେଇ ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ବିଜେଡିର ପ୍ରମୁଖ ପଦରେ ରହିଥିବା ମାନସ ମଙ୍ଗରାଜ, ସୁଲୋଚନା ଦାସ, ସଂଘମିତ୍ରା ଦଳେଇ, ସସ୍ମିତ ପାତ୍ର, ନୃସିଂହ ସାହୁ , ରୀତା ସାହୁ ପ୍ରମୁଖ କଂଗ୍ରେସରୁ ଆସିଛନ୍ତି। ବିଶେଷ କରି ବିଜେପିର ଉତ୍ଥାନ ପରେ କଂଗ୍ରେସ ନେତାଙ୍କୁ ଦଳରେ ମିଶାଇବା ପରମ୍ପରା ବୃଦ୍ଧି ପାଇବାରେ ଲାଗିଛି। ଏହା ଦ୍ୱାରା ଭୋଟ୍ ରାଜନୀତିରେ ବିଜେଡି ବହୁତ ସଫଳତା ପାଉଛି। ହେଲେ ରାଜନୈତିକ ଭାବେ ଯେଉଁ ଚାପ ପ୍ରତିହତ ହେବା କଥା, ତାହା ହୋଇପାରୁନାହିଁ। ବରଂ ବିଜେପି-ବିଜେଡି ଦ୍ୱିଦଳୀୟ ବ୍ୟବସ୍ଥା ମଧ୍ୟରେ ଭୋଟ୍ ବିଭାଜନ ହୋଇଯାଉଛି। ନିର୍ବାଚନ ଜିତିବା ହିଁ ଏକମାତ୍ର କାରଣ ହୋଇଯାଇଛି। ରାଜନୈତିକ ସମୀକ୍ଷକ ଗୌରୀ ଶଙ୍କର କିନ୍ତୁ ବିଜେଡିର ଏହି ନୀତିକୁ ବିପଦଜ୍ଜନକ ବୋଲି ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିଜୁ ଜନତା ଦଳ ବିରୋଧୀ ଭୋଟ ଦୁଇ ଭାଗ ହୋଇଥାଏ। କିଛି ଭୋଟ ଥିବା କଂଗ୍ରେସ ନେତାଙ୍କୁ ବିଜେଡି ଆଣିବା ଦ୍ୱାରା ଏହାର ସିଧାସଳଖ ଫାଇଦା ବିଜେପି ପାଇବ। କାରଣ ବିଜେପି ମୁଖ୍ୟ ବିରୋଧୀ ଦଳ। ବିରୋଧୀ ମତ ସବୁବେଳେ ସବଳ ଲାଗୁଥିବା ପଟକୁ ଯାଉଥାଏ। ଉଦାହରଣ ଭାବେ ପୁରୀ ଜିଲ୍ଲା କଂଗ୍ରେସର ସ୍ଥିତି ଖରାପ ହୋଇ ଯାଇଥିବାରୁ ବିଜେପି-ବିଜେଡି ସିଧାସଳଖ ଲଢେଇ ହେଉଛି। ବର୍ତ୍ତମାନ ପରିସ୍ଥିତିରେ ପୁରୀ, ବ୍ରହ୍ମଗିରୀ, ପିପିଲି ଏବଂ ଚିଲିକାରେ ବିଜେପି କଡ୍ଡା ମୁକାବିଲା କରୁଛି। ପୂର୍ବ ଫଳାଫଳ କେତେକ ସ୍ଥାନରେ ରହିବା ସହ କେତେକଙ୍କର ସ୍ଥିତି ବଦଳିଯାଇପାରେ। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ହୋଇଛି। କଂଗ୍ରେସ ନ ଥିବାରୁ ଦ୍ୱିମୁଖି ପ୍ରତିଦ୍ୱନ୍ଦ୍ୱିତାରେ ଭାଜପା ଫାଇଦା ନେବାର ସମ୍ଭାବନା ଅଧିକ ରହୁଛି। ତେଣୁ ବିଜେପି ଯଦି ଏକ ରାଜନୈତିକ ବାତାବରଣ ପ୍ରସ୍ତୁତ କରିପାରେ, ତେବେ ବିଜେଡିର ଉଭୟ ଲୋକସଭା ଏବଂ ବିଧାନସଭା ଆସନ ଅହେତୁକ ହ୍ରାସ ହୋଇପାରେ ବୋଲି ଶ୍ରୀ ଗୋରୀ ଶଙ୍କର ମତ ରଖିଛନ୍ତି।