୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ୨୦୨୪ ଉଦ୍ଘାଟିତ ।
କଣ୍ଠ ସଙ୍ଗୀତ, ଓଡ଼ିଶୀ ଏବଂ ସମରକଳା (ରାଇବାଂଶେ) ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ
୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ୨୦୨୪ ଉଦ୍ଘାଟିତ ।
ଭୁବନେଶ୍ୱର (ଧଉଳୀ) : ୦୯.୦୨.୨୦୨୪ – ଐତିହାସିକ ଧଉଳୀର ପାଦଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟ ଭିଜନ୍ ଦ୍ୱାରା ଆୟୋଜିତ ୨୦ତମ ଧଉଳୀ କଳିଙ୍ଗ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଧଉଳି ଶାନ୍ତିସ୍ତୁପର ପାଦଦେଶରେ ଉଦ୍ଘାଟିତ ହୋଇଯାଇଅଛି । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ ସେହି ସ୍ଥାନରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଝଙ୍କୃତ ହେବ ନୃତ୍ୟ ଓ ସଙ୍ଗୀତର ଅପୂର୍ବ ଛନ୍ଦ ଓ ମୁର୍ଚ୍ଛନା । ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, କଳା, ସଂସ୍କୃତି, ଐତିହ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର କରିବା ଏହି ଉତ୍ସବର ମୂଳ ଉଦେ୍ଦଶ୍ୟ । ଭାରତୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରାରେ ସମ୍ପୃକ୍ତ ଥିବା ୨୦୦ରୁ ଅଧିକ କଳାକାରମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ଏହାର ବିବିଧତା ମଧ୍ୟରେ ଏକତାକୁ ପାଳନ କରିବେ । ଏହି ଧଉଳୀ କଳିଙ୍ଗ ମହୋତ୍ସବର ସିଧାପ୍ରସାରଣ ଡ଼ିଡ଼ି-ଭାରତୀ ଏବଂ ପୁନଃ ପ୍ରସାରଣ ଡ଼ିଡ଼ି-ଓଡ଼ିଆ ଚେନାଲରେ କରାଯାଉଅଛି ।
ଉଦ୍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଭୁବନେଶ୍ୱରର ରୂପକ କୁମାର ପରିଡ଼ାଙ୍କ ଦ୍ୱାରା କଣ୍ଠ ସଙ୍ଗୀତ ପରିବେଷଣ । ସେ ତାଙ୍କର ସୁମଧୁର କଣ୍ଠରେ କିଛି ସୁନ୍ଦର ଓ ମନଲୋଭା ସଙ୍ଗୀତ ଯଥା ଚପ୍ ତିଲକ୍ ସବ୍ ଚିନି, ମୋହେ ଆପନେ ହି ରଙ୍ଗ ମେ, ମୌଲା ତେରା ନୂର, ଦମ୍ ଦମା ଦମ୍ ମସ୍ତ କଲନନ୍ଦର, ରସକେ କମର ଇତ୍ୟାଦି ଗାୟନ କରିଥିଲେ । ତାଙ୍କୁ ଡ଼୍ରମ୍ରେ ବିକଶୀତ ସାହୁ, ତବଲାରେ ନିକୁଞ୍ଜ ବିହାରୀ ସାମଲ, ଢୋଲକରେ ଦ୍ୱିତୀକ୍ରୀଷା ପଣ୍ଡା, ବେହେଲାରେ ସୁରେଶ ପାତ୍ର, କିବୋର୍ଡ଼ରେ ଚନ୍ଦ୍ରକାନ୍ତ ତ୍ରିପାଠୀ ଓ ବଂଶୀରେ ସୌମ୍ୟରଞ୍ଜନ ଯୋଶୀ ସହଯୋଗ କରିଥିଲେ । ଏକ ଶାନ୍ତ ମଧୁର ସ୍ୱର, ଏକ ରଚନାର ଜଟିଳ ଅଂଶକୁ ନିଜ ଗାୟନରେ ଅନ୍ତର୍ନିହିତ କ୍ଷମତା ରୂପକଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି ।
ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ବର୍ତ୍ତମାନ ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତିଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ । ସେମାନେ ପରିବେଷଣ କରିଥିଲେ ହଜାର ହଜାର ବର୍ଷର ଓଡ଼ିଶା ପ୍ରଗତୀର ଗୌରବମୟ ଗାଥାର ସାଂସ୍କୃତିକ ଉପସ୍ଥାପନା ଜାତି ନନ୍ଦୀ ଘୋଷ । ଏହି ନୃତ୍ୟ ମାଧ୍ୟମରେ ସେମାନେ ଓଡ଼ିଶାର ୩୦୦୦ ବର୍ଷର ଇତିହାସ, ଐତିହ୍ୟ, ପରମ୍ପରା, କଳା, ହସ୍ତଶିଳ୍ପ, ଭାଷା, ସାହିତ୍ୟ ଓ ଜୀବନଶୈଳୀକୁ ଉପସ୍ଥାପନ କରିଥିଲେ । ନୃତ୍ୟଟିର ସଂଳାପ ପ୍ରସ୍ତୁତ କରିଥିଲେ କେଦାର ମିଶ୍ର, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ଅଗ୍ନିମିତ୍ର ବେହେରା, ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଅଜୟ କୁମାର ଚୌଧୁରୀ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଡକ୍ଟର ଅରୁଣା ମହାନ୍ତି । ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଉକ୍ତ ପରିବେଷଣଟି ଉପସ୍ଥିତ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା ।
ସନ୍ଧ୍ୟାର ଶେଷ ପରିବେଷଣ ଥିଲା ଗୁରୁ ଡ଼କ୍ଟର ତରୁଣ ପ୍ରଧାନଙ୍କ ନେତୃତ୍ୱରେ ମେଦିନାପୁରର ସାରାଭୁଜା ଡ୍ୟାନ୍ସ ଥିଏଟର ଦ୍ୱାରା ରାଇବାଂଶେ ନୃତ୍ୟ । ରାଇବାଂଶେ ଏକ ପାରମ୍ପାରିକ ସାମରିକ ନୃତ୍ୟ ଯାହା ପ୍ରାଚୀନ ସୈନ୍ୟମାନଙ୍କ ଦ୍ୱାରା ଶାରୀରିକ ଏବଂ ମାନସିକ ପ୍ରଶିକ୍ଷଣ ପାଇଁ ପ୍ରଚଳିତ ପ୍ରାଚୀନ ସାମରିକ କଳାରୁ ବିକଶିତ ହୋଇଥିଲା । ଏହି ନୃତ୍ୟ ସହିତ ମଣିଷମାନଙ୍କର କଟାକ୍ଷ ଚିକ୍ରାର, ବାର୍ଚ୍ଛା ଫିଙ୍ଗିବା, ଛୁରୀ କିମ୍ବା ଖଣ୍ଡା ଦ୍ୱାରା ଆକ୍ରମଣ କରିବା ଇତ୍ୟାଦି ଅଙ୍ଗଭଙ୍ଗୀଗୁଡ଼ିକୁ ପ୍ରଦର୍ଶନ କରାଯାଉଥିଲା ।
ଉଦ୍ଘାଟନୀ ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଆ ଭାଷାବିତ୍ ତଥା ସାହିତ୍ୟକ ଦେବୀପ୍ରସନ୍ନ ପଟ୍ଟନାୟକ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍; ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଆନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ; ଭୁବନେଶ୍ୱରର ମାନ୍ୟବର ମେୟର ଶୁଲୋଚନା ଦାସ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାୟ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ (ଡକ୍ଟର) ଅରୁଣା ମହାନ୍ତି । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍ର ସଚିବ ଇଲିୟାନା ସିତାରିଷ୍ଟ ଏବଂ ସଂଚାଳନା କରିଥିଲେ ଡକ୍ଟର ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲାମ ।