୧ ନମ୍ବର ମୁଖ୍ୟମନ୍ତ୍ରୀ, କିନ୍ତୁ ବାଣ୍ଟୁଛନ୍ତି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ
ରେମୁଣାରେ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ
ଦାବି ୧ ନମ୍ବର ମୁଖ୍ୟମନ୍ତ୍ରୀ, କିନ୍ତୁ ବାଣ୍ଟୁଛନ୍ତି ଟଙ୍କା – ଧର୍ମେନ୍ଦ୍ର ପ୍ରଧାନ
• ବିଜେଡିର ଅର୍ଥ ଓ ବାହୁବଳ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କଲେ ଅନୁରୋଧ
• ଅବାଧ ଓ ନିରପେକ୍ଷ ନିର୍ବାଚନକୁ ବିଜେଡିର ଉପହାସ
• ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ପଦ୍ଧତି ଅବଲମ୍ବନ କରିଛି
• ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟନରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଖବର ଅତ୍ୟନ୍ତ ନିନ୍ଦନୀୟ
ଭୁବନେଶ୍ୱର, ମଇ ୩୧ – ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ଦାବି କରୁଥିବା ବେଳେ ନିର୍ବାଚନୀ ଫାଇଦା ପାଇଁ ଟଙ୍କା ବାଣ୍ଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ପଦ୍ଧତି ଅବଲମ୍ବନ କରିଛି । ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟନରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଖବର ଅତ୍ୟନ୍ତ ନିନ୍ଦନୀୟ । ନିଜକୁ ୧ ନମ୍ବର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନୀ ଫାଇଦା ପାଇବା ପାଇଁ ଏଭଳି ଅଗଣତାନ୍ତ୍ରିକ ଓ ଅନୈତିକ ଉପାୟ ଅବଲମ୍ବନ କରିବାକୁ ପଡ଼ୁଛି । ବିଜେଡି ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଉପହାସ କରି ରଖିଛି । ବିଜେଡିର ଅର୍ଥ ଓ ବାହୁବଳର ବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।