୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ
ରାଜ୍ୟରେ ପିପିପି ମୋଡରେ କାର୍ଯ୍ୟକ୍ଷମ ହେବ ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ
ଭୁବନେଶ୍ୱର: ରାଜ୍ୟରେ ୫-ଟି ଉପକ୍ରମର ଅନୁପାଳନ କରାଯାଇ ବର୍ତ୍ତମାନ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ବିଶେଷକରି ସଭିଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ବଦ୍ଧ ପରିକର ରାଜ୍ୟ ସରକାର ଏକ୍ଷେତ୍ରରେ ଆଜି ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ଖୁବଶୀଘ୍ର ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇବାକୁ ଯାଉଛି । ପିପିପି ମୋଡରେ ଏହି ହସ୍ପିଟାଲଗୁଡ଼ିକ ନିର୍ମାଣ ହେବାକୁ ଥିବାବେଳେ ସ୍ୱାସ୍ଥ୍ୟସେବାର ବିକାଶ କ୍ଷେତ୍ରରେ ଯେକୌଣସି ରାଜ୍ୟ ଦ୍ୱାରା ଏହା ପ୍ରଥମ ପଦକ୍ଷେପ ଅଟେ । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘରୋଇ ସହଭାଗୀଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି ।ଏମଓୟୁ ଅନୁଯାୟୀ ଅନୁଗୋଳ, ବଡବିଲ, ଭଦ୍ରକ ଓ ଝାରସୁଗୁଡାରେ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ ଏବଂ ଏକ କ୍ୟାନ୍ସର କେୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଉପରୋକ୍ତ ହସ୍ପିଟାଲଗୁଡ଼ିକ ନିର୍ମାଣ ପାଇଁ ମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହାଦ୍ୱାରା ପ୍ରାୟ ୩୫୦୦ ମେଡିକାଲ, ପାରା-ମେଡିକାଲ, ନର୍ସିଂ ଏବଂ ପ୍ରସାସନିକ ବୃତ୍ତିଧାରୀ ନିଯୁକ୍ତି ପାଇବେ । ରାଜ୍ୟର ମୋଟ ୬୦ ଲକ୍ଷ ଲୋକଙ୍କୁ ଏହି ୫ଟି ହସ୍ପିଟାଲ ସେବା ଯୋଗାଇଦେବା ନେଇ ଆକଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନୟନ ସର୍ବଦା ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି । ବିଶେଷକରି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକତାକୁ କୁଶଳ, ପାରଦର୍ଶୀ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ଅଟନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତିରେ ରାଜ୍ୟ ସରକାର କାର୍ଯ୍ୟ କରି ଆସୁଛନ୍ତି । ଅତଏବ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ପାଇଁ ଆମର ପ୍ରତିବଦ୍ଧତା ପୂରଣ ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଥିଲେ ।
ସେହିପରି ସ୍ୱାସ୍ଥ୍ୟକ୍ଷେତ୍ରରେ ରାଜ୍ୟର ରୂପାନ୍ତରଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ପ୍ରାୟ ୧ କୋଟି ପରିବାରର ମନୋବଳ ବୃଦ୍ଧି କରିଛି । କାରଣ ଏହି ଯୋଜନା ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ସହ ମାଗଣା ଚିକିତ୍ସା ଉପଲବ୍ଧ କରାଉଛି । ତେବେ ଏକ୍ଷେତ୍ରରେ ଘରୋଇ ସ୍ୱାସ୍ଥ୍ୟ ସେବା ପରିଚାଳକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହିଦୃଷ୍ଟିରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପାଣ୍ଡିଆନ୍, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