Search for:
  • Home/
  • ରାଜ୍ୟ/
  • ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

Spread the love

Loading

ଋଣ କାରଣରୁ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା

ଓଡ଼ିଶାରେ ପୁଣି ଚିଟଫଣ୍ଡ ଭଳି ରାହାଜାନି ଚଳାଇଛନ୍ତି ଘରୋଇ ଫାଇନାନ୍ସ କମ୍ପାନୀ : ଡ.ଲେଖାଶ୍ରୀ

 ରାଜ୍ୟ ସରକାରଙ୍କ ଗାଇଡଲାଇନ ପ୍ରସ୍ତୁତ ନକରିବା ପର୍ଯ୍ୟନ୍ତ ଋଣ କେହି ନସୁଝନ୍ତୁ
 ଆରବିଆଇ ଗାଇଡ ଲାଇନ ଉଲଘଂନ କରାଯାଉଛି
 ରାଜ୍ୟ ସରକାର ଓ ଘରୋଇ ଋଣ ସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା କ’ଣ?
 ଚଳିତ ସପ୍ତାହରେ ୫ମୃତ, ଲକ୍ଷାଧିକ ଠକେଇ
 ମୃତକଙ୍କ ପରିବାକୁ ୨୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ତା.୦୫/୦୭: ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥା ନୂଆ ରୂପରେଖରେ ଲୋକଙ୍କ ପାଖକୁ ଫେରିଛି । ଲୋକେ ଝାଳବୁହା ଧନ ଓ ଜୀବନର ପୁଞ୍ଜିକୁ ଘରୋଇ କମ୍ପାନୀମାନଙ୍କଠାରେ ରଖିଥିଲେ । ସେହି ଟଙ୍କାକୁ ଚିଟଫଣ୍ଡ କମ୍ପାନୀମାନେ ଲୁଟ୍ କଲାବେଳେ ରାଜ୍ୟ ସରକାର ଓ ଶାସକ ଦଳର ବିଚିତ୍ର ଭୂମିକା ଥିଲା । ରାଜ୍ୟ ସରକାର ଚିଟଫଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସିଡର ହୋଇ ଲୋକଙ୍କୁ ଭୂଆଁ ବୁଲାଇଲେ । ପରବର୍ତୀ କାଳରେ ଚିଟଫଣ୍ଡ କମ୍ପାନୀ ନାଁରେ ଆନ୍ଦୋଳନ, କେସ ହେଲା ଓ କମିସନ ବସିଲା । ସରକାର ୩ଶହ କୋଟି ଟଙ୍କାର କରପୋସ ଫଣ୍ଡ କଲେ ଜମାକାରୀମାନଙ୍କୁ ତାଙ୍କ ଅର୍ଥ ଫେରାଇବା ପାଇଁ । ସବୁନାଟକ ପରେ ବି ଜମାକାରୀ ଟଙ୍କାଟିଏ ପାଇଲେ ନାହିଁ କି ରାଜ୍ୟ ସରକାର ଶିକ୍ଷାଲାଭ କଲେ ନାହିଁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଡ.ଲେଖାଶ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରେ ଡେଙ୍ଗୁ ଯେମିତି ବ୍ୟାପିଛି ବେସରକାରୀ ଅନିୟନ୍ତ୍ରିତ ଫାଇନାନ୍ସ କମ୍ପାନୀମାନେ ଠିକ୍ ସେମିତି ଓଡ଼ିଶାସାରା ମାତିଛନ୍ତି । ଆଜିବି ଓଡ଼ିଶାରେ ମହାଜନୀ କାରବାର ଚାଲିଛି ଯାହାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଘରୋଇ ଫାଇନାନ୍ସ କମ୍ପାନୀମାନେ ଗାଁରେ ମହିଳାଙ୍କୁ ଏକାଠ କରି ବୈଠକ କରିବା ସହ ଜବରଦସ୍ତ ଋଣ ଦେଉଛନ୍ତି । ଏହି ମହିଳାମାନେ ଋଣ ପରିଷୋଧ ନକରିପାରିବା ପରେ ସେମାନେ ତାଙ୍କୁ ମାନସିକ ନିର୍ଯ୍ୟାତନା, ଅପମାନ ଦେବା ସହ ଆତ୍ମହତ୍ୟାକରିବାକୁ ବାଧ୍ୟ କରୁଛନ୍ତି । ଏହି ଘରୋଇ ଫାଇନାନ୍ସ କମ୍ପାନୀଙ୍କ ପାଇଁ ଜୁଲାଇ ୧ରେ ବଲାଙ୍ଗିର ଜିଲ୍ଲାର ଓଡ଼ିଆପଲ୍ଲୀ ଗାଁରେ ଡ୍ରାଇଭର ତାରାକାନ୍ତ ସାହୁ ଋଣଭାର ସହିନପାରି ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଥିଲେ । ସେହିପରି ଜୁଲାଇ ୨ରେ ପୁରୀ ଜିଲ୍ଲା କଣାସ ବ୍ଳକ ଅଁଳାଯୋଡି ଗାଁର ବାନାମ୍ବର ବେହେରା ଓ ବନିତା ବେହେରା ଋଣ କରିଥିଲେ ଓ ଏସକେଏସ କମ୍ପାନୀର କର୍ମଚାରୀ ବର୍ଷାରାଣୀ ସାହୁ ତାଙ୍କୁ ଗାଳି ଗୁଲଜ କରି ଅପମାନିତ କରିବାରୁ ସେମାନେ ଆତ୍ମହତ୍ୟା କଲେ । ଜୁଲାଇ ୪ତାରିଖ ଦିନ ଭଦ୍ରକ ଜିଲ୍ଲାର ତିହିଡି ଥାନା କାମପଡା ପଂଚାୟତ ବରଣାକୂଳ ଗାଁର ଉପେନ୍ଦ୍ର ମଲ୍ଲିକ(୫୦) ଓ ପତ୍ନୀ ମିନତୀ ଦେବୀ(୪୫) ଋଣଭାର ସହି ନପାରି ଆତ୍ମହତ୍ୟା କରିଛନ୍ତି । ଜୁଲାଇ ୪ରେ ଦଶପଲ୍ଲା ବ୍ଲକ ଚଢ଼େଇଆପଲ୍ଲୀ ଗ୍ରାମ ପଂଚାୟତରେ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଚାନ୍ଦବାଲିଠାରେ ବନ୍ଧନ ବ୍ୟାଙ୍କ ଏସ୍‌ଏଚଜି ମାଧ୍ୟମରେ ମହିଳାଙ୍କୁ ଋଣ ଦେଇଥିଲା । ଋଣ ସୁଝି ନପାରିବାରୁ ତାଙ୍କ ସ୍ୱାମୀଙ୍କୁ ବନ୍ଧା ଯାଇଥିଲା ।
ଘରୋଇ ଫାଇନାନ୍ସ କମ୍ପାନୀମାନଙ୍କ ପାଇଁ ଓଡ଼ିଶାରେ ଚଳିତ ସପ୍ତାହରେ ୫ଜଣଙ୍କ ମୃତ୍ୟୁ ହେବା ସହ ଲକ୍ଷାଧିକ ଠକେଇ ହେଉଛି । ମୃତକଙ୍କ ପରିବାକୁ ୨୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରନ୍ତୁ ରାଜ୍ୟ ସରକାର । ୨୩ବର୍ଷ ବିଜେଡି ଶାସନ କରିବା ପରେ ଓଡ଼ିଶା ଲୋକଙ୍କୁ ରାଜ୍ୟ ସରକାର ବୁଡାଇ ଦେଇଛନ୍ତି । ଗତ ସୋମବାର ଭାରତୀୟ ଜନତା ପାର୍ଟିର ତଦନ୍ତକାରୀ ଟିମ୍ କଣାସ ବ୍ଲକ ଅଁଳାଯୋଡି ଗାଁକୁ ଯାଇ ବନିତା ବେହେରା ଓ ବାନାମ୍ବର ବେହେରାଙ୍କ ପରିବାରକୁ ଭେଟିବା ସହ ଗାଁଲୋକଙ୍କ ସହ କଥା ହୋଇଥିଲେ । ଫାଇନାନ୍ସ କମ୍ପାନୀମାନେ ଗାଁରେ ଏସଏଚଜି ମହିଳାଙ୍କୁ ଏକାଠି କରି ସରକାରୀ କାର୍ଯ୍ୟକ୍ରମର ରୂପ ଦେଇ ଋଣ ଦେଇଥିଲେ । ଋଣ ଆଦାୟ ପାଇଁ ଘରୋଇ ସଂସ୍ଥାର ପ୍ରତିନିଧି ବର୍ଷାରାଣୀ ସାହୁ ବନିତା ବେହେରା ଓ ବାନାମ୍ବର ବେହେରାଙ୍କ ଘରେ ଦିନ୧୨ରୁ ରାତି୩ ପର୍ଯ୍ୟନ୍ତ ବସିଲେ । ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ଋଣକାରୀଙ୍କ ଉପରେ କୌଣସି କମ୍ପାନୀ ଚାପ ପକାଇ ପାରିବେ ନାହିଁ କିନ୍ତୁ ବର୍ଷାରାଣୀ ସେ ନିୟମ ଉଲଘଂନ କରିବା ସହ ରାତି ୧.୩୦ରେ ମଧ୍ୟ ଇନଷ୍ଟଲମେଂଟ ପେମେଂଟ ନେଇଛନ୍ତି ଓ ବନିତାଙ୍କୁ ବିଭିନ୍ନ ଧମକ ଦେବା ସହିତ ‘ଭିକ ମାଗି ଋଣ ଟଙ୍କା ସୁଝ ନଚେତ ମଲେ ସୁଝିବାକୁ ପଡିବନି” ବୋଲି କହିଥିଲେ । ଅର୍ଥଲଗାଣକାରୀ ସଂସ୍ଥାର ପ୍ରତିନିଧି ବର୍ଷାର ବାରମ୍ବାର ଏଭଳି କଟୁ ମନ୍ତବ୍ୟ ସହି ନପାରି ଶେଷରେ ବନିତା ବେହେରା ଭୋର ୫ଟାରେ ଆତ୍ମହତ୍ୟା କରିଥିବା ଡ.ଲେଖାଶ୍ରୀ କହିଛନ୍ତି ।
ଘରୋଇ ଫାଇନାନ୍ସ ସଂସ୍ଥାମାନେ ମହିଳା ଏସଏଚଜିଙ୍କୁ ଋଣ ଦେବାରେ କାହାର ଭୂମିକା ରହିଛି । ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଘରୋଇ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଏସଏଚଜି ମହିଳାଙ୍କ ବୈଠକ କରି ଟଙ୍କା ଋଣ ନେବାକୁ ବାଧ୍ୟ କରୁଛନ୍ତି । ଟଙ୍କା ନସୁଝି ପାରିବା ପରେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି । ଏଭଳି ମାରାତ୍ମକ ଫାଇନାନ୍ସ କମ୍ପାନୀମାନଙ୍କୁ ଓଡ଼ିଶାରେ ପ୍ରଶ୍ରୟ କିଏ ଦେଲା? ଓଡ଼ିଶାରେ କେତେ ଘରୋଇ ଫାଇନାନ୍ସ କମ୍ପାନୀ ଅଛି ତାହାର ହିସାବ ଅଛି କି? ଘରୋଇ ଫାଇନାନ୍ସ କମ୍ପାନୀକୁ କିଏ ନିୟନ୍ତ୍ରଣ କରୁଛି । ଘରୋଇ ଫାଇନାନ୍ସ କମ୍ପାନୀ ୩୦ପ୍ରତିଶତରୁ ଅଧିକ ସୁଧ ନେଉଛନ୍ତି ତାହା ରାଜ୍ୟ ସରକାରଙ୍କ ଗାଇଡରେ ଅଛି ତ? ରାଜ୍ୟ ସରକାର ଲାଇସେନ୍ସ ଦେବାର ମେକାନିଜିମ୍ ଅଛି କି? ଏମାନେ କାହାକୁ ଋଣ ଦେବେ ସେମାନେ ଋଣ ସୁଝି ପାରିବେ କି ନାହିଁ । ଏସଏଚଜି, ଘରୋଇ ଫାଇନାନ୍ସ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଭିତରେ କଣ ମଧୁ ଚନ୍ଦ୍ରିକା ଅଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ବିଜେପି ଆସିବା ପରେ ବିଜେଡିର ନେତା ଓ ପୋଲିସ ଅଧିକାରୀ ମୃତ ବନିତାଙ୍କ ଘରେ ପଂହଚିଥିଲେ ଓ ପରିବାର ଲୋକଙ୍କୁ କହିଲେ ଯେ, ଘରୋଇ କମ୍ପାନୀ ନାଁରେ ଏଫଆଇଆର ଦିଅ ନାହିଁ । ଏମାନେ କାହିଁ କମ୍ପାନୀର ମୁଖପାତ୍ର ହୋଇଛନ୍ତି ତାହା ରାଜ୍ୟ ସରକାର ଉତର ଦିଅନ୍ତୁ । ନିର୍ବାଚନ ସମୟରେ ଏହି କମ୍ପାନୀମାନେ ମୋଟା ରକମର ରାଜ୍ୟ ସରକାରଙ୍କୁ ଚାନ୍ଦା ଦେଉଛନ୍ତି ଫଳରେ ଶାସକ ଦଳ ଏମାନଙ୍କୁ ସୁରକ୍ଷା ଦେଉଛନ୍ତି । ପ୍ରାଇଭେଟ କମ୍ପାନୀ ସହ ରାଜ୍ୟ ସରକାର ପାଟନର ସାଜି ଗରୀବ ଲୋକଙ୍କୁ ଲୁଟୁଛନ୍ତି ଫଳରେ ସେମାନେ ପୋକ, ମାଛିପରି ମରୁଛନ୍ତି । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଏଟା ମହିଳା ସଶକ୍ତିକରଣ ନାଁ ମହିଳା ଶୋଷଣ । ଗାଇଡ ଲାଇନ ପ୍ରସ୍ତୁତ କରନ୍ତୁ ରାଜ୍ୟ ସରକାର । ବିଜେପି ଆହ୍ୱାନ ଦେଉଛି ଋଣକାରୀମାନେ ମାଇକ୍ରୋ ଫାଇନାନ୍ସର ଇନଷ୍ଟଲ ଭରିବେ ନାହିଁ । ଗରୀବ ଲୋକଙ୍କୁ ଶୋଷଣ କରିବାରେ ନୂଆ ମାଧ୍ୟମ ପାଇଛନ୍ତି ରାଜ୍ୟ ସରକାର । ଓଡ଼ିଶାର ବାସ୍ତବିକ ବିକାଶର ସ୍ଥିତିକୁ ବିଜେଡିର ନେତା,ମନ୍ତ୍ରୀମାନେ ଦେଖନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ ପ୍ରକାଶ ମିଶ୍ର, ଲିଗାଲ୍ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required