ଲକ୍ଷ୍ମୀପୁର(ଖେରା) ଶହୀଦ୍ କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜଧାନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଲକ୍ଷ୍ମୀପୁର(ଖେରା) ଶହୀଦ୍ କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜଧାନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର, ତା ୧୨/୧୦:ଦେଶର ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଓ ତାଙ୍କର ଗୁଣ୍ଡା ବାହିନୀ ଦ୍ଵାରା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର (ଖେରା)ରେ ଗାଡ଼ି ଚଢାଇ ଓ ଗୁଳି କରି ହତ୍ଯା କରାଯାଇଥିବା ୪ଜଣ ଶହୀଦ୍ କୃଷକ ଓ ଜଣେ ସାମ୍ବାଦିକଙ୍କ ପ୍ରତି ସମ୍ମାନ ଜଣାଇ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଡାକରାରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଦିବସ ଅବସରରେ ଆଜି ରାଜଧାନୀ ଭୁବନେଶ୍ବରରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ସଂଯୁକ୍ତ କିଷାନ୍ ମୋର୍ଚ୍ଚା, ଓଡିଶା ନେତୃତ୍ୱରେ ବିଭିନ୍ନ କୃଷକ ସଂଗଠନ, ଗଣତାନ୍ତ୍ରିକ ଓ ଜନ ସଂଗଠନର ଶତାଧିକ ସଦସ୍ୟମାନେ ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ଶହୀଦ୍ କୃଷକ ତଥା ସାମ୍ବାଦିକଙ୍କୁ ମହମବତୀ ପ୍ରଜ୍ଜ୍ୱଳନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ପ୍ରତିବାଦକାରୀ ମାନେ ତିନି କଳା କୃଷି ଆଇନ୍ ରଦ୍ଦ କର, କୃଷକ ହତ୍ୟାକାରୀ ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର କୁ ବରଖାସ୍ତ କର,ମୃତକ ପରିବାର ମାନଙ୍କୁ ପର୍ଯ୍ୟାପ୍ତ କ୍ଷତି ପୂରଣ ପ୍ରଦାନ କର ଇତ୍ୟାଦି ଦାବୀ ରେ ଏହି ଶୋଭାଯାତ୍ରା ସଂଗଠିତ ହୋଇ ଥିଲା l ମାଷ୍ଟର କ୍ୟାଣ୍ଟିନ ଛକ ରୁ ଏକ ଶୋଭାଯାତ୍ରା ଅଶୋକ ନଗର ଦେଇ ପୁନର୍ବାର ଶ୍ରଦ୍ଧାଞ୍ଜଳି ସ୍ଥଳକୁ ଫେରିଥିଲେ । ସେଠାରେ ଆଗାମୀ ୧୫ ଅକ୍ଟୋବର ରେ ” ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହା “ଙ୍କ କୁଶପୁତ୍ତଳିକା ପୋଡିବା, ୧୮ ଅକ୍ଟୋବର ରେ ରେଳରୋକୋ ଆଦି ଆଗାମୀ କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା ।କୃଷି ଓ କୃଷକ ବିରୋଧୀ ତିନି କଳା ଆଇନ୍ ପ୍ରତ୍ୟାହାର କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦିଆଯାଇଥିଲା l
ଏହି ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରାରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଶଙ୍କର ସାହୁ, ଶ୍ରୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରାଉତ, ନରେନ୍ଦ୍ର ମହାନ୍ତି, ଜଗନ୍ନାଥ ମିଶ୍ର,ପ୍ରଫୁଲ୍ଲ ସାମନ୍ତରା, ନିରଞ୍ଜନ ମହାନ୍ତି, ବଂଶୀଧର ପରିଡ଼ା, ନାରାୟଣ ରେଡ୍ଡୀ, ପ୍ରମୋଦିନୀ ସାହୁ, ଅଭିରାମ ବେହେରା,ସରିତା ବଡ଼ପଣ୍ଡା, ସୁଜାତା ସାହାଣୀ, ମିନତୀ ପାଣିଗ୍ରାହୀ, ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ସନାତନ ପାତ୍ର, ସସ୍ମିତା ଜେନା, ଚିତ୍ତ ରଞ୍ଜନ ବାରିକ୍, ସତୀଶ୍ ମିଶ୍ର, ସଚ୍ଚିକାନ୍ତ ପ୍ରଧାନ, ସୁଦର୍ଶନ ପ୍ରଧାନ, ଜଗଦୀଶ ଜେନା, ରାମଚନ୍ଦ୍ର ତ୍ରିପାଠୀ, ବସନ୍ତ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *