ଫୁଣି ଓଡ଼ିଶା ଫେରିଲେ ୱାଇ.ବି ଖୁରାନିଆ
ଓଡ଼ିଶା ଫେରିଲେ ୱାଇ.ବି ଖୁରାନିଆ
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ତଥା ପୂର୍ବତନ ପୋଲିସ କମିଶନର ୱାଇ.ବି ଖୁରାନିଆ ସମୟ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିଛନ୍ତି । ତାଙ୍କୁ ବିଏସ୍ଏଫ ସ୍ପେଶାଲ ଡିଜି ପଦରୁ ହଟାଇ କେନ୍ଦ୍ର ଓଡ଼ିଶା ଫେରିବାକୁ ନିର୍ଦ୍ଦେଶ ଦେଇଛି । ଖୁରାନିଆ ଓଡ଼ିଶା ଫେରିବା ପରେ ପୋଲିସ ଡିଜି ହେବା ସମ୍ଭାବନା ସୃଷ୍ଟି ହୋଇଛି ।କେନ୍ଦ୍ର ଶୁକ୍ରବାର ଦିନ ବିଏସଏଫ ଡିଜି ନିତିନ ଅଗ୍ରୱାଲ ଏବଂ ସ୍ପେଶାଲ ଡିଜି (ପଶ୍ଚିମ) ୱାଇ.ବିି ଖୁରାନିଆଙ୍କୁ ତୁରନ୍ତ ପଦରୁ ହଟାଇଦେଇଛି । ପରେ ସେମାନଙ୍କୁ ନିଜ ନିଜ ରାଜ୍ୟ କ୍ୟାଡରଙ୍କ ନିକଟକୁ ପଠାଇ ଦେଇଛନ୍ତି ।କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ସମୟ ପୂର୍ବରୁ ସେମାନଙ୍କୁ ନିଜ ନିଜ କ୍ୟାଡରକୁ ଫେରାଇ ଦିଆଯାଉଛି । ଶ୍ରୀଅଗ୍ରୱାଲ ୧୯୮୯ ବ୍ୟାଚ୍ କେରଳ କ୍ୟାଡର ଅଧିକାରୀ ହୋଇଥିବା ବେଳେ ଖୁରାନିଆ ୧୯୯୦ ବ୍ୟାଚ୍ ଓଡିଶା କ୍ୟାଡର ଅଧିକାରୀ ।ପାକିସ୍ତାନ ସୀମାରେ ଖୁରାନିଆ ନେତୃତ୍ୱ ନେଉଥିଲେ
ଅଗ୍ରୱାଲ ଗତ ବର୍ଷ ଜୁନରେ ସୀମା ସୁରକ୍ଷା ବଳର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଖୁରାନିଆ ପାକିସ୍ତାନ ସୀମାରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଜେନେରାଲ (ପଶ୍ଚିମ) ଭାବେ ନେତୃତ୍ୱ ନେଉଥିଲେ । ପ୍ରାୟ ୨.୬୫ ଲକ୍ଷ କର୍ମଚାରୀଙ୍କ ସହିତ ବିଏସ୍ଏଫ୍ ପଶ୍ଚିମରେ ପାକିସ୍ତାନ ଏବଂ ପୂର୍ବରେ ବାଂଲାଦେଶ ସହିତ ଭାରତର ସୀମା ରକ୍ଷା କରିଥାଏ ।