Search for:
  • Home/
  • ରାଜ୍ୟ/
  • ନବ ଦାସଙ୍କ ହତ୍ୟା, ପରିକ୍ରମା ପ୍ରକଳ୍ପର ଦୁର୍ନୀତି ଓ ଭ୍ରଷ୍ଟାଚାରର ତଦନ୍ତ ବିଜେପି କରିବ : ସମୀର ମହାନ୍ତି

ନବ ଦାସଙ୍କ ହତ୍ୟା, ପରିକ୍ରମା ପ୍ରକଳ୍ପର ଦୁର୍ନୀତି ଓ ଭ୍ରଷ୍ଟାଚାରର ତଦନ୍ତ ବିଜେପି କରିବ : ସମୀର ମହାନ୍ତି

Spread the love

Loading

ନବ ଦାସଙ୍କ ହତ୍ୟା, ପରିକ୍ରମା ପ୍ରକଳ୍ପର ଦୁର୍ନୀତି ଓ ଭ୍ରଷ୍ଟାଚାରର ତଦନ୍ତ ବିଜେପି କରିବ : ସମୀର ମହାନ୍ତି

 ନବୀନ ଶାସନରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
 ଅଣଓଡ଼ିଆ କବଜାରେ ଓଡ଼ିଶାର ଅସ୍ମିତା
 ଆମଦାନି ନେତା ଓଡ଼ିଶାର ସେବା କରିବା ବାହାନାରେ ଓଡ଼ିଆଙ୍କୁ ବୋକା ବନାଉଛନ୍ତି
 ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନିତ କରୁଥିବା ଗୁମାସ୍ତା ବାବୁ କ୍ଷମା ମାଗନ୍ତୁ

ଭୁବନେଶ୍ୱର, ତା.୨୯/୦୫: ପୋଲିସ ବିଭାଗର ଉଚ୍ଚପଦ ଅଧିକାରୀ ଅବସ୍ଥାପିତ ଡିଏସ୍ କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଗୁଲାମଗିରି ଓ ଚାମଚାଗିରି କରୁଛନ୍ତି ବୋଲି ବିଜେପି ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି । ବିଜେଡିର ଚାମଚାଗିରି କରିବା ଏହି ଦୁଇ ପୋଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ । ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ ଶ୍ରୀ ଡି.ଏସ.କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ । ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି ଯେ, ଏହି ଦୁଇ ଅଧିକାରୀ କିଏ? ଡିଏସ୍ କୁଟ୍ଟେ କେଉଁଠି ବସି କାହାର ଆପୋଏଂଟ୍‌ମେଂଟ୍ ଫିକ୍ସ କରନ୍ତି ତ କାହାର ବଦଳି କରନ୍ତି । ବିଜେଡିର କେଉଁ ନେତାଙ୍କୁ କେତେବେଳେ ଟାଇଟ ଓ ହୁଗୁଳା କରାଯିବ, କେଉଁ ପୋଲିସ ଷ୍ଟେସନର ଏଏସ୍‌ଆଇ କାହା ଘରକୁ ଯାଇ ଡାକିବେ, ମ୍ୟୁନିସପାଲଟି ଓ ସହରାଚଂଳ ନିର୍ବାଚନ ବେଳେ କିଏ ପ୍ରାର୍ଥୀ ହେବେ, ଅଂଚଳର ପୋଲିସ ଷ୍ଟେସନର ଅଧିକାରୀ କେଉଁ କାର୍ଯ୍ୟ କରିବେ ସେସବୁ ଉପରେ ଡିଏସ୍ କୁଟ୍ଟେ ନିଷ୍ପତି ନେଉଥିଲେ । ଗଞ୍ଜାମ ଜିଲ୍ଲାର ରାଜନୈତିକ ସହିତ ଆଶିଷ ସିଂଙ୍କର କ’ଣ ସମ୍ପର୍କ ଏକଥା ବିଜେଡି ଓ କଂଗ୍ରେସ ଦଳ ଜାଣିଛି ଏବଂ ବିଜେପିର କାର୍ଯ୍ୟକର୍ତା ଅବଗତ ଅଛନ୍ତି । ଆଜି ଯିଏ ଶ୍ରୀ ସିଂଙ୍କୁ ସାର୍ଟିଫିକେଟ୍ ଦେବାକୁ ବସିଛନ୍ତି ସେ ପ୍ରଶାସନିକ ଅଧିକାରୀ ଥିବାବେଳେ ମସୁରୀ ଟ୍ରେନିଂ ବେଳେ କ’ଣ ଶପଥ ନେଇଥିଲେ ସେ ଜାଣିଛନ୍ତି । ସମପ୍ରକୃତିର ଲୋକ ନିଶ୍ଚିତ ମିଶିକି ରହିବେ । ଓଡିଶାର ସାଧାରଣ ଜନତା ତଥା ଟିକସ୍ ଦାତାଙ୍କର ଅର୍ଥରୁ ଦରମା ନେଉଥିବା ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଅବଗତ କରିଥିଲା ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନବୀନ ଶାସନରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏନସିଆରବି ରିପୋର୍ଟ ତଥ୍ୟ ଅନୁସାରେ ପ୍ରତ୍ୟେକ ଦିନ ମହିଳା, ଛୋଟ ଶିଶୁମାନଙ୍କୁ ଅପହରଣର ମାମଲା ଥାନାରେ ଦେଖିବାକୁ ମିଳୁଛି । ୫ହଜାର ଶିଶୁ ବର୍ଷକୁ ନିଖୋଜ ହେଉଛନ୍ତି । ନବୀନ ବାବୁ ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଉଦାହରଣ ସ୍ୱରୂପ- ପରୀର ଅପହରଣ ପରେ ତା ବାପା ଓ ମାଆ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କିନ୍ତୁ ବିଜେଡି ଏଥିପ୍ରତି କର୍ଣ୍ଣପାତ କରିନଥିଲା । ପରୀର ବାପା ମାଆଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ସହ ଆନ୍ଦୋଳନ ମଧ୍ୟ କରିଥିଲା । ସେହିପରି ୨୯ଜାନୁୟାରୀ ୨୦୨୩ରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡାରେ ଦିବାଲୋକରେ ହତ୍ୟା କରାଗଲା ଓ ଏହାର ତଦନ୍ତ ଯେଭଳି କରାଗଲା ତାହା ହାସ୍ୟାସ୍ପଦ । ଓଡ଼ିଶାର ଶତାଧିକ ଟ୍ରକରୁ ଗଞ୍ଜେଇ ଜବତ ହେଉଛି, ପୋଲିସ ଅଧିକାରୀ ଓ ହାବିଲଦାରଙ୍କ ଠାରୁ କୋଟି କୋଟି ଟଙ୍କା ବାହାରୁଛି, ତାହାର ପ୍ରଛଦପଟରେ ବିଜେଡିର ନୂଆ ନେତା ସାଜିଥିବା ତାମିଲ ବାବୁ ରହିଥିବା ସ୍ପଷ୍ଟ ହେଉଛି । ଆମଦାନି ନେତା ଓଡ଼ିଶାର ସେବା କରିବା ବାହାନାରେ ଓଡ଼ିଆ ଲୋକଙ୍କୁ ଭ୍ରମିତ କରି ବୋକା ବନାଉଛନ୍ତି । ପ୍ରଧାନମନ୍ତ୍ରୀ ଏ ସମସ୍ତ କଥାକୁ ବିଚାର କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଅଣଓଡ଼ିଆ କବଜାରେ ଓଡ଼ିଶାର ଅସ୍ମିତା । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣିବା ଏବଂ ଗୋଡରେ ଗୋଇଠା ମାରୁଛନ୍ତି ଗୁମାସ୍ତା । ମୁଖ୍ୟମନ୍ତ୍ରୀ ରବର କଣ୍ଡେଇ ନୁହଁନ୍ତି, ତାଙ୍କ ହାତକୁ ଟାଣିବା, ଗୋଇଠା ମାରିବା ଏବଂ ସୁରକ୍ଷା ଦାୟିତ୍ୱଥିବା ବ୍ୟକ୍ତିମାନେ କଟୁ ବ୍ୟବହାର କରିବା ଅତ୍ୟନ୍ତ ଦୁଃଖଦ ଘଟଣା । ଅଣଓଡିଆ ବାବୁ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନାରେ ରଖି ସମସ୍ତ କ୍ଷମତା ଠୁଳ କରି ଓଡ଼ିଆ ଜାତିକୁ ବାରମ୍ବାର ଅପମାନ କରୁଛନ୍ତି । ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ କହି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟକୁ ଅପମାନିତ କରିଛନ୍ତି । ଏହାକୁ ଓଡ଼ିଆ ଜାତି ସହିବ ନାହିଁ । ୧୪୦କୋଟି ଦେଶବାସୀଙ୍କର ଯେ ନେତୃତ୍ୱ ନେଉଛନ୍ତି, ବିଶ୍ୱର ଲୋକ ଯାହାକୁ ପର୍ଯ୍ୟବେକ୍ଷକଭାବେ ଦେଖୁଛନ୍ତି ତାହାକୁ ବିଜେଡିର ଗୁମାସ୍ତା ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ବିଜେଡି ଦଳର କର୍ମୀ, ଚାମଚାମାନେ ଗୁମାସ୍ତାକୁ ମାନିପାରନ୍ତି କିନ୍ତୁ ଓଡ଼ିଆ ଲୋକ କେବେ ମାନିବେ ନାହିଁ । ଏହାର ଉଚିତ ଜବାବ ଦେବେ ଓଡ଼ିଶାବାସୀ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଭୃଗୁ ବକ୍ସିପାତ୍ରଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲା ବିଜେଡି । କିନ୍ତୁ ଏବେ ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଲୋକସଭାରୁ ପ୍ରାର୍ଥୀ କରିଛି । ବିଜେଡି ଗୁମାସ୍ତା ସେମାନଙ୍କ ବ୍ୟକ୍ତିକୁ ନେଇ ସାର୍ଟିଫିକେଟ୍ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଏହି ନିର୍ବାଚନକୁ ଲଟକେଇ, ଭଟକେଇ, ପକ୍ଷପାତିତା କରିବା ପାଇଁ ସବୁ ଯୋଜନା କରିବା ପରେ ନିର୍ବାଚନ କମିଶନ ୨ଜଣ ଅଧିକାରୀଙ୍କ ମଧ୍ୟରୁ ଜଣକୁ ବହିଷ୍କାର କରିଛନ୍ତି ଯାହାକୁ ବିଜେପି ସ୍ୱାଗତ କରୁଛି ।
ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କୁ ଟ୍ରଲିରେ ଗାଁ ଗାଁରେ ବୁଲାଇ ଅପମାନିତ କରିଛି । ଅର୍ପଣ ରଥ ନାଁରେ ଜଗନ୍ନାଥ ପ୍ରେମୀଙ୍କଠାରୁ ଚାଉଳ, ଗୁଆ ଆଦାୟ କରିଥିଲା । ମଠ, ମନ୍ଦିର ଭାଙ୍ଗିଲେ । ଏହାପରେ ପରିକ୍ରମା ପ୍ରକଳ୍ପ କରି ୫୦୦ବର୍ଷର ସଂସ୍କୃତିକୁ ପୁନଃଜୀବିତ କରିଛନ୍ତି ବୋଲି ମିଛରେ ଡିଣ୍ଡିମ ପିଟୁଛି । ବିଜେଡି ୨୫ବର୍ଷରେ କ’ଣ କରିଛି ତାହା ତଦନ୍ତ ପରିସରଭୁକ୍ତ ହେବ ବୋଲି ଓଡ଼ିଶାବାସୀଙ୍କୁ ବିଜେପି ଆଶ୍ୱସ୍ତ କରୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଖଣିଜ ସମ୍ପଦକୁ ଲୁଟ୍ କରିଥିବା ମାଫିଆମାନଙ୍କ ଅଂଟା ଭାଙ୍ଗି ଦିଆଯିବ । ବିଜେପି ସରକାରକୁ ଆସିଲେ ବିଜେଡି ଶାସନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ପରିକ୍ରମା ପ୍ରକଳ୍ପର ଦୁର୍ନୀତି ଓ ଭ୍ରଷ୍ଟାଚାରର ତଦନ୍ତ କରିବ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଅଣଓଡ଼ିଆ ବାବୁ କୋଟି କୋଟି ଟଙ୍କାର ଦୁର୍ନୀତି କରିଛି ତାହାର ହିସାବ କରି ପାଇ ପାଇ ଟଙ୍କା ଆଦାୟ କରାଯିବ । ଓଡ଼ିଶାବାସୀଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅଣଓଡ଼ିଆ ବାବୁ ଅପମାନିତ କରିବାକୁ ଓଡ଼ିଶାବାସୀ ସହ୍ୟ କରିବେ ନାହିଁ । ନବୀବ ବାବୁଙ୍କ ଶରୀର କିଭଳି ଅଛି ତାହା ଜାଣିବା ଆବଶ୍ୟକ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବା ଗୁମାସ୍ତା ବାବୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଭର୍ତୃହରି ମହତାବ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required