ଗ୍ରାହକଙ୍କୁ ନିଜ ମନପସନ୍ଦର ଗାଡ଼ି ଯୋଗାଇ ଦେଉଛି ଆଜିର ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି ଶୋ’ରୁମ୍ ସୁବିଧା ଦଳ।
ସୁବିଧା ଦରରେ ଗ୍ରାହକଙ୍କୁ ନିଜ ମନପସନ୍ଦର ଗାଡ଼ି ଯୋଗାଇ ଦେଉଛି ଆଜିର ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି ଶୋ’ରୁମ୍
ଭୁବନେଶ୍ୱର: କେତେବେଳେ ଚୋରି ତ ଆଉ କେତେବେଳେ ଚାଲାଣ, ସେଥିରେ ମନଲୋଭା ଅଫର୍ ସାଙ୍ଗକୁ ଆବଶ୍ୟକତା; ଅଳ୍ପ ଖର୍ଚ୍ଚରେ ନିଜ ଚାହିଦାର ଜିନିଷଟିଏ କିଏ ବା ନ ଚାହେ। ଆଉ ଯଦି ସୁବିଧା ଦରରେ ମହଙ୍ଗା ଚିଜଟି ମିଳିଗଲା ତାକୁ କିଏ ବା କାହିଁକି ହାତଛଡ଼ା କରିବ! ସାମ୍ପ୍ରତିକ ସମୟରେ ସବୁ ଜିନିଷର ଦରବୃଦ୍ଧି ଘଟୁଥିବାବେଳେ ଯାନବାହାନ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଏପରିସ୍ଥଳେ ଗ୍ରାହକଙ୍କୁ ନିଜ ମନପସନ୍ଦର ଗାଡ଼ିଟି ଯୋଗାଇ ଦେଇଥାଏ ସେକେଣ୍ଡ ହ୍ୟାଣ୍ଡ୍ ଗାଡ଼ି ଶୋ’ରୁମ୍ ବା ପୁରୁଣା ଗାଡ଼ି ବଜାର। ଅବିକଳ ନୂଆ ଦିଶୁଥିବା, ଚିକ୍ମିକ୍ ରଙ୍ଗରେ କେହି ବାରିପାରିବ ନାହିଁ ପୁରୁଣାର ଗନ୍ଧ। ସେ ଯାହା ବି ହେଉ କିଛି ସମୟ ପୂର୍ବରୁ ଅସାଧ୍ୟ ଲାଗୁଥିବା ଜିନିଷଟି ଅତି ସହଜରେ ମିଳିଯାଏ। ଯାହା ଗ୍ରାହକଙ୍କ ମୁହଁରେ ଅବିଳମ୍ବେ ଖୁସି ଭରିଦିଏ। ଏସବୁକୁ ନେଇ ‘ସକାଳ’ର ସ୍ୱତନ୍ତ୍ର ଉପସ୍ଥାପନା।
ପୁରୁଣା ବଜାରରେ ୯୦% ଋଣ ଖିଲାପକାରୀଙ୍କ ଗାଡ଼ି
ପୁରୁଣା ବଜାରକୁ ଆସୁଥିବା ଅଧିକାଂଶ ଗାଡ଼ି ଋଣ ଖିଲାପକାରୀଙ୍କଠାରୁ ଆସୁଥିବା ଦେଖିବାକୁ ମିଳୁଛି। ସାଧାରଣ ଫାଇନାନ୍ସ କମ୍ପାନୀଗୁଡ଼ିକ ନୂଆ ଗାଡ଼ି ଫାଇନାନ୍ସ କରି ଗ୍ରାହକଙ୍କୁ ଦେବା ପରେ ଗ୍ରାହକମାନେ ସମୟରେ ଋଣ ପଇଠ କରିପାରୁନାହାଁନ୍ତି। ଏହାପରେ ଲଗାତାର ୩ଟି କିସ୍ତି ବକେୟା ପଡ଼ିଯିବା ପରେ ଫାଇନାନ୍ସ କମ୍ପାନୀଗୁଡ଼ିକ ଗ୍ରାହକଙ୍କଠାରୁ ଗାଡ଼ି ଛଡ଼ାଇ ଆଣୁଛନ୍ତି। ସେହିଭଳି ଅଭ୍ୟାସଗତ ଖିଲାପକାରୀଙ୍କ କ୍ଷେତ୍ରରେ ଗୋଟିଏ ମାସର କିସ୍ତି ଖିଲାପ ହେଲେ ମଧ୍ୟ ଗାଡ଼ିକୁ ଫାଇନାନ୍ସ କମ୍ପାନୀର ଅଧିକାରୀମାନେ ଉଠାଇ ଆଣୁଛନ୍ତି। ଏହାପରେ ଗ୍ରାହକଙ୍କୁ ୩୦ ଦିନର ସମୟ ଦିଆଯାଉଛି। ପୂର୍ବରୁ ଋଣ ଖିଲାପକାରୀମାନଙ୍କୁ ୪୫ ଦିନର ସମୟ ଦିଆଯାଉଥିଲା। ତେବେ ଏହି ସମୟ ସୀମା ମଧ୍ୟରେ ଜରିମାନା ସହ କିସ୍ତି ପଇଠ କରି ଗାଡ଼ି ନେବାକୁ ନ ଆସିଲେ ଗାଡ଼ିଗୁଡ଼ିକୁ ପୁରୁଣା ବଜାରକୁ ଛାଡ଼ିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଗାଡ଼ିଗୁଡ଼ିକୁ ପୁରୁଣା ଦରରେ ବିକ୍ରିକରି ଫାଇନାନ୍ସ କମ୍ପାନୀ ଅର୍ଥ ଆଦାୟ କରିନିଅନ୍ତି।
ଏଭଳି ଗାଡ଼ି ୧୦ ବର୍ଷରୁ ଅଧିକ ପୁରୁଣା ହୋଇଥିଲେ ତାହାର ରିସେଲ୍ ଭ୍ୟାଲୁ ବହୁ ମାତ୍ରାରେ ଖସି ଯାଉଛି।
ଇ-ନିଲାମୀରେ କିଣୁଛନ୍ତି ପୁରୁଣା ଗାଡ଼ି ମାଲିକ
ଫାଇନାନ୍ସ କମ୍ପାନୀଗୁଡ଼ିକ ପୁରୁଣା ଗାଡ଼ିକୁ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଯୋଗେ ବିକ୍ରି କରୁଛନ୍ତି। ବିଶେଷକରି ପୁରୁଣା ଗାଡ଼ି ସୋ’ରୁମ୍ ମାଲିକମାନଙ୍କ ପାଖରେ ଏକ ରେଜିଷ୍ଟ୍ରେସନ ରହିଛି। ସମସ୍ତ ଫାଇନାନ୍ସ କମ୍ପାନୀ ଓ ବ୍ୟାଙ୍କଗୁଡ଼ିକରେ ସୋ’ରୁମ୍ ମାଲିକମାନଙ୍କର ସ୍ୱତନ୍ତ୍ର କୋଡ୍ ରହିଛି। ଏହି କୋଡ୍ ଆଧାରରେ ଲଗ-ଅନ୍ କରି ସୋ’ରୁମ୍ ମାଲିକମାନେ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀଗୁଡ଼ିକର ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ସୋ’ରୁମ୍ ମାଲିକମାନକମାନେ ନିଜର ସ୍ୱତନ୍ତ୍ର ଆଇଡି ମାଧ୍ୟମରେ ବିକ୍ରି ହେବାକୁ ଥିବା ପୁରୁଣା ଗାଡ଼ି ସମ୍ପର୍କରେ ସୂଚନା ପାଇପାରିବେ। ସେହିଭଳି କେଉଁ ତାରିଖରେ କେତେ ସଂଖ୍ୟକ ଗାଡ଼ି ନିଲାମ ହେବାକୁ ଅଛି ସେନେଇ ମଧ୍ୟ ସମ୍ପୂର୍ଣ୍ଣ ସୂଚନା ବ୍ୟାଙ୍କ୍ ପକ୍ଷରୁ ଉକ୍ତ ଆପ୍ ମାଧ୍ୟମରେ ଯୋଗାଇ ଦିଆଯିବ।
ଇ-ନିଲାମୀରୁ ସାଧାରଣ ଗ୍ରାହକ ବାଦ୍
ଜଣେ ଗ୍ରାହକ ଚାହିଁଲେ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀର ଇ-ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ। ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଗୁଡ଼ିକ ଇ-ନିଲାମୀରେ ସାମିଲ ହେବା ପାଇଁ କୋଡ୍ ଇସ୍ୟୁ କରିଥାଆନ୍ତି। ଉକ୍ତ କୋଡ୍କୁ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ନେଇ ପ୍ରବେଶ ଅନୁମତି ଭାବେ ଦେଖାଯାଏ। ପୁରୁଣା ଗାଡ଼ି ସୋ’ରୁମ ମାଲିକମାନଙ୍କୁ କୋଡ୍ ପ୍ରଦାନ କରାଯାଇଥିବା ହେତୁ କେବଳ ସେମାନେ ହିଁ ଏହି ନିଲାମରେ ସାମିଲ ହୋଇଥାଆନ୍ତି।
ଅଫ୍ଲାଇନ୍ ନିଲାମୀରେ ଅଧିକ ଭିଡ଼
ପୁରୁଣା ଗାଡ଼ିଗୁଡ଼ିକର ଅଫ୍ଲାଇନ୍ ନିଲାମୀ ଖୁବ୍କମ୍ ଦେଖିବାକୁ ମିଳେ। ବେଳେ ବେଳେ ଶ୍ରୀରାମ ଫାଇନାନ୍ସ ଭଳି କମ୍ପାନୀ ଅଫ୍ଲାଇନ୍ ନିଲାମୀ କରିବା ନେଇ ଆଗ୍ରହ ଦେଖାଇଥାଆନ୍ତି। ଭୁବନେଶ୍ୱରରେ ଫାଇନାନ୍ସ କମ୍ପାନୀଗୁଡ଼ିକ ପୁରୁଣା ଗାଡ଼ିର ପ୍ରଦର୍ଶନୀ କରିଥାଆନ୍ତି। ଏହି ପ୍ରଦର୍ଶନ ସାଧାରଣ ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ମୁକ୍ତ ରହିଥାଏ। ସୋ’ରୁମ୍ ମାଲିକଙ୍କଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ଅଫ୍ଲାଇନ୍ ନିଲାମୀରେ ଭାଗ ନିଅନ୍ତି।
ନବୀକରଣ ପାଇଁ ୫ ହଜାର ଟଙ୍କା ଲାଗିଥାଏ। ଯେଉଁ ଗାଡ଼ି ସବୁ ବ୍ୟବହାରଯୋଗ୍ୟ ନ ହେଲା ଭଳି ଲାଗୁଥାଏ ତା’ର ଚାହିଦା ତଥା ଲୋକମାନେ ସେସବୁକୁ କିଣିବାକୁ ମନ ବଳେଇ ଥାଆନ୍ତି। ଏ କ୍ଷେତ୍ରରେ ଗାଡ଼ି ସୋ’ରୁମ୍ରେ ମଧ୍ୟ ଏହି ସବୁ ପୁରୁଣା ଅଥଚ ଐତିହ ସମ୍ପନ୍ନ ଗାଡ଼ିକୁ ସାଇତି ରଖି ଥାଆନ୍ତି। ଅନେକ ଲୋକମାନେ ଏ କ୍ଷେତ୍ରରେ ଦାମ୍ କଥା ପାଶୋରି ଦେଇ ଗାଡ଼ିକୁ କିଣି ଥାଆନ୍ତି।
ପୁରୁଣା ଗାଡ଼ିବିକ୍ରି ଆଳରେ ଠକେଇ
ଅନଲାଇନ ପ୍ଲାଟଫର୍ମ ଜରିଆରେ ପୁରୁଣା ଗାଡ଼ି ସବୁକୁ ବିକ୍ରି କରିବାର ସୁବିଧା ଉପଲବ୍ଧ ଥାଏ। ତେବେ ବହୁ ସମୟରେ ଏଥିରେ ଗ୍ରାହକ ତଥା ଯିଏ ନିଜେ ବିକ୍ରେତା ଠକାମିର ଶିକାର ହେଉଛନ୍ତି। ଗାଡିର ପଇସା କିସ୍ତି ଆଗରେ ଦେବେ ବୋଲି ପ୍ରଥମେ କହି ନେଇ ଯାଇଥିବାବେଳେ ପରେ ଆଉ ଧରାଛୁଆଁ ଦିଅନ୍ତି ନାହିଁ ଏମାନେ। ସେହିପରି ଗାଡ଼ିକୁ କେଉଁଠାରୁ ଚୋରି କରି ଆଣି ଧରା ନ ପଡ଼ିବା ପାଇଁ କେତେଜଣ ଦଲାଲ ଗ୍ୟାଙ୍ଗ ହେଇ ଏହାକୁ ପୁରୁଣା ଗାଡି ସୋ’ରୁମରେ ବିକ୍ରି କରି ଦିଅନ୍ତି। ପରବର୍ତ୍ତୀ ସମୟରେ ସୋରୁମ୍ରୁ କିଣୁଥିବା ଗ୍ରାହକ ଠକେଇର ଶିକାର ହୁଅନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନେକ ସମୟରେ ଠକମାନେ ପୁରୁଣା ଗାଡ଼ି କିଣିବା ପୂବରୁ ଏହାକୁ ଟେଷ୍ଟିଂ କରିବା ଆଳରେ ନେଇ ଚମ୍ପଟ ମାରିଛନ୍ତି। ଗତ ୨ ବର୍ଷ ଭିତରେ ଏଭଳି ୫ରୁ ଅଧିକ ର୍ୟାକେଟ୍କୁ କମିସନରେଟ୍ ପୁଲିସ ଠାବ କରିଛି।