ଶହୀଦ ବାଜି ରାଉତଙ୍କ ଉପରେ ନାଟକ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ କରିବ
ଭୁବନେଶ୍ୱରରେ ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ ଦେଖିଲେ କେନ୍ଦ୍ରମନ୍ତ୍ରୀ
ଶହୀଦ ବାଜି ରାଉତଙ୍କ ଉପରେ ନାଟକ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ କରିବ – ଧର୍ମେନ୍ଦ୍ର ପ୍ରଧାନ
• ଶହୀଦ ବାଜି ରାଉତଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ
• ଏହି ନାଟକକୁ ସବୁ ସ୍କୁଲ ଓ ଜିଲ୍ଲା ସ୍ତରରେ ପହଞ୍ଚାଇବା ପାଇଁ ପରାମର୍ଶ
• ଜାତୀୟ ଶିକ୍ଷା ନୀତିରେ ଶିଶୁ ମାନଙ୍କୁ ସଙ୍ଗୀତ, କାହାଣୀ, ଖେଳ ଏବଂ ନାଟକ ମାଧ୍ୟମରେ ଶିକ୍ଷା ଦିଆଯାଉଛି
• ଆମର ସଂସ୍କୃତି ଓ ସଭ୍ୟତାର ନିରନ୍ତରତା ବଜାୟ ନ ରହିଲେ ସମାଜର ଉତ୍ଥାନ ହୋଇ ପାରିବ ନାହିଁ
ଭୁବନେଶ୍ୱର, ଜୁଲାଇ ୦୮ – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ଓଡ଼ିଆ ଶିଶୁ ନାଟକ ‘ବିପ୍ଳବୀ ବାଜିଆ’ ଦେଖିବା ସହ ଶହୀଦ ବାଜି ରାଉତଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାରତର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ କାହାଣୀକୁ ନାଟକର ରୂପ ଦେବା ପ୍ରଶଂସନୀୟ । ନାଟକରେ ଅଭିନୟ କରିଥିବା ରସୁଲଗଡ ବ୍ରହ୍ମେଶ୍ୱର କଲୋନୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁ କଳାକାର ମାନଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର । ଏହି ନାଟକ ଦ୍ୱାରା ପିଲା ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହେବ । ଏହି ନାଟକକୁ ସବୁ ସ୍କୁଲ, ଜିଲ୍ଲା ସ୍ତରରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।ଆମର ସଂସ୍କୃତି ଓ ସଭ୍ୟତାର ନିରନ୍ତରତା ବଜାୟ ନ ରହିଲେ ସମାଜର ଉତ୍ଥାନ ହୋଇ ପାରିବ ନାହିଁ । ଆମ ସମାଜକୁ ବୀର ସଂଗ୍ରାମୀ ବାଜି ରାଉତ, ସାହସୀ ଧର୍ମପଦଙ୍କ ପରି ଛୋଟ ଛୋଟ ପିଲାମାନେ ଓଡ଼ିଶାକୁ ସର୍ବଦା ମାର୍ଗଦର୍ଶନ ଦେଇ ଆସିଛନ୍ତି । ଆଜି ଶିଶୁ ନାଟକକୁ ପୁନର୍ଜୀବିତ କରିବା ଦିଗରେ ଏଭଳି ଆୟୋଜନ ବେଶ୍ ପ୍ରଶଂସନୀୟ । ଓଡ଼ିଶାର ଛୋଟ ପିଲା ମାନଙ୍କ ମଧ୍ୟରେ ବହୁତ ପ୍ରତିଭା ଅଛି । ଜାତୀୟ ଶିକ୍ଷା ନୀତିରେ ଶିଶୁ ମାନଙ୍କୁ ସଙ୍ଗୀତ, କାହାଣୀ, ଖେଳନା ଏବଂ ନାଟକ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଆମ ଓଡ଼ିଆ ଜାତି, ସଂସ୍କୃତି ଓ ଐତିହ୍ୟକୁ ନୂଆପିଢି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ । ଏଥିପାଇଁ ଶ୍ରୀ ପ୍ରଧାନ ପିଙ୍କଉଡ୍ ଏବଂ ପିସ ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହ ନାଟକର ପରିକଳ୍ପନା କରିଥିବା ପିଙ୍କି ପ୍ରଧାନ, ସହଯୋଗୀ ସମ୍ବିତ ତ୍ରିପାଠୀ, ନାଟକ ରଚନା କରିଥିବା ଲେଖକ ଡ଼. ସୁଧାଂଶୁ ନାୟକ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା ମନୋଜ ପଟ୍ଟନାୟକ, ନିର୍ଦ୍ଦେଶକ ଶିବଶଙ୍କର ତ୍ରିପାଠୀ ଓ ତତସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।