କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ
କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ
ଭୁବନେଶ୍ୱର ତା. ୧୬.୯- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ, ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ୫ମ ପୂଣ୍ୟତିଥି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ସେବାଦଳର ଅଖିଳ ଭାରତୀୟ ସଂଗଠକ, ଗାନ୍ଧୀବାଦୀ ବଳରାମ ସିଂହ ଭାଦୁରିଆ ଓ ବିପ୍ଳବୀ ଛାତ୍ର ନେତା ଅମୀୟ କୁମାର ମହାନ୍ତିଙ୍କୁ ଗାନ୍ଧୀ ଗୌରବ ସମ୍ମାନ-୨୦୨୩ରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ପ୍ରଦୀପ ପ୍ରଜ୍ୱଳନ ପୂର୍ବକ, କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା କହିଲେ ଯେ ସ୍ୱର୍ଗତ ଦୋଳ ଗୋବିନ୍ଦ ପ୍ରଧାନ, ଅଷ୍ଟମ ଶ୍ରେଣୀରେ ପାଠ ପଢ଼ିବା ସମୟରେ ବାନର ସେନାରେ ଯୋଗଦେଇ ବ୍ରିଟିସ ସରକାରଙ୍କ ଦ୍ୱାରା ଦଣ୍ଡିତ ହୋଇ ୪ବର୍ଷ ବ୍ରହ୍ମପୁର ଜେଲରେ ଥିଲେ । ଜେଲ ଜୀବନରେ ଯାହା ଶିକ୍ଷା ଲାଭ କରିଥିଲେ, ଭାରତ ସ୍ୱାଧୀନ ହେବାପରେ ସେ ତାକୁ ତାଙ୍କ ନିଜ ଜନ୍ମମାଟିରେ ପ୍ରୟୋଗ କରିଥିଲେ ଓ ସଫଳ ରାଜନେତା ଭାବେ ସରପଂଚରୁ ମନ୍ତ୍ରୀ ହୋଇପାରିଥିଲେ ।
କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ସ୍ମୃତିଚାରଣ କରି କହିଲେ ଯେ, କଂଗ୍ରେସ ସେବାଦଳ ସଂଗଠନ କଂଗ୍ରେସ ଦଳର ଆତ୍ମା, ଏଣୁ ପ୍ରତ୍ୟେକ ସେବାଦଳ ସୈନିକ, ଆଗାମୀ ନିର୍ବାଚନରେ ସେନାପତି ଭାବେ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ । କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେଯେ, ଦୋଳଗୋବିନ୍ଦ ପ୍ରଧାନ ଜଣେ ଆଦର୍ଶ ପୁରୁଷ ଓ କର୍ମଯୋଗୀ ଥିଲେ । ବିଧାୟକ ସୁରେଶ କୁମାର ରାଉତରାୟ ସ୍ୱର୍ଗତ ଦୋଳ ଗୋବିନ୍ଦ ପ୍ରଧାନଙ୍କୁ ସାଧାରଣ ଜନତାର ନେତା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପୂର୍ବତନ ପୋଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ, ପ୍ରଫେସର ବୁଦ୍ଧ ଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ତାଙ୍କ ଲିଖିତ ଗାନ୍ଧୀ କଥା ବହି ତାଙ୍କୁ ଚିର ଅମର କରି ରଖିବ । ଦେବରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉପଲକ୍ଷେ ପାତ୍ରପଡ଼ା ସ୍ଥିିତ ସ୍ମୃତିବନ ଠାରେ ବୃକ୍ଷ ପୂଜା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ, ପୃଥୀରାଜ ପ୍ରଧାନ, ବରୁନରାଜ, ପ୍ରଜ୍ଞାରାଜ ପ୍ରଧାନ ଓ ମହମ୍ମଦ ସାହାଦୁଲ୍ଲା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ନେତା ତରୁଣକାନ୍ତ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ରଜନୀ କୁମାର ମହାନ୍ତି, ଜ୍ୟୋତିଷ କୁମାର ସାହୁ, ଦୁଃଖିଶ୍ୟାମ ଦାସ, ଉଷାରାଣୀ ବେହେରା, କୁଳମଣି ସାହୁ, ମନୋଜ କୁମାର ସାହୁ, ଦିଲ୍ଲୀପ କୁମାର ପଣ୍ଡା ପ୍ରମୁଖ ୧୦୦ ଜଣ ସେବାଦଳର ବରିଷ୍ଠ କର୍ମକର୍ତାଙ୍କୁ ମୁଖ୍ୟ ଅତିଥି ଶ୍ରୀ ଲେଙ୍କା ସମ୍ବର୍ଦ୍ଧିତ କରିଥିଲେ ।