ରକ୍ତହୀନତା ଦୂରୀକରଣ ନୁହେଁ, ଭୋଟ୍ ଲକ୍ଷ୍ୟରେ ରାଜ୍ୟ ସରକାର: ଡ.ଲେଖାଶ୍ରୀ
*ରାଜ୍ୟ ସରକାରଙ୍କ ‘ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଲାନ)’ ରିପୋର୍ଟ*
*ରକ୍ତହୀନତା ଦୂରୀକରଣ ନୁହେଁ, ଭୋଟ୍ ଲକ୍ଷ୍ୟରେ ରାଜ୍ୟ ସରକାର: ଡ.ଲେଖାଶ୍ରୀ*
ମିଛୁଆ ରାଧୁଆ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ‘ଅମ୍ଳାନ ରିପୋର୍ଟ’
ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ
ରାଜ୍ୟ ସରକାର ମହିଳାଙ୍କ ପୃଷ୍ଟି ସାଧନ ଦିଗରେ କମ୍ ଧ୍ୟାନ ଦେଇ କ୍ଷମତା ଜାବୁଡି ଧରିବା ନିଶାରେ ବୁଡି ରହିଛନ୍ତି
ମୋଦି ସରକାର ‘ପୋଷଣ ଯୋଜନା’ରେ କିଭଳି ଲୋକେ ଉପକୃତ ହେବେ ବ୍ୟବସ୍ଥା କଲାବେଳେ, ନବୀନ ସରକାର ଓଡ଼ିଶାବାସୀ କିଭଳି ସେଥିରୁ ବଂଚିତ ହେବେ ସେ ବ୍ୟବସ୍ଥା କରୁଛନ୍ତି
ଭୁବନେଶ୍ୱର, ତା ୨୦/୦୭: ମା’ ଓ ଶିଶୁ ରକ୍ତହୀନତାର ଶିକାର ହେଲେ ସେ କେବେହେଲେ ସବଳ ହେବ ନାହିଁ କି ମାନସିକ ସ୍ତରରେ ମଧ୍ୟ ବୃଦ୍ଧି ଘଟିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଦ୍ୟ ପ୍ରକାଶିତ ‘ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଲାନ)’ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟର ମହିଳା ଓ ଶିଶୁମାନଙ୍କର ରକ୍ତହୀନତାକୁ ନେଇ ପ୍ରକାଶ ପାଇଥିବା ଏହି ସାଂଘାତିକ ରିପୋର୍ଟ ମିଛୁଆ ରାଧୁଆ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ଭୋଟ୍ ବ୍ୟାଂକ ପଲିଟିକ୍ସରେ ବ୍ୟସ୍ତ ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପୃଷ୍ଟି ସାଧନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଓଡିଶାରେ ମା’ମାନଙ୍କ ପାଇଁ ନବୀନ ସରକାରଙ୍କ ହୃଦୟ କାନ୍ଦୁଛି ବୋଲି ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ବଡ ପାଟିରେ ଚିତ୍କାର କରି ପ୍ରଚାର କରିବା କେବଳ ମାତ୍ର ଶାସନ କ୍ଷମତାରେ ରହିବା ପାଇଁ ଷଡଯନ୍ତ୍ର । ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ଯାହା ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି । ସେହିଭଳି ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮ପ୍ରତିଶତ ଏବଂ ୧୦ ରୁ ୧୯ବର୍ଷ ଝିଅ ୫୯.୪ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ୬୨.