Search for:
  • Home/
  • ରାଜ୍ୟ/
  • ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆମର ଲକ୍ଷ୍ୟ……….

ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆମର ଲକ୍ଷ୍ୟ……….

Spread the love

Loading

ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆମର ଲକ୍ଷ୍ୟ……….
ଦାବି ପୂରଣ ନହେଲେ ଯନ୍ତରମନ୍ତରରେ ଆନ୍ଦୋଳନ
ଭୁବନେଶ୍ୱର:୦୨.୦୭ ନୈସର୍ଗିକ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜ । ଆୟତନ ଦୃଷ୍ଟିରୁ ଓଡିଶାର ଏହି ସର୍ବବୃହତ ଜିଲାର ମଧ୍ୟ ଭାଗରେ ଅବସ୍ଥିତ ଶିମିଳିପାଳ ଜୈବ ମଣ୍ଡଳ । ୨୭୫୦ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଶିମିଳିପାଳ କେବଳ ଦେଶର ସର୍ବବୃହତ ବିଶୁବ ମଣ୍ଡଳୀୟ ଜଙ୍ଗଲ ନୁହେଁ, ଏହା ଏସିଆ ମହାଦେଶରେ ଦ୍ୱିତୀୟ ବୃହତମ ଅମ୍ଳଜାନ କେନ୍ଦ୍ର । ଏକାଧାରରେ ପ୍ରସ୍ତାବିତ ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବରେ ପରିଚିତ ଉକ୍ତ ଅଭୟାରଣ୍ୟକୁ ୟୁନିସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା । ସାଧାରଣତଃ ବିଶ୍ୱର ଯେ କୌଣସି ପର୍ଯ୍ୟଟନ ସ୍ଥଳୀ ନିଦ୍ଦିଷ୍ଟ ଏକ ବିଶେଷତାକୁ ନେଇ ପ୍ରସିଦ୍ଧି ଲାଭ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ରହିଛି ଅସୁମାରି ବିଶେଷତା । ବିସ୍ତୃତ ସବୁଜ ବନାନୀ, ଥାକଥାକ ନଭଶ୍ଚୁମ୍ବୀ ପର୍ବତ, ଭାସମାନ ମେଘମାଳା ଓ କଳକଳ ନାଦିନୀ ଝରଣା ଆଦି ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ସମୁଦ୍ର ପତନ ଠାରୁ ପ୍ରାୟ ୧୧୬୫ମିଟର ଉଚ୍ଚରେ ଅବସ୍ଥିତ ଶିମିଳିପାଳ ଜୈବ ମଣ୍ଡଳର ସର୍ବୋଚ୍ଚ ଗିରିଶୃଙ୍ଗ ମେଘାସନୀ ପର୍ବତ । ମେଘାସନୀ ଉପରକୁ ଚାହିଁଦେଲେ ଲାଗେ, ସତେ ଯେମିତି ଆକାଶ ଏଠି କଥା କହୁଛି ପୃଥିବୀ କାନରେ ଏବଂ ଖଣ୍ଡ ଖଣ୍ଡ ଭସା ବାଦଲ ସବୁ ଧଳା ଫୁଲ ପରି ଶୋଭା ପାଉଛି ପ୍ରକୃତିରାଣୀର ଗଭାରେ । ଗିରି କନ୍ଦର ବୁକୁ ଚିରି ସର୍ପିଳ ଗତିରେ ବହି ଯାଉଛି ବଳାଙ୍ଗୀ,ସୋନ, ଗଙ୍ଗାହାର, ଦେଓ, ଭଣ୍ଡନ, ପଳପଳା,ଖଡଖାଇ ଓ ଖଇରି ଆଦି କେତେ ସାନବଡ଼ ନଦୀ ଝରଣା । ଘଂଚ ଅରଣ୍ୟ ମଧ୍ୟରେ ଛିଡା ହୋଇଥିବା ସୁଉଚ୍ଚ ପାହାଡ ମଥାନରୁ କ୍ଷିପ୍ର ଗତିରେ ଝରିପଡୁଛି ବରେହିପାଣି ଓ ଯୋରନ୍ଦା ଆଦି ମନୋରମା ଜଳପ୍ରପାତ । ଜୈବ ବିବିଧତାର ଅସୁମାରୀ ଭଣ୍ଡାର ଶିମିଳିପାଳରେ ରହିଛି ଶାଳ, ପିଆଶାଳ, ଶିଶୁ, ଅସନ, ଶିମିଳି ଓ ଚମ୍ପା ଆଦି ୧୦୭୬ ପ୍ରକାର ବୃକ୍ଷଲତା ଓ ୯୬ ପ୍ରକାରେ ଅର୍ଚିଡ ପ୍ରଜାତିର(ଚିତ୍ର ଜାତୀୟ) ଫୁଲ । ଏଠାରେ ଏମିତି ୫୫ ପ୍ରକାର ବିରଳ ବୃକ୍ଷ ଅଛି, ଯାହା ଦେଖିବାକୁ ମିଳେନି ବିଶ୍ୱର ଅନ୍ୟ କୌଣସି ସ୍ଥାନରେ । ଜୈବ ମଣ୍ଡଳର ବଡ଼ ଆକର୍ଷଣ ହେଉଛି ଏଠାରେ ଥିବା ୫୫ଜାତିର ପଶୁ, ୬୨ପ୍ରକାର ସରୀସୃପ ଓ ୩୦୪ ପ୍ରଜାତିର ପକ୍ଷୀ । ପ୍ରଚଣ୍ଡ ଶୀତ, ସୁଖଦଃ ଗ୍ରୀଷ୍ମ ଓ ମୂଷଳ ବର୍ଷାର ଅନୁଭବ ମଧ୍ୟରେ ଜଳବାୟୁର ବିସ୍ମୟକର ବିବିଧତା ହିଁ ଶିମିଳିପାଳ ଜୈବ ମଣ୍ଡଳର ଅନନ୍ୟ ବିଶେଷତା । ବନଭୂମିର ରଙ୍ଗ, ଶବ୍ଦ ଓ ଆଲୋକର ମହୋତ୍ସରେ ଗୁଞ୍ଜରିତ ହୁଏ ଜୀବନର ନୂଆ ଛନ୍ଦ । କବି, କଳାକାର, ଭାବୁକ, ଦାର୍ଶନିକ ଓ ପ୍ରକୃତିପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରେ ତାର ଶାନ୍ତ, ସ୍ନିଗ୍ଧ ପରିବେଶ । ଶିମିଳିପାଳ କେବଳ ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର ନୁହେଁ, ଏହା ଆମ ଜୀବନ ଜୀବିକାର ଆଧାର । ଶିମିଳିପାଳ ପାଦଦେଶରେ ବାସ କରୁଥିବା ଜନଜାତିର ଲୋକଙ୍କ ଆୟର ସିଂହଭାଗ ନିର୍ଭର କରେ ଏହି ଅଭୟାରଣ୍ୟ ଉପରେ । ଶିମିଳିପାଳ ନଥିଲେ ଶସ୍ୟ ଶ୍ୟାମଲା ନୁହେଁ, ଏକ ମରୁ ଅଂଚଳରେ ପରିଣତ ହୋଇଥାନ୍ତା ଓଡିଶା । ଏହି ଦୃଷ୍ଟିରୁ ବିଚାର କଲେ ଶିମିଳିପାଳ ହେଉଛି ମାନବ ଜାତି ପ୍ରତି ପ୍ରକୃତିର ଏକ ମହାର୍ଘ ଦାନ । ଅଥଚ ପ୍ରକୃତିର ଏ ଅବଦାନ ପ୍ରତି ବଢିଚାଲିଛି ସ୍ୱାର୍ଥାନ୍ଧ ମଣିଷର ଅବମାନନା । ଏହି ଅପରିଣାମଦର୍ଶିତା ପାଇଁ କ୍ରମଶଃ ସଙ୍କଟ ଭିତରକୁ ଟାଣି ହୋଇଯାଉଛି ଶୋଭାମୟୀ ଶିମିଳିପାଳ । ଆଇନକୁ ଆଖି ଠାର ମାରି କେଉଁଠି ଜଙ୍ଗଲ ତସ୍କର ମୂଲ୍ୟବାନ ଗଛ କାଟି ନେଉଛି ତ କେଉଁଠି ଶିକାରୀ ହାତରେ ଯାଉଛି ବନ୍ୟପ୍ରାଣୀ ଓ ବନରକ୍ଷୀଙ୍କ ଜୀବନ । ଏମାନଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ଅଭିବୃଦ୍ଧି ନିମନ୍ତେ ସରକାରଙ୍କ ପଦକ୍ଷେପ ବୈମାତୃକ । ଫଳରେ ଶିମିଳିପାଳ ଅଭୟାରଣ୍ୟ ଅସୁରକ୍ଷିତ ଓ ରକ୍ତରଞ୍ଜିତ । ଜିଲାର କୋହିନୂର ହୀରା ବୋଲାଉଥିବା ଶିମିଳିପାଳ ଅଭୟାରଣ୍ୟ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ଅଣାରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ମାତ୍ର ନିଦାବିଷ୍ଣୁ ସାଜିଥିବା ବିଧାୟକ, ସାଂସଦ ଓ ପ୍ରତିନିଧି ମାନେ ମାଆ ମାଟିକୁ ଭୁଲି ଯାଇ ନିଜ ସ୍ୱାର୍ଥ୍ୟରେ ନିୟୋଜିତ ରହିଛନ୍ତି । ମନୁଷ୍ୟ ସମାଜର ସ୍ଥିତି ତଥଶ ବିକାଶ ପାଇଁ ଜଙ୍ଗଲ ତଥା ବନ୍ୟଜନ୍ତୁଙ୍କୁ ସ୍ଥିତି, ସୁରକ୍ଷା, ସଂରକ୍ଷଣ ଏବଂ ସମୃଦ୍ଧି ବିକାଶର ଏକାନ୍ତ ଆବାଶ୍ୟକତା ହୃଦୟଙ୍ଗମ କରି ଭଞ୍ଜସେନା ପକ୍ଷରୁ ୧୦ଟି ଦାବି ଉପସ୍ଥାପନା କରୁଛି । ଦାବି ଗୁଡିକ ମଧ୍ୟରେ
୧-ମହାବଳ ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଭାଗ ଓ ରାଜ୍ୟର ବିଶିଷ୍ଟ ପରିବେଶବିତମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଉ ।
୨-ଯୁଦ୍ଧକାଳୀନ ଭିତିରେ ଶିମିଳିପାଳ ଅଭୟାରଣ୍ୟରେ ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି କରିବାରେ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ।
୩-ବାଘଙ୍କ ଗତିବିଧିକୁ ଟ୍ରାକିଂ କରିବା ନିମନ୍ତେ(ଜିପିଏସ:ଗ୍ଳୋବାଲ ପଜିସନିଙ୍ଗ ସିଷ୍ଟମ), ମନିଟରିଙ୍ଗ ସିଷ୍ଟମ ଫର ଟାଇଗର ଏବଂ ଭିଏଚଏଫ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ବାଘଙ୍କ ଗତିବିଧିର ନୀରିକ୍ଷଣ କରିଯାଉ ।
୪-ଅବାଧ ଶିକାରକୁ ରୋକିବା ନିମନ୍ତେ ସରକାରୀ ସ୍ତରରେ ଶିମିଳିପାଳ ସ୍ପୋଶାଲ ସ୍କ୍ୱାର୍ଡ ଗଠନ କରି କଡାକଡି ନିୟମ ଓ ଦଣ୍ଡବିଧାନ ପ୍ରଣୟନ କରାଯାଉ । ବିନବିଭାଗ ସହିତ ସ୍ୱତନ୍ତ୍ର ଆରକ୍ଷୀ, ପ୍ରତିରକ୍ଷା ବାହିନୀକୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତି ପ୍ରଦାନ କରାଯାଉ ।
୫- ଜୈବ ବିବର୍ତନ ପାଇଁ ସମଗ୍ର ବିଶ୍ୱରେ ବିରଳ ପ୍ରଜାତିର କଳା ମହାବଳ ବାଘ ଦେଖାଯାଉଥିବା ଶିମିଳିପାଳରେ ବାଘ ପ୍ରଜନନ, ସଂଖ୍ୟାବୃଦ୍ଧି, ବାସସ୍ଥାନ, ଖାଦ୍ୟଶୃଙ୍ଖଳ, ଗତିବିଧି, ପରିବେଶ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରାଯାଉ ।
୬-ଶିମିଳିପାଳ କୋର ଓ ବୋଫର ଅଂଚଳରେ ଅବସ୍ଥିତ ଗାଁ ଗୁଡିକ ବିସ୍ଥାପିତ କରାଯାଇ ଶିମିଳିପାଳକୁ ସମ୍ପୂର୍ଣ୍ଣ ଜାତୀୟ ଉଦ୍ୟାନ ଭାବେ ମାନ୍ୟତା ପ୍ରଦାନ କରାଯାଉ । ଏହା ସହିତ ବିସ୍ଥାପିତଙ୍କୁ ସରକାରୀ ଜମି,ଶିକ୍ଷା, ବିଜୁଳି, ସ୍ୱାସ୍ଥ୍ୟ, ରୋଜଗାର, ବାସଗୃହ ଯୋଗାଇବା ସହିତ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉ । କେବଳ ଆଦିବାସୀଙ୍କ ଧାର୍ମିକ ଉପାସନା ଓ ବାର୍ଷିକ ପୂଜାର୍ଚ୍ଚନା ପାଇଁ ଶିମିଳିପାଳକୁ ପ୍ରବେଶର ଅନୁମତି ପ୍ରଦାନ କରାଯାଉ ।
୭-ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଶିମିଳିପାଳ ସୀମାନ୍ତ ଓ ଆଭ୍ୟନ୍ତରୀଣ ଅଂଚଳରେ ଲୋକମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉ । ଫଳରେ ବନ୍ୟଜୀବ ପର୍ଯ୍ୟଟନ ମାଧ୍ୟମରେ ଲୋକେ ରୋଜଗାରକ୍ଷମ ହୋଇପାରିବେ । ସେଥି ନିମନ୍ତେ ସରକାରଙ୍କ ପକ୍ଷରୁ ଇକୋ ଟୁରିଜିମ ପ୍ରତି ଗୁରୁତ୍ୱ ପ୍ରଦାନ କରନ୍ତୁ ।
୮-ଶିମିଳିପାଳର ସୁରକ୍ଷା ନିମନ୍ତେ ଖାଲି ପଡିଥିବା ୪୦ପ୍ରତିଶତ କର୍ମଚାରୀଙ୍କ ପଦବୀ ପୂରଣ କରାଯାଉ ।
୯- ଅଭୟାରଣ୍ୟ ମଧ୍ୟରେ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ତୁରନ୍ତ ବାତିଲ କରାଯାଉ ।
୧୦-ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହିତ କାର୍ଯ୍ୟକାରୀ କରାଯାଉ । ନବ ରୂପାନ୍ତର ପ୍ରକ୍ରିୟାରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମାଆ କୀଚକେଶ୍ୱରୀଙ୍କ ମନ୍ଦିର, ମାଆ ଅମ୍ବିକା ମନ୍ଦିର, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିର ଓ ମାଣତ୍ରୀ ସ୍ଥିତ ବାବ କଖାରୁଆ ବୈଦ୍ୟନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ।

ଉପରୋକ୍ତ ଦାବୀ ଗୁଡିକୁ ନେଇ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଏକ ଵିଶାଳ ଗଣଧାରଣା ଅନୁଷ୍ଠିତ ହୋଇଥିଲା |ଉକ୍ତ ଗଣ ଧାରଣାରେ ଭଞ୍ଜସେନା ଅଧକ୍ଷ ଶୁଭେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ, ଶୃଙ୍ଖଳାଗତ କମିଟି ଅଧକ୍ଷ ସତ୍ୟସ୍ୱରୂପ ଦାଶ, ଉପାଧ୍ୟକ୍ଷ ଜିତେନ୍ଦ୍ର ହେମ୍ବ୍ରମ, ମହମ୍ମଦ ଅଲ୍ଲୀ ଖାନ, ନିମାଇଁ ତ୍ରିପାଠୀ,ଲାଲ ବାହାଦୁର ମହାନ୍ତି,ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଓବିସି ଶାଖା ସଭାପତି ରାକେଶ ବେହେରା, ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ମହିଳା ସଭାନେତ୍ରୀ କନିକା ବୋଷ, କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଜିଲ୍ଲା ଉପସଭାପତି ସନ୍ତୋଷ ଗିରି, ଆଇନଜୀବୀ ମହମ୍ମଦ ଫିରୋଜ଼, ରାକେଶ ମହାନ୍ତି,ମାଇକେଲ ମହାନ୍ତ,ପ୍ରଶାନ୍ତ ମହାକୁଡ଼,ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର, ଜିଲ୍ଲା ଯୁବଛାତ୍ର ସଂଯୋଜକ ଏସ କେ ରାଜାଖାନ, ମୁଖପାତ୍ର ମାନସ ବେହେରା, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ, ପାଞ୍ଚପିଢ଼ ଉପଖଣ୍ଡ ସଭାପତି ଦକ୍ଷିଣା ମହାନ୍ତ,ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଶିବ ସିଂ, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦରମୋହନ ଟୁଡୁ, କପ୍ତିପଦା ଉପଖଣ୍ଡ ସଭାପତି ରବିନ ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ଧନଞ୍ଜୟ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, ବାମନଘାଟି ଉପଖଣ୍ଡ ସଭାପତି ଇଂ ରମଜାନ ବେଗ, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଂମ୍ପୂର୍ଣ୍ଣ ହେମ୍ବ୍ରମ, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ମନୋରଞ୍ଜନ ବାରିକ ପ୍ରମୁଖଙ୍କ ସହିତ ପାଖାପାଖି ଏକ ହଜାର ଭଞ୍ଜସେନା କର୍ମୀ ଯୋଗଦାନ କରିଥିଲେ |
ଉପରୋକ୍ତ ଦାବି ପୂରଣ ନହେଲେ ଭୁବନେଶ୍ୱର ପରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣା ପୂର୍ବକ ଆନ୍ଦୋଳନ କରାଯିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପ୍ରକାଶ କରିଛନ୍ତି ।

Leave A Comment

All fields marked with an asterisk (*) are required