୭ପ୍ରତିଶତ, ସ୍ତନ୍ୟପାନ କରାଉଥିବା ମା’ ୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହେଉଥିବାର ଏହି ରିପୋର୍ଟରେ ପ୍ରକାଶ ପାଇଛି । କେବଳ ପ୍ରଚାର, ପ୍ରସାର, ବିଜ୍ଞାପନ ଜରିଆରେ ରକ୍ତହୀନତା ଦୂର ହେବ ନାହିଁ । କେବଳ ଭିଟାମିନ୍ଯୁକ୍ତ ଚାଉଳ ଦେଲେ ରକ୍ତହୀନତା ଦୂର ହୁଏ ନାହିଁ । ଏଥି ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ରେ ମଧ୍ୟ ରାଜ୍ୟରେ ବଢ଼ୁଥିବା ଅପପୃଷ୍ଟି, ରକ୍ତହୀନତା, ମାତୃ ମୃତ୍ୟୁହାର, ନବଜାତ ଶିଶୁ ମୃତ୍ୟୁହାର, ବୟସ ତୁଳନାରେ ପିଲାଙ୍କର କମ୍ ଉଚ୍ଚତା ଓ ଓଜନ କମ୍ ହେବା ଇତ୍ୟାଦି ଦର୍ଶାଯାଇଛି ଏବଂ ଚିନ୍ତାଜନକ ବୋଲି ଟିପ୍ପଣୀ ହୋଇଛି । ରାଜ୍ୟ ସରକାର ‘ଲାଷ୍ଟ ମିଲ୍ ଡେଲିଭରି’ ବା ମହିଳା ଓ ଶିଶୁମାନଙ୍କ ପାଖରେ ପୃଷ୍ଟିକର ଖାଦ୍ୟ, ଶସ୍ୟ, ଭିଟାମିନ୍, ମିନେରାଲ୍ସ ଓ ସପ୍ଲିମେଂଟ ପଂହଚାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ରାଜ୍ୟ ସରକାର “ଅମ୍ଳାନ ଯୋଜନା” ଯେବେ ଆରମ୍ଭ କଲେ ସେତେବେଳେ କହିଥିଲେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନଶକ୍ତି, ଏସଏସଟି ଡେଭଲପମେଂଟ ବିଭାଗ ସହିତ ୫-ଟି ବିଭାଗକୁ ମିଶାଇ ଅମ୍ଳାନ ଯୋଜନା କାର୍ଯ୍ୟକାରୀ ହେବ । କିନ୍ତୁ ଦୁଃଖ ପରିତାପର ବିଷୟ ରାଜ୍ୟ ସରକାର ମହିଳାଙ୍କ ପୃଷ୍ଟି ସାଧନ ଦିଗରେ କମ୍ ଧ୍ୟାନ ଦେଇ କ୍ଷମତା ଜାବୁଡି ଧରିବା ନିଶାରେ ବୁଡି ରହିଛନ୍ତି । ଶାସକ ଦଳ ଏବେ ସବୁ ବିଭାଗକୁ ବିକାଶ ଓ ଶାସନ କାମରୁ ଛଡାଇ କେବଳ ରାଜନୈତିକ କାମରେ ଲଗାଇଛନ୍ତି । ମିଶନ ଶକ୍ତି ଓ ମହିଳା, ଶିଶୁ ବିକାଶ, ସ୍କୁଲ ଓ ଗଣଶିକ୍ଷା ଭଳି ବିଭାଗକୁ ଭୋଟ ଗୋଟାଇବା କାମରେ ଲଗାଇଛନ୍ତି । ସରକାରଙ୍କର ସୁଶାସନ ପ୍ରତି ଧ୍ୟାନ ନାହିଁ । ଏଭଳି ସ୍ଥିତିରେ ରକ୍ତହୀନତା ବା ଅପପୃଷ୍ଟି ଦୂର ହେବନାହିଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ମୋଦି ସରକାର ପୋଷଣ ଯୋଜନାରେ କିଭଳି ଲୋକେ ଉପକୃତ ହେବେ ବ୍ୟବସ୍ଥା କଲାବେଳେ ନବୀନ ସରକାର ଓଡ଼ିଶାବାସୀ କିଭଳି ସେଥିରୁ ବଂଚିତ ହେବେ ସେ ବ୍ୟବସ୍ଥା କରୁଛନ୍ତି । ରାଜ୍ୟ ସରକାର ମହିଳାଙ୍କୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ରାଜ୍ୟରେ ୮ଟି ଜିଲ୍ଲା ଛାଡି ଆଉ ସମସ୍ତ ଜିଲ୍ଲାରେ ଶିଶୁମାନଙ୍କର ପ୍ରାୟତଃ ବୟସ ତୁଳନାରେ ଉଚ୍ଚତା କମ୍ ରହୁଛି । ରାଜ୍ୟ ସରକାର ଯଥାଶୀଘ୍ର ମହିଳାଙ୍କ ରକ୍ତହୀନତାରେ କିଭଳି ସୁଧାର ଆସିବ ସେ ନେଇ ବ୍ୟବସ୍ଥା କରିବାକୁ ଡ.ଲେଖାଶ୍ରୀ କହିଛନ୍ତି।